fbpx

IPL Record Alert; ଛକା ମାରି ରେକର୍ଡ କଲେ ହିଟମ୍ୟାନ ରୋହିତ: ଧୋନୀ, ଡିଭିଲିୟର୍ସ ସବୁ ପଡିଲେ ପଛରେ

Advertisement

ମୁମ୍ବାଇ: ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଗୁଜୁରାଟ ବିପକ୍ଷରେ ୨୧୯ ରନର ଲକ୍ଷ୍ୟ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚରେ ଶତକ ହାସଲ କରି ଦଳକୁ ବିପଦରୁ ରକ୍ଷା କରିଛନ୍ତି ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର । ତେବେ ସେ ଏହି ମ୍ୟାଚରେ ଆଇପିଏଲ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିବା ବେଳେ ଅଧିନାୟକ ରୋହିତ ଶର୍ମା ମାତ୍ର ୨୯ ରନର ଏକ ଛୋଟ ପାଳି ଖେଳିଛନ୍ତି । ତେବେ ଏହି ଛୋଟ ପାଳିରେ ସେ ଏକ ବିଶାଳ ରେକର୍ଡକୁ ଟାର୍ଗେଟ କରିଛନ୍ତି ।

ଗତ ସିଜନର ଚମ୍ପିଆନ ବିପକ୍ଷରେ ରୋହିତ ୧୮ ବଲରୁ ୨୯ ରନର ଏକ ଛୋଟ ପାଳି ଖେଳି ପାଭିଲିୟନ ଫେରିଛନ୍ତି । ହିଟମ୍ୟାନ ରୋହିତଙ୍କର ଏହି ପାଳିରେ ୨ଟି ଛକା ସାମିଲ ରହିଥିଲା । କିନ୍ତୁ ଏହି ଦୁଇଟି ଛକା ହିଁ ତାଙ୍କୁ ଏକ ବଡ ଉପଲବ୍ଧି ଭେଟି ଦେଇଛି । ଇନିଂସର ତୃତୀୟ ଓଭରର ଶେଷ ବଲରେ ରୋହିତ ଏକ ବିଶାଳ ଛକା ମାରିଥିଲେ । ଏହି ଛକା ସହ ଆଇପିଏଲରେ ସବୁଠାରୁ ଅଧିକ ଛକା ମାରିବା ତାଲିକାରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ତେବେ ତାଙ୍କ ନାମରେ ଏହାକୁ ମିଶାଇ ମୋଟ ୨୫୨ଟି ଛକା ରହିଛି । ଏହି ଛକା ସହ ସେ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋରର ପୂର୍ବତନ କ୍ରିକେଟର ଏ.ବି ଡିଭିଲିୟର୍ସ ଏବଂ କ୍ୟାପଟେନ କୁଲ ଏମ.ଏସ ଧୋନୀଙ୍କୁ ପଛରେ ପକାଇ ଦେଇଛନ୍ତି । ଡିଭିଲିୟର୍ସଙ୍କ ନାଁରେ ଏପର୍ଯ୍ୟନ୍ତ ୨୫୧ଟି ଛକା ରହିଥିବା ବେଳେ ଧୋନୀ ଆଇପିଏଲରେ ୨୩୯ଟି ଛକା ମାରିଛନ୍ତି ।

ତେବେ ଏହି ତାଲିକାର ସବୁଠୁ ଆଗରେ ରହିଛନ୍ତି ୟୁନିଭର୍ସ ବସ୍ କ୍ରିସ ଗେଲ । ଆଇପିଏଲ ଇତିହାସରେ ସେ ସର୍ବମୋଟ ୩୫୭ଟି ଛକା ନିଜ ନାମରେ କରିଛନ୍ତି । ସେପଟେ ଆଜିର ମ୍ୟାଚରେ ସୂର୍ଯ୍ୟକୁମାରଙ୍କ ଶତକ ବଳରେ ଗୁଜୁରାଟକୁ ୨୧୯ ରନର ଟାର୍ଗେଟ ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ । ସିଜନ ଆରମ୍ଭରୁ ଖରାପ ପ୍ରଦର୍ଶନ କରୁଥିବା ମୁମ୍ବାଇ ବର୍ତ୍ତମାନ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ପହଞ୍ଚି ସାରିଛି ।

Get real time updates directly on you device, subscribe now.