ୟ୍ୟୁଟୁବରେ ରୋନାଲଡୋଙ୍କ ରାଜ୍, ୨୪ ଘଣ୍ଟାରେ ୧୦ ନିୟୁତ ସବଷ୍କ୍ରାଇବର୍,କଣ୍ଟେଣ୍ଟ କ୍ରିଏଟର ଭାବରେ ଆରମ୍ଭ କଲେ ନୂଆ କ୍ୟାରିଅର
ଓଡିଶା ଭାସ୍କର: ଗତ ଦୁଇ ଦଶନ୍ଧି ଧରି ଫୁଟବଲକୁ ନିଜ ମାୟାଜାଲରେ ଫସାଇଥିବା ପର୍ତ୍ତୁଗାଲ ଷ୍ଟାର ତଥା ସେ ଦେଶର ହୀରା ଖ୍ରୀଷ୍ଟିଆନ ରୋନାଲଡୋ ସର୍ବକାଳୀନ ଶ୍ରେଷ୍ଠ କ୍ରୀଡାବିତ ଭାବରେ ବେଶ୍ ଖ୍ୟାତ । ଫୁଟବଲରେ ସେ ଯେମିତି ସାରା ବିଶ୍ୱରେ ଚମକି ଥାଆନ୍ତି, ଠିକ ସେମିତି ପଡିଆ ବାହାରେ ମଧ୍ୟ ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି । ସେ ଯାହା ଛୁଇଁଲେ ତାହା ସୁନା ହେବା ଭଳି ଗୋଟିଏ ପରେ ଗୋଟିଏ ସଫଳତା ପାଇ ଚାଲିଛନ୍ତି । ଇତିମଧ୍ୟରେ ଖ୍ରୀଷ୍ଟିଆନ ରୋନାଲଡୋ ଜଣେ କଣ୍ଟେଣ୍ଟ କ୍ରିଏଟର ଭାବରେ ନିଜର ନୂଆ କ୍ୟାରିଅର ଆରମ୍ଭ କରିଛନ୍ତି ।
ପ୍ରକାଶଥାଉ ଯେ, ରୋନାଲଡୋ ନିଜ ୟ୍ୟୁଟୁବ ଚ୍ୟାନେଲ ଆରମ୍ଭ କରିବାର କିଛି ଘଣ୍ଟା ମଧ୍ୟରେ ହିଁ ସମସ୍ତ ରେକର୍ଡକୁ ଚୂରମାର କରି ଦେଇଛନ୍ତି । ଏହାସହ ୟ୍ୟୁଟୁବରେ ଏକ ନିୟୁତ ସବଷ୍କ୍ରାଇବର ଛୁଇଁବା ତାଲିକାରେ ସେ ବିଶ୍ୱର ଦ୍ରୁତତମ ସେଲିବ୍ରିଟି ସାଜି ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ରୋନାଲଡୋଙ୍କ ଚ୍ୟାନେଲ ଆରମ୍ଭ ହେବାର ମାତ୍ର ୨୪ ଘଣ୍ଟା ନ ପୁରୁଣୁ ତାଙ୍କର ସବଷ୍କ୍ରାଇବର ସଂଖ୍ୟା ମୋଟ ୧୦ ନିୟୁତ ଟପିଛି । ବିଶ୍ୱର କୋଣ ଅନୁକୋଣରେ ଥିବା ତାଙ୍କର କୋଟି କୋଟି ପ୍ରଶଂସକଙ୍କ ଭଲପାଇବା ଆଜି ତାଙ୍କୁ ପୁଣି ଏକ ନୂଆ ସଫଳତା ଦେଇଛି । କହିରଖୁ,ସାମାଜିକ ଗଣମାଧ୍ୟମରେ ସର୍ବାଧିକ ଅନୁଗାମୀ ଥିବା ରେକର୍ଡ ମଧ୍ୟ ରୋନାଲଡୋଙ୍କ ନାମରେ ରହିଛି । ରୋନାଲଡୋଙ୍କ ଏକ୍ସ (ପୂର୍ବର ଟ୍ୱିଟର) ରେ ୧୧୫.୫ ନିୟୁତ,ଇନଷ୍ଟାଗ୍ରାମରେ ପ୍ରାୟ ୬୩୬ ନିୟୁତ ତଥା ଫେସବୁକରେ ୧୭୦ ନିୟୁତ ପ୍ରଶଂସକ ବା ଅନୁଗାମୀ ଅଛନ୍ତି । ସେ କ୍ରୀଡା ଦୁନିଆର ବାଦଶାହ କହିଲେ ଅତ୍ୟୁକ୍ତି ହେବ ନାହିଁ ।