ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ତ୍ୱରାନ୍ୱିତ ହେଉଛି ସ୍ୱାସ୍ଥ୍ୟସେବା । ଏଣିକି ରାତିରେ ମଧ୍ୟ ଅପରେସନ ପାଇଁ ଖୋଲା ରହିବ ଥିଏଟର ଏବଂ ଉପଲବ୍ଧ ରହିବେ ଡାକ୍ତର । ଆହତ କିମ୍ବା ଅନ୍ୟ ଗୁରୁତର ରୋଗୀଙ୍କୁ ଅସ୍ତ୍ରୋପଚାର ପାଇଁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର କରିବାକୁ ପଡିବ ନାହିଁ । କାରଣ ପ୍ରତିଦିନ ୩ଟି ସିଫ୍ଟରେ ୨୪ ଘଣ୍ଟା ଡାକ୍ତର ଏବଂ ପାରା ମେଡିକାଲ ଷ୍ଟାଫ ଡାକ୍ତରଖାନାରେ ଉପଲବ୍ଧ ରହିବେ । ଏଥିପାଇଁ ନିର୍ମାଣ ହୋଇଛି ଏକ ବଡ ଧରଣର ଅତ୍ୟାଧୁନିକ ଅପରେସନ ଥିଏଟର ।
ଏଣିକି କ୍ୟାପିଟାଲ ହସ୍ପିଟାଲରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଜରୁରୀକାଳୀନ ଓଟି ଖୋଲା ରଖିବା ପାଇଁ ହସ୍ପିଟାଲ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ସ୍ୱତନ୍ତ୍ର ଭାବରେ ଅତ୍ୟାଧୁନିକ ଓଟି ଖୋଲାଯିବା ସହିତ ୩ଟି ସିଫ୍ଟରେ ଡାକ୍ତର ଏବଂ ପାରାମେଡିକାଲ ଷ୍ଟାଫ ଉପଲବ୍ଧ ନିୟୋଜିତ ରହିବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହାଦ୍ୱାରା ଅତ୍ୟାବଶ୍ୟକ ମାମଲାରେ ଏଠାରେ ଅପରେସନ କରାଯାଇ ପାରିବ । ଏହାବ୍ୟତୀତ ବିଭିନ୍ନ ପ୍ରକାରର ରକ୍ତ ଏବଂ ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା ରିପୋର୍ଟ ପ୍ରସ୍ତୁତି ପାଇଁ ନିୟୋଜିତ ହେବେ ପାରାମେଡିକାଲ ଷ୍ଟାଫ ଓ ନର୍ସ । ଏଥିପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଖୁବଶୀଘ୍ର ଲୋକମାନେ ଏହି ସୁବିଧା ପାଇପାରିବେ । ଯାହା ଫଳରେ ରୋଗୀମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।
ତେବେ ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ରାତି ସମୟରେ ଅପରେସନ କରିବାର ବ୍ୟବସ୍ଥା ଉପଲବ୍ଧ ନଥିଲା । ତେଣୁ ହଠାତ କୌଣସି ଗୁରୁତର ଆହତ କିମ୍ବା ଅପରେସନ ଆବଶ୍ୟକ କରୁଥିବା ରୋଗୀ ପହଞ୍ଚିଲେ, ତାଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ପଠାଇ ଦିଆଯାଉଥିଲା । ଏପରିକି ଏଠାରେ ସାଧାରଣ ହାର୍ଣ୍ଣିଆ ବା ଆପେଣ୍ଡିକ୍ସ ଭଳି ଅସ୍ତ୍ରୋପଚାର ମଧ୍ୟ ହେବା ସମ୍ଭବ ହୋଇ ପାରୁ ନଥିଲା । ତେବେ ବର୍ତ୍ତମାନ ଏହି ସୁବିଧା ଉପଲବ୍ଧ ହୋଇପାରିବ । ସବୁ ସମୟରେ ତତ୍କାଳୀନ ଅପରେସନ ସେବା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ହୋଇଛନ୍ତି କ୍ୟାପିଟାଲ ହସ୍ପିଟାଲର କର୍ତ୍ତୃପକ୍ଷ ।