‘ବିରାଟ’ ଟ୍ରେଡ କଲା ରୋୟଲ ଚାଲେଞ୍ଜର୍ସ: ହାଇଦ୍ରାବାଦର ମୟଙ୍କଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ଆସନ୍ତା ଡିସେମ୍ବର ୧୯ ତାରିଖରେ ହେବ ମିନି ଅକ୍ସନ । ତେବେ ଏହା ପୂର୍ବରୁ ଅଙ୍କକଷା ଆରମ୍ଭ କରି ସାରିଛନ୍ତି ପ୍ରତ୍ୟେକ ଦଳର ମ୍ୟାନେଜମେଣ୍ଟ । ଏହାପୂର୍ବରୁ କିଛି ଦଳ ନୂଆ ‘ଟ୍ରେଡିଙ୍ଗ’ ନିୟମ ଅନୁସାରେ ଖେଳାଳି ପରିବର୍ତ୍ତନ କରିଛନ୍ତି । ଏଥିରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ଗୁଜୁରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟ୍ରେଡିଂ ସମ୍ଭାବନା । ତେବେ ଏହାବ୍ୟତୀତ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ ଭିତରେ ମଧ୍ୟ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି ।

ଟ୍ରେଡ ୱିଣ୍ଡୋ ଜରିଆରେ ବିରାଟ କୋହଲିଙ୍କ ଟିମ୍ ରେ ଯୋଡ଼ି ହୋଇଛନ୍ତି ହାଇଦ୍ରାବାଦର ଷ୍ଟାର ପ୍ଲେୟର ମୟଙକ ଡଗର । ରିପୋର୍ଟ ଅନୁସାରେ, ବାଙ୍ଗାଲୋରର ଷ୍ଟାର ଅଲରାଉଣ୍ଡର ଶେହବାଜ ଅହମଦଙ୍କୁ ଦଳ ହାଇଦ୍ରାବାଦ ସହ ଟ୍ରେଡ କରିଛି । ଶେହବାଜଙ୍କ ସ୍ଥାନରେ ବାଙ୍ଗାଲୋର ମୟଙ୍କ ଡଗରଙ୍କୁ ଦଳରେ ସାମିଲ କରିଥିବା ବେଳେ ହାଇଦ୍ରାବାଦ ମଧ୍ୟ ଟ୍ରେଡରେ ନୂଆ ଖେଳାଳି ପାଇଛି । ମୟଙ୍କ ଘରୋଇ କ୍ରିକେଟରେ ରାଜଧାନୀ ଦିଲ୍ଲୀ ତରଫରୁ ପ୍ରତିନିଧିତ୍ୱ କରୁଛନ୍ତି । ଗତ ସିଜନରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ୩ ଟି ମ୍ୟାଚ୍ ଖେଳିଥିବା ବେଳେ ମାତ୍ର ୧ ୱିକେଟ୍ ହାସଲ କରିବାରେ ସଫଳ ହୋଇଛନ୍ତି ମୟଙ୍କ ।

ସେହିପରି ଶେହବାଜଙ୍କ ଆଇପିଏଲ କ୍ୟାରିୟର ମଧ୍ୟ ହାରାହାରି ରହିଛି । ସେ ଆଇପିଏଲରେ ମୋଟ ୩୯ ଟି ମ୍ୟାଚରୁ ୧୪ ୱିକେଟ୍ ନେଇଛନ୍ତି। ଶେହବାଜ ଗତ ସିଜନରେ ଆରସିବି ପାଇଁ ୧୦ ଟି ମ୍ୟାଚ୍ ଖେଳିଥିଲେ ମଧ୍ୟ ମାତ୍ର ୧ ୱିକେଟ୍ ପାଇ ଦଳକୁ ନିରାଶ କରିଥିଲେ । ଏହାବ୍ୟତୀତ ଶେହବାଜ ଭାରତ ପାଇଁ ୩ ଟି ଦିନିକିଆରୁ ୩ଟି ୱିକେଟ ଏବଂ ୨ ଟି -୨୦ ମ୍ୟାଚ୍ ଖେଳି ୨ ୱିକେଟ୍ ନିଜ ନାମରେ କରିଛନ୍ତି। ୨୦୨୩ ମିନି ନିଲାମରେ ମୟଙ୍କ ଡଗରଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୧.୮୦ କୋଟିରେ କିଣିଥିବା ବେଳେ ବାଙ୍ଗାଲୋର ୨୦୨୨ ମସିହାରେ ଶେହବାଜ ଅହମ୍ମଦଙ୍କୁ ୨.୪ କୋଟି ଟଙ୍କାରେ ଦଳରେ ସାମିଲ କରିଥିଲା।