ପୁଣି ଭାଙ୍ଗିଲା ରେକର୍ଡ: ଡଲାର ତୁଳନାରେ ପ୍ରଥମ ଥର ପାଇଁ ୮୩ ଅତିକ୍ରମ କଲା ଟଙ୍କା

ମୁମ୍ବାଇ: ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ନିରନ୍ତର ଭାବେ ହ୍ରାସ ପାଇ ଚାଲିଛି । ବୁଧବାର ଟଙ୍କା ଡଲାର ତୁଳନାରେ ରେକର୍ଡ ସର୍ବନିମ୍ନ ସ୍ତରକୁ ଚାଲିଯାଇଥିଲା । ଆଜି ଟଙ୍କା ଡଲାର ତୁଳନାରେ ୬୧ ପଇସା ହ୍ରାସ ପାଇ ୮୩.୧ ଟଙ୍କାରେ ପହଞ୍ଚିଥିଲା । ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବକାଳିନ ରେକର୍ଡ ସୃଷ୍ଟି କରିଛି । ପ୍ରଥମ ଥର ପାଇଁ ଭାରତୀୟ ଟଙ୍କା ଡଲାର ତୁଳନାରେ ୮୩ ଟଙ୍କା ପାର କରିଛି । ଗତକାଲି ମଧ୍ୟ ଟଙ୍କାର ମୂଲ୍ୟରେ ଭାରି ହ୍ରାସ ପାଇଥିଲା ।

ଆଜି ଅପରାହ୍ନ ସମୟରେ ଟଙ୍କାର ମୂଲ୍ୟରେ ସାମାନ୍ୟ ସୁଧାର ଆସିଥିଲା । କିନ୍ତୁ ବଜାର ଶେଷ ବେଳକୁ ଏହା ପୁଣି ହ୍ରାସ ପାଇ ଚାଲିଥିଲା । କାରବାର ଶେଷ ସମୟରେ ଟଙ୍କା ପ୍ରତି ଡଲାର ୮୩ ପାର କରିବା ସହ ବନ୍ଦ ହୋଇଥିଲା। ସେହିପରି ଆଜି ଦିନ ତମାମ ଶେୟାର ବଜାରରେ ଅସ୍ଥିରତା ଦେଖିବାକୁ ମିଳିଥିଲା । ଶେଷରେ ସେନସେକ୍ସ ଏବଂ ନିଫ୍ଟି ବୃଦ୍ଧି ସହିତ ବନ୍ଦ ହୋଇଥିଲା । ସେନସେକ୍ସ ୧୪୬.୫୯ ପଏଣ୍ଟ ବଢି ୫୯,୧୦୭.୧୯ ପଏଣ୍ଟରେ ବନ୍ଦ ହୋଇଥିଲା । ସେହିପରି ନିଫ୍ଟି ୨୫.୩୦ ପଏଣ୍ଟ ବୃଦ୍ଧି ସହିତ ୧୭,୫୨୧.୨୫ ପଏଣ୍ଟରେ ବନ୍ଦ ହୋଇଥିଲା ।

ଲଗାତାର ଟଙ୍କାର ମୂଲ୍ୟ ହ୍ରାସ ପାଇ ଚାଲିଥିବା ବେଳେ ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା ଉପରେ ମନ୍ତବ୍ୟ ଦେଇଥିଲେ । ହ୍ରାସ ପାଉଥିବା ଟଙ୍କା ପ୍ରଶ୍ନରେ ସେ କହିଥିଲେ ଯେ, ‘ଟଙ୍କା ହ୍ରାସ ପାଉନାହିଁ, ବରଂ ଡଲାର ନିରନ୍ତର ମଜବୁତ୍ ହେବାରେ ଲାଗିଛି ।’ ଡଲାରକୁ ଛାଡ଼ିଦେଲେ ବାକି ସମସ୍ତ ମୁଦ୍ରାର ଅବସ୍ଥା ସମାନ ରହିଛି। ଏହା ସହିତ ସେ କହିଥିଲେ ଯେ, ଅନ୍ୟ ବିକଶିତ ରାଷ୍ଟ୍ରର ମୁଦ୍ରା ତୁଳନାରେ ଭାରତୀୟ ଟଙ୍କାର ସ୍ଥିତି ସୃଦୃଢ ରହିଛି। ଭାରତୀୟ ରିଜର୍ଭ ଭ୍ୟାଙ୍କ ନିରନ୍ତର ଟଙ୍କାର ମୁଲ୍ୟ ବୃଦ୍ଧି କରିବାକୁ କାର୍ଯ୍ୟ କରୁଛି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ମତକୁ ଜୋର ଦେଲେ ଦେଖାଯାଏ ଯେ, ଗତ ୨୦ ବର୍ଷ ମଧ୍ୟରେ ଡଲାର ଏହାର ସର୍ବାଧିକ ମଜବୁତ୍ ସ୍ତରରେ ରହିଛି । ଚଳିତ ବର୍ଷ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ଡଲାର ୧୭.୩୮% ମଜବୁତ୍ ହୋଇଛି । ତେବେ ଭାରତୀୟ ମୁଦ୍ରା ସମାନ ସମୟରେ ୮ରୁ୯ ପ୍ରତିଶତ ହ୍ରାସ ପାଇଛି।