fbpx
BJD SKY
BJD SKY

ରାଜ୍ୟର ଗ୍ରାମ୍ୟ ଅର୍ଥନୀତିକୁ ମିଳିବ ନୂଆ ଦିଗ: PACS ଓ LAMPSର ଦାୟିତ୍ୱ ବୃଦ୍ଧି କରାଯିବ, ଗ୍ରାମାଞ୍ଚଳରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଓ ବୃହତ ଅଞ୍ଚଳ ବହୁମୁଖୀ ସମବାୟସମିତି (ଲ୍ୟାମ୍ପସ)ର ଦାୟିତ୍ୱ ବୃଦ୍ଧି କରାଯିବ । ଗ୍ରାମ୍ୟ ଅର୍ଥନୀତିକୁ ନୂଆ ଦିଗ ଦେବା କ୍ଷେତ୍ରରେ ବଡ଼ ଭୂମିକା ଗ୍ରହଣ କରିବେ ପ୍ୟାକ୍ସ ଓ ଲ୍ୟାମ୍ପସ । ଏହି ଲକ୍ଷ୍ୟ ନେଇ ରାଜ୍ୟ ସମବାୟ ବିଭାଗ ମଡେଲ ବାଇ ଲ’ କାର୍ଯ୍ୟକାରୀ କରିଛି । ନୂଆ ମାର୍ଗଦର୍ଶିକା ଅନୁପାଳନ କରାଯିବା ଫଳରେ ପ୍ୟାକ୍ସଗୁଡ଼ିକରେ ୨୫ରୁ ଅଧିକ ପ୍ରକାରର କାରବାର କରିବାର ସୁଯୋଗ ମିଳିବ ।

ଏଥିସହିତ ଗ୍ରାମ୍ୟ ଅର୍ଥନୀତି ନୂଆ ଦିଗ ପାଇବ ଓ ଗ୍ରାମାଞ୍ଚଳରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ପୂର୍ବରୁ ପ୍ୟାକ୍ସ ଓ ଲ୍ୟାମ୍ପସ କୃଷି ଋଣ କାରବାର ମଧ୍ୟରେ କେବଳ ସୀମିତ ରହୁଥିବା ବେଳେ ଋଣ ଉପରେ ନିର୍ଭର କରାଯାଉଥିଲା । ମାତ୍ର ଏବେ ଏକ ନୂଆ ଧାରା ଆରମ୍ଭ ହୋଇଛି । ଗ୍ରାମାଞ୍ଚଳରେ ଥିବା ପ୍ୟାକ୍ସ ଓ ଲ୍ୟାମ୍ପସର କାର୍ଯ୍ୟ ପରିସର ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ମଡେଲ ବାଇ ଲ’ ଅନୁସରଣ କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି ।

ତେବେ କେନ୍ଦ୍ର ସରକାରଙ୍କ ଉକ୍ତ ପ୍ରସ୍ତାବରେ କିଛି ସମସ୍ୟା ରହିଥିବାରୁ ରାଜ୍ୟରେ ଚାଲୁଥିବା କାରବାର ସହିତ ତା’ର ମେଳ ଖାଇ ନଥିଲା । ତେଣୁ ସମବାୟ ବିଭାଗ ଓଡ଼ିଶା ସମିତି ଆଇନ-୧୯୬୨ ଅନୁସାରେ ରାଜ୍ୟ ଅନୁକୂଳ ପଦ୍ଧତିକୁ ସେଥିରେ ସଂଯୋଗ କରିଥିଲେ । ରାଜ୍ୟରେ ୨୭୭୭ଟି ପ୍ୟାକ୍ସ ରହିଥିବା ବେଳେ ଆଉ ୧୫୨୧ଟି ନୂଆ ପ୍ୟାକ୍ସ ଗଠନ କରାଯାଇ ୩୦ଟି ଜିଲ୍ଲାରେ ଥିବା ପ୍ୟାକ୍ସ ଓ ଲ୍ୟାମ୍ପସରେ ମଡେଲ ବାଇ ଲ’ କାର୍ଯ୍ୟକାରୀ କରାଯାଇଛି । ପୂର୍ବରୁ ଏହି ସମିତିଗୁଡ଼ିକ କେବଳ ଛୋଟମୋଟ କାରବାର ମଧ୍ୟରେ ସୀମିତ ରହୁଥିଲେ । ମାତ୍ର ଏବେ ପେଟ୍ରୋଲ ପମ୍ପ, ଏଲପିଜି ଡିପୋ ଡିଲରଶିପ ନେବା, ଔଷଧ ବିକ୍ରୟ କେନ୍ଦ୍ର, ସାର ବିକ୍ରୟ କେନ୍ଦ୍ର, ଫସଲ ବୀମା, ବିଭିନ୍ନ ପ୍ରକାରର ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ କରି କାରବାର ଆରମ୍ଭ କରିଛନ୍ତି । ଏହାଫଳରେ ଲୋକମାନେ ଗୋଟିଏ ଛାତ ତଳେ ବିଭିନ୍ନ ପ୍ରକାରର ସୁବିଧା ପାଇବା ସହିତ ଗ୍ରାମାଞ୍ଚଳରେ ବ୍ୟାପକ କର୍ମନିଯୁକ୍ତି ସୃଷ୍ଟି କରାଯାଇ ପାରିଛି ।

Get real time updates directly on you device, subscribe now.