ଗୋଟିଏ ରାତିରେ 273 ଡ୍ରୋନ ଆଟାକ୍, ୟୁକ୍ରେନ ଉପରେ ରୁଷର ସବୁଠୁ ବଡ଼ ଆକ୍ରମଣ
ରବିବାର ସକାଳେ ରୁଷ ୟୁକ୍ରେନ ଉପରେ ଏକ ବଡ଼ ହମଲା କରିଛି । ଯାହା 39 ମାସ ମଧ୍ୟରେ ରୁଷର ସବୁଠାରୁ ବଡ଼ ଆକ୍ରମଣ। ବ୍ୟାପକ ଧ୍ବଂସ ହୋଇଥିବା ସୂଚନାରୁ ମିଳିଛି ।
କିଭ୍: 273 ଡ୍ରୋନ ସହ ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ କଲା ରୁଷ । ଏହି ଆକ୍ରମଣ ଡ୍ନିପ୍ରୋପେଟ୍ରୋଭସ୍କ ଏବଂ ଡୋନେସ୍କ ଅଞ୍ଚଳକୁ ଦୋହଲାଇ ଦେଇଛି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ରୁଷର ଏହା ୟୁକ୍ରେନ ଉପରେ ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ ଥିଲା।
ତେବେ ଶନିବାର-ରବିବାର ବିଳମ୍ବିତ ରାତିରେ ରୁଷ ୟୁକ୍ରେନ ଉପରେ 273ଟି ଡ୍ରୋନ୍ ଆଟାକ୍ କରିଥିଲା। ଯାହା ଗତ 39 ମାସ ମଧ୍ୟରେ (ଫେବୃଆରୀ 2022 ରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ) ୟୁକ୍ରେନ ଉପରେ ରୁଷର ସବୁଠାରୁ ବଡ଼ ଆକ୍ରମଣ ମଧ୍ୟରୁ ଗୋଟିଏ। କିଭ୍ ଆଞ୍ଚଳିକ ରାଜ୍ୟପାଳ ମାଇକୋଲା କଲାଶନିକଙ୍କ ଅନୁଯାୟୀ, ରୁଷିଆ ଡ୍ରୋନ୍ ଆକ୍ରମଣରେ ଜଣେ 28 ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି ଏବଂ ତିନି ଜଣ ଆହତ ହୋଇଛନ୍ତି। ତେବେ ଆହତଙ୍କ ମଧ୍ୟରେ ଏକ 4 ବର୍ଷର ନିର୍ଦ୍ଦୋଷ ଶିଶୁ ମଧ୍ୟ ରହିଛି ।
ୟୁକ୍ରେନର ବାୟୁସେନା ପ୍ରକାଶ କରିଛି ଯେ, ରୁଷ ରାତାରାତି ମୋଟ 273ଟି ବିସ୍ଫୋରକ ଡ୍ରୋନ୍ ମାଡ଼ କରିଛି, ଯାହା ଯୁଦ୍ଧ ଆରମ୍ଭ ହେବା ପରଠାରୁ ଗୋଟିଏ ରାତିରେ ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ ଥିଲା। ଏଥିମଧ୍ୟରୁ 88ଟି ଡ୍ରୋନକୁ ୟୁକ୍ରେନୀୟ ପ୍ରତିରକ୍ଷା ବାହିନୀ ଗୁଳି କରି ଖସାଇ ଦେଇଥିଲା, ଯେତେବେଳେ ଅନ୍ୟ 128ଟି ଇଲେକ୍ଟ୍ରୋନିକ୍ ଜାମିଂ ଯୋଗୁଁ ନିଖୋଜ ହୋଇଯାଇଥିଲା।
ମସ୍କୋ ଏବଂ କିଭ ମଧ୍ୟରେ ଯୁଦ୍ଧବିରତି ଆଲୋଚନା ସମୟରେ ଏହି ଆକ୍ରମଣ ହୋଇଥିଲା। ଏହି ଆଲୋଚନା ମଧ୍ୟ କୌଣସି ନିଷ୍କର୍ଷ ବିନା ଶେଷ ହୋଇଥିଲା।
ସୂଚନା ମୁତାବକ, ରୁଷର ଡ୍ରୋନ ଆକ୍ରମଣରେ ୟୁକ୍ରେନର କିଭ୍ ଅଞ୍ଚଳରେ ଭୟଙ୍କ ଅଗ୍ନିକାଣ୍ଡ ହୋଇଥିଲା । ଯାହା ଫଳରେ ଅଞ୍ଚଳରେ ପ୍ରବଳ କ୍ଷୟକ୍ଷତି ହୋଇଛି ବୋଲି ୟୁକ୍ରେନ କହିଛି ।
ଶନିବାର ପୂର୍ବରୁ, ୟୁକ୍ରେନର ସୁମି ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍ ଉପରେ ରୁଷିଆ ଡ୍ରୋନ୍ ଆକ୍ରମଣ କରିଥିଲା । ଯେଫଁଥିରେ ଅତି କମରେ ନଅ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିଲା।