ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଋଷ ବିଦେଶ ମନ୍ତ୍ରୀ: ତୁରନ୍ତ ଯୁଦ୍ଧ ବିରାମ ପାଇଁ କହିଲେ ମୋଦୀ

ନୂଆଦିଲ୍ଲୀ: ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଋଷ ବିଦେଶ ମନ୍ତ୍ରୀ ସର୍ଗେଇ ଲାବରୋବ ଶୁକ୍ରବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ ସାକ୍ଷାତକାର ସମୟରେ ଋଷ ବିଦେଶ ମନ୍ତ୍ରୀ ଲାବରୋବ ନରେନ୍ଦ୍ର ମୋଦୀଙ୍କୁ ୟୁକ୍ରେନ ସ୍ଥିତି ବିଷୟରେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଂସାର ଶୀଘ୍ର ସମାପ୍ତି ପାଇଁ ପୁଣି ଥରେ ଆହ୍ୱାନ କରିଛନ୍ତି ଏବଂ ଶାନ୍ତି ପାଇଁ ଭାରତର ଯେକୌଣସି ଯୋଗଦାନ ପାଇଁ ତତ୍ପରତା ଥିବା ନେଇ ଅବଗତ କରାଇଛନ୍ତି ।

ଏହା ପୂର୍ବରୁ ଲାବରୋବ ଭାରତର ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସହ ସାକ୍ଷାତକାର କରିଥିଲେ । ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା । ସାକ୍ଷାତକାର ପରେ ଲାବରୋବ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ଯଦି ଭାରତ ଋଷ ଠାରୁ କିଛି କିଣିବାକୁ ଚାହୁଥାଏ ଏଥିପାଇଁ ଋଷ ପ୍ରସ୍ତୁତ ଅଛି । ସେ କହିଥିଲେ ଋଷ ଏବଂ ଭାରତ ମଧ୍ୟରେ ବହୁତ ଭଲ ସଂପର୍କ ରହିଛି ।

ଏହି ଆଲୋଚନାରେ ଲାବରୋବ କହିଥିଲେ ଯେ ଭାରତ ଏକ ମହତ୍ବପୂର୍ଣ୍ଣ ଦେଶ ଅଟେ । ଯଦି ଭାରତ ଏହାର ଭୂମିକା ନିଭାଇବାକୁ ଚାହୁଛି ଯେଉଁଥିରେ ସମସ୍ୟାର ସମାଧାନ ହୋଇପାରିବ । ତେବେ ୟୁକ୍ରେନ-ଋଷ ମଧ୍ୟରେ ମଧ୍ୟସ୍ଥତା କରିପାରିବ । ଏହା ସହ ସେ ଭାରତର କୂଟନୀତିକୁ ବେଶ୍ ପ୍ରଶଂସା ମଧ୍ୟ କରିଥିଲେ ।