TRFକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା, ଭାରତ ଟ୍ରମ୍ପଙ୍କୁ ନୁହେଁ ଏହି ନେତାଙ୍କୁ ଦେଲେ ଧନ୍ୟବାଦ
TRFକୁ ଆମେରିକା ଆତଙ୍କବାଦୀ ସଂଗଠନ ଘୋଷଣା ପରେ ବୟାନ ଦେଲେ ଜୟଶଙ୍କର ।
ନୂଆଦିଲ୍ଲୀ: ଆମେରିକା ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (TRF)କୁ ଏକ ବିଦେଶୀ ଆତଙ୍କବାଦୀ ସଂଗଠନ ଘୋଷଣା କରିଛି । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଆମେରିକାକୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ ଏହି ନିଷ୍ପତ୍ତି ପ୍ରମାଣ କରିଛି ଯେ ଭାରତ ଏବଂ ଆମେରିକା ଆତଙ୍କବାଦ ବିରୁଦ୍ଧରେ ଏକାଠି ଠିଆ ହୋଇଛ ନ୍ତି। ଜୟଶଙ୍କର ଶୁକ୍ରବାର X ରେ ଏକ ପୋଷ୍ଟ ସେୟାର କରି ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ।
ଏସ ଜୟଶଙ୍କର X ପୋଷ୍ଟରେ ଲେଖିଛନ୍ତି, ଏହା ଦୃଢ଼ ଭାବରେ ନିଶ୍ଚିତ ହୋଇଛି ଯେ ଭାରତ ଏବଂ ଆମେରିକା ଆତଙ୍କବାଦ ବିରୁଦ୍ଧରେ ଏକାଠି ଠିଆ ହୋଇଛନ୍ତି । ଲସ୍କର-ଏ-ତୈବା (LeT) ର ପ୍ରତିନିଧି ସଂଗଠନ TRF କୁ ଏକ ବିଦେଶୀ ଆତଙ୍କବାଦୀ ସଂଗଠନ (FTO) ଏବଂ ସ୍ୱତନ୍ତ୍ର ଭାବରେ ମନୋନୀତ ବିଶ୍ୱ ଆତଙ୍କବାଦୀ (SDGT) ଘୋଷଣା କରିଥିବା ମାର୍କୋ ରୁବିଓ ଏବଂ ଆମେରିକାକୁ ଧନ୍ୟବାଦ ।
TRF ଅନେକ ଆତଙ୍କବାଦୀ ଘଟଣା ଘଟାଇଛି- TRF ହେଉଛି ପାକିସ୍ତାନରୁ କାର୍ଯ୍ୟ କରୁଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ଏକ ମୋର୍ଚ୍ଚା, ଯାହା ଏପର୍ଯ୍ୟନ୍ତ ଅନେକ ଆତଙ୍କବାଦୀ ଘଟଣା ଘଟାଇଛି । TRF ମଧ୍ୟ ପହଲଗାମରେ ହୋଇଥିବା ଆକ୍ରମଣର ଦାୟିତ୍ୱ ନେଇଥିଲା। ଏଥିରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ । ଆମେରିକାର ଏହି ବଡ଼ ନିଷ୍ପତ୍ତି ପାକିସ୍ତାନ ପାଇଁ ଏକ ବଡ଼ ଧକ୍କା ହେବ । ପାକିସ୍ତାନ ପ୍ରତିଦିନ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର କରିଚାଲିଛି। TRFକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବା ପରେ ଏହାର ସମସ୍ୟା ବଢ଼ିବ।