fbpx

ନିରାଶ କଲେ ଭାରତୀୟ ବ୍ୟାଟସମ୍ୟାନ, କେପଟାଉନ୍ ଟେଷ୍ଟରେ ଦ. ଆଫ୍ରିକାର ପଲ୍ଲା ଭାରି

କେପଟାଉନ୍: ଦ୍ଵିତୀୟ ଟେଷ୍ଟର ଭୁଲ୍ରୁ କିଛି ଶିକ୍ଷାଲାଭ କରି ପାରିଲାନି ଭାରତ। ଫଳରେ କେପଟାଉନ୍ରେ ଖେଲାଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ନିର୍ଣ୍ଣାୟକ ମୁକାବିଲରେ ଘରୋଇ ଦକ୍ଷିଣ ଆଫ୍ରିକାର ପଲ୍ଲା ଭାରି ରହିଛି। ଭାରତ ଦ୍ଵିତୀୟ ଇନିଂସରେ ୧୯୮ରେ ଅଲଆଉଟ୍ ହେବା ସହ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ରହିଛି ୨୧୨ ରନର ବିଜୟ ଲକ୍ଷ୍ୟ। ଜବାବରେ ତୃତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଦକ୍ଷିଣ ଆଫ୍ରିକା ୨ ଓ୍ଵିକେଟ୍ ବିନିମୟରେ ୧୦୧ ରନ କରି ମଜବୁତ ସ୍ଥିତିରେ ରହିଛି। କ୍ରିଜରେ କିଗାନ ପିଟନରସନ(୪୮) ଖେଳୁଛନ୍ତି। ଡିନ ଏଲଗର(୩୦) ଆଉଟ୍ ହେବା ସହ ତୃତୀୟ ଦିନ ଖେଳର ପରିସମାପ୍ତି ଘଟିଛି। ଘରୋଇ ଦଳକୁ ମ୍ୟାଚ୍ ଜିତିବା ପାଇଁ ୧୧୧ ରନ ଆବଶ୍ୟକ ଥିବା ବେଳେ ଭାରତକୁ ଦରକାର ୮ ଓ୍ଵିକେଟ୍।

ତୃତୀୟ ଦିନରେ ଭାରତ ଋଷଭ ପନ୍ତଙ୍କ ଦମଦାର ଅପରାଜିତ ଶତକ ବଳରେ ୧୯୮ ରନ କରିବାକୁ ସକ୍ଷମ ହୋଇଛି। ଅଧିନାୟକ ବିରାଟ କୋହଲି(୨୯)ଙ୍କୁ ବାଦ୍ ଦେଲେ ବାକି କୌଣସି ବ୍ୟାଟସମ୍ୟାନ କ୍ରିଜରେ ତିଷ୍ଠି ପାରିନଥିଲେ। ଚେତେଶ୍ଵର ପୂଜାରା(୯) ଏବଂ ଆଜିଙ୍କ୍ୟ ରାହାଣେ(୧) ପୁଣି ଥରେ ଦଳକୁ ନିରାଶ କରିଛନ୍ତି। ୫୮ ରନରେ ୪ ଓ୍ଵିକେଟ୍ ହରାଇବା ପରେ ମଧ୍ୟ କ୍ରମରେ ଅଧିନାୟକ ବିରାଟ କୋହଲି ଏବଂ ପନ୍ତ କ୍ରିଜରେ ଜମି ଦଳକୁ ବିପର୍ଯ୍ୟୟରୁ ମୁକୁଳାଇବାକୁ ଚେଷ୍ଟା କରିଥିଲେ। କୋହଲି ଧୈର୍ଯ୍ୟର ସହ ବ୍ୟାଟିଂ କରିଥିବା ବେଳେ ପନ୍ତ ଦିନିକିଆ ଶୈଳୀରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଉଭୟ ପଞ୍ଚମ ଓ୍ଵିକେଟ୍ ପାଇଁ ୯୪ ରନ ଯୋଡିଥିଲେ।

କୋହଲି ୨୯ ରନ କରି ବ୍ୟକ୍ତିଗତ ସ୍କୋରରେ ଆଉଟ୍ ହେବା ପରେ ଭାରତ ବାକି ଓ୍ଵିକେଟ୍ ମାତ୍ର ୪୬ ରନରେ ହରାଇଥିଲା। ଗୋଟିଏ ପନ୍ତ ଦ୍ରୁତ ବ୍ୟାଟିଂ ଜାରି ରଖିଥିବା ବେଳେ ଅନ୍ୟପଟୁ କୌଣସି ସହଯୋଗ ମିଳିନଥିଲା। ତଥାପି ପନ୍ତ ନିଜ ଦମରେ ଚତୁର୍ଥ ଟେଷ୍ଟ ଶତକ ଅର୍ଜନ କରିଛନ୍ତି। ସେ ୧୩୯ ବଲ୍ରୁ ୬ ଚୌକା ଓ ୪ ଛକା ଜରିଆରେ ୧୦୦ ରନରେ ଅପରାଜିତ ଥିଲେ। ଭାରତ ୧୯୮ ରନରେ ଅଲଆଉଟ୍ ହୋଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜନସେନ ୪, ଲୁଙ୍ଗି ଏନଗିଡି ୩ ଓ କାଗିସୋ ରାବଡା ୩ଟି ଓ୍ଵିକେଟ୍ ନେଇଥିଲେ। ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୨୨୩ ରନ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ୨୧୦ରେ ଅଲଆଉଟ୍ ହୋଇଥିଲା।

Get real time updates directly on you device, subscribe now.