ସଚିନଙ୍କୁ ମିଳିଲା ବଡ଼ ସମ୍ମାନ, ମେଲବର୍ଣ୍ଣ ଟେଷ୍ଟ ବେଳେ MCCର ବଡ଼ ଘୋଷଣା

ସଚିନଙ୍କ ନାଁରେ ଆଉ ଏକ ରେକର୍ଡ଼ । କ୍ରିକେଟରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କଲା ମେଲବର୍ଣ୍ଣ କ୍ରିକେଟ୍ କ୍ଲବ୍ ।

ନୂଆଦିଲ୍ଲୀ: ମେଲବର୍ଣ୍ଣରେ ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ବକ୍ସିଂ ଡେ ଟେଷ୍ଟ ଜାରି ରହିଛି । ଏଥିମଧ୍ୟରେ ମେଲବର୍ଣ୍ଣ କ୍ରିକେଟ୍ କ୍ଲବ୍ (MCC) ଭାରତର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କୁ ସମ୍ମାନିତ କରିଛି ।

MCCର ସମ୍ମାନିତ ସଦସ୍ୟ ହେବା ପାଇଁ ସଚିନ ତେନ୍ଦୁଲକର ଏହାର ନିମନ୍ତ୍ରଣ ସ୍ୱୀକାର କରିଥିବା କଥା ‘ଏକ୍ସ’ରେ ଟ୍ୱିଟ୍ କରିଛି ଏହି କ୍ରିକେଟ୍ ସଂଗଠନ । କ୍ରିକେଟ୍ ପ୍ରତି ସଚିନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଗଉଉ ଏହି ସମ୍ମାନ ଘୋଷଣା କରିଛି ।

ଐତିହାସିକ MCC:
୧୮୩୮ରେ ମେଲବର୍ଣ୍ଣ କ୍ରିକେଟ୍ କ୍ଲବ୍ ପ୍ରତିଷ୍ଠା ହୋଇଥିଲା । ଅଷ୍ଟ୍ରେଲିଆର ସର୍ବୁ ପୁରାତନ କ୍ରୀଡ଼ା କ୍ଲବ ମଧ୍ୟରୁ MCC ଅନ୍ୟତମ ।
ମେଲବର୍ଣ୍ଣ କ୍ରିକେଟ୍ ମଇଦାନ(MCG) ପରିଚାଳନା ଏବଂ ବିକାଶ ପାଇଁ ଏହା ଉତ୍ତରଦାୟୀ ଅଟେ ।

ଅଭୁଲା ସଚିନ:

ମାଷ୍ଟର ବ୍ଲାଷ୍ଟର ଭାବେ ବେଶ୍ ଲୋକପ୍ରିୟ ଭାରତୀୟ ଦଳର ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର । ସେ ସର୍ବାଧିକ ଟେଷ୍ଟ ରନ୍ ସଂଗ୍ରହ କରିଛନ୍ତି । ସେ ଏକମାତ୍ର କ୍ରିକେଟ୍ ଖେଳାଳି ଯାହାଙ୍କ ନାଁରେ ୧୦୦ ଶତକ ରେକର୍ଡ଼ ରହିଛି । ମେଲବର୍ଣ୍ଣ କ୍ରିକେଟ୍ ମଇଦାନରେ ୫ଟି ଟେଷ୍ଟ ମ୍ୟାଚରେ ସେ ହାରାହାରି ୪୪.୯୦ ଏବଂ ୫୮.୬୯ ଷ୍ଟ୍ରାଇକ୍ ରେଟରେ ୪୪୯ ରନ୍ ସଂଗ୍ରହ କରିଥିଲେ । ଏହି ମଇଦାନରେ ସେ ଏକ ଶତକ ଏବଂ ୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ୨୦୧୨ରେ ତାଙ୍କୁ ଦେଶର ସବୋର୍ଚ୍ଚ ସମ୍ମାନ ମଧ୍ୟରେ ‘ଅର୍ଡ଼ର ଅଫ୍ ଅଷ୍ଟ୍ରେଲିଆ’ ପ୍ରଦାନ କରାଯାଇଥିଲା ।

ସଚିନ ଭାରତୀୟ ଦଳ ପାଇଁ ୨୦୦ଟି ଟେଷ୍ଟ ମ୍ୟାଚରେ ମୋଟ୍ ୧୫୯୨୧ ରନ୍ ସଂଗ୍ରହ କରିଛନ୍ତି । ଏଥିମଧ୍ୟରୁ ସେ ୫୧ଟି ଶତକ ହାସଲ କରିଛନ୍ତି । ୪୬୩ଟି ଦିନିକିଆ ମ୍ୟାଚରେ ସେ ୧୮୪୨୬ ରନ୍ କରିଥିବା ବେଳେ ୪୯ ଶତକ ହାସଲ କରିଛନ୍ତି । ଦେଶ ହେଉ କିମ୍ବା ବିଦେଶ ସେ ନିଜର ବ୍ୟାଟିଂ ଦକ୍ଷତା ପ୍ରମାଣିତ କରିଛନ୍ତି ।