fbpx
BJD
BJD SKY
BJD SKY

ଆଜିର ଦିନରେ ଇତିହାସ ରଚିଥିଲେ ସଚିନ ତେନ୍ଦୁଲକର, ପ୍ରଥମ ବ୍ୟାଟସମ୍ୟାନ ଭାବେ କରିଥିଲେ ୨୦୦ ରନ

ନୂଆଦିଲ୍ଲୀ: ଦୁନିଆର ମହାନ ବ୍ୟାଟର ସଚିନ ତେନ୍ଦୁଲକର ଆଜିର ଦିନରେ ଅର୍ଥାତ ୨୦୨୦ ଫେବୃଆରୀ ୨୪ରେ କ୍ରିକେଟ୍ ଇତିହାସରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଥିଲେ। କ୍ରିକେଟର ଭଗବାନ ନାମରେ ପ୍ରସିଦ୍ଧ ସଚିନ ଏହି ଦିନ କ୍ରିକେଟରେ ନୂତନ ଉପଲବ୍ଧି ହାସଲ କରିଥିଲେ। ଏମିତି କରିବାରେ ସେ ଦୁନିଆର ପ୍ରଥମ ବ୍ୟାଟସମ୍ୟାନ ହୋଇଥିଲେ। ଏହି ମହାନ ବ୍ୟାଟସମ୍ୟାନ ୨୦୨୦ ଫେବୃଆରୀ ୨୪ରେ ଗ୍ଵାଲିୟରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଅପରାଜିତ ୨୦୦ ରନର ଇନିଂସ ଖେଳିଥିଲେ। ସେ ବିଶ୍ଵ କ୍ରିକେଟ୍ ଇତିହାସରେ ୨୦୦ ରନ ଛୁଇଁବାରେ ଦୁନିଆର ପ୍ରଥମ ବ୍ୟାଟସମ୍ୟାନ। ଏହା ପୂର୍ବରୁ ଦିନିକିଆ ଇତିହାସରେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର କରିବାର ରେକର୍ଡ ପାକିସ୍ତାନର ସଇଦ ଅନଓ୍ଵର ଏବଂ ଜିମ୍ବାଓ୍ଵେର ଚାଲ୍ସ କଭେଣ୍ଟ୍ରିଙ୍କ ନାମରେ ଥିଲା।

ସଚିନ ସିରିଜର ଦ୍ଵିତୀୟ ଦିନିକିଆରେ ୧୪୭ ବଲରୁ ୨୫ ଚୌକା ଏବଂ ତିନି ଛକା ଜରିଆରେ ଅପରାଜିତ ୨୦୦ ରନ କରିଥିଲେ। ଭାରତ ଏହି ମୁକାବିଲାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ଓ୍ଵିକେଟ୍ ହରାଇ ୪୦୧ ରନର ବିଶାଳ ସ୍କୋର କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୪୨.୫ ଓଭରରେ ୨୪୮ ରନରେ ଅଲଆଉଟ୍ ହୋଇଥିଲା। ଭାରତ ମ୍ୟାଚକୁ ୧୫୩ ରନରେ ବିଜୟୀ ହୋଇଥିଲା। ଏହି ଐତିହାସିକ ଇନିଂସ ପାଇଁ ସଚିନଙ୍କୁ ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ କରାଯାଇଥିଲା।

ଦିନିକିଆ କ୍ରିକେଟ୍ ଇତିହାସରେ ସବୁଠୁ ଅଧିକ ୨୦୦ ରନ କରିବାର ରେକର୍ଡ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନାମରେ ରହିଛି। ରୋହିତ ଦିନିକିଆ କ୍ରିକେଟରେ ଏ ପର୍ଯ୍ୟନ୍ତ ତିନି ଥର ୨୦୦ରୁ ଉର୍ଦ୍ଧ୍ଵ ରନ କରି ସାରିଛନ୍ତି। ଦିନିକିଆ ଇତିହାସରେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର କରିବାର ରେକର୍ଡ ମଧ୍ୟ ରୋହିତ ଶର୍ମାଙ୍କ ନାମରେ ରହିଛି। ସେ କୋଲକାତାରେ ୨୦୧୪ ନଭେମ୍ବର ୧୩ରେ ଶ୍ରୀଲଙ୍କା ବିପକ୍ଷରେ ୨୬୪ ରନର ଇନିଂସ ଖେଳିଥିଲେ।

ଭାରତୀୟ ବ୍ୟାଟସମ୍ୟାନ ରୋହିତ ଏବଂ ସଚିନଙ୍କ ବ୍ୟତୀତ ବୀରେନ୍ଦ୍ର ସେହ୍ଵାଗ ମଧ୍ୟ ଦିନିକିଆରେ ଦ୍ଵିଶତକ ଅର୍ଜନ କରିଛନ୍ତି। ସେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଇନ୍ଦୋରରେ ୨୦୧୧ ଡିସେମ୍ବର ୮ରେ ୨୧୯ ରନ କରିଥିଲେ। ଭାରତୀୟ ବ୍ୟାଟସମ୍ୟାନଙ୍କ ବ୍ୟତୀତ ନ୍ୟୁଜିଲାଣ୍ଡର ମାର୍ଟିନ ଗୁପଟିଲ୍, ଓ୍ଵେଷ୍ଟଇଣ୍ଡିଜର କ୍ରିସ ଗେଲ୍ ଏବଂ ପାକିସ୍ତାନର ଫକର ଜମାନ ମଧ୍ୟ ଦିନିକିଆରେ ଦ୍ଵିଶତକ କରିଛନ୍ତି।

Get real time updates directly on you device, subscribe now.