fbpx

୧୪ ବର୍ଷ ତଳେ ବିଶ୍ୱ କ୍ରିକେଟକୁ ନୂଆ ଶିକ୍ଷା ଦେଇଥିଲେ ସଚିନ: ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ସ୍ଥାପନ କରିଥିଲେ ‘୨୦୦’ ରନ କ୍ଲବ

Advertisement

ନୂଆଦିଲ୍ଲୀ: ଆଜିର ମଣିଷ ଅସମ୍ଭବକୁ ସମ୍ଭବ କରିପାରୁଛି । କିଏ ସାଧାରଣ କାର୍ଯ୍ୟକୁ କରିବାରେ ଅକ୍ଷମ ତ କିଏ ଅସାଧାରଣ କାର୍ଯ୍ୟ କରି ଇତିହାସ ରଚୁଛି । ସବୁଠାରୁ ବଡ଼ କଥା ହେଉଛି, ଯେଉଁ କଥାକୁ ସାରା ବିଶ୍ୱ ଅସମ୍ଭବ ବୋଲି ଭାବୁଥିବ ତାହାକୁ ଯଦି କୌଣସି ବ୍ୟକ୍ତି ହାସଲ କରିଦିଅନ୍ତି ତେବେ ତା’ ପରଠାରୁ ଉକ୍ତ କାର୍ଯ୍ୟ ସମସ୍ତଙ୍କ ପାଇଁ ସମ୍ଭବ ଓ ସହଜ ହୋଇଯାଇଯାଇଥାଏ । ବିଶ୍ୱ କ୍ରୀଡ଼ାକାଶରେ ଏଭଳି ଅନେକ କୀର୍ତ୍ତିମାନ ରଚି କ୍ରିକେଟ ଜଗତକୁ ନୂଆ ଶିକ୍ଷା ଦେଇଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ।

ଆଜିର ଦିନରେ ସଚିନ ଏ ବିଶ୍ୱ କ୍ରୀଡ଼ାଭୂମିରେ ଲେଖିଥିଲେ ନୂଆ କୀର୍ତ୍ତିମାନ । ଇତିହାସ ତାକୁ ମନେରଖେ ଯିଏ କିଛି ନୂଆ କରେ । ସଚିନଙ୍କ ପୂର୍ବରୁ ବିଶ୍ୱର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦିନିକିଆ କ୍ରିକେଟ ଇତିହାସରେ ୨୦୦ ରନ୍ ସଂଗ୍ରହ କରିପାରିନଥିଲେ । ଅନେକ ବ୍ୟାଟ୍ସମ୍ୟାନ ୧୯୦ ପାଖାପାଖି ଯାଇ ଆଉଟ୍ ହୋଇଯାଇଥିଲେ । ୨୦୧୦ ମସିହା ଫେବୃଆରୀ ମାସ ୨୪ ତାରିଖ ଦିନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସଚିନ ଦିନିକିଆରେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଦ୍ୱିତଶତକ ଅର୍ଜନ କରିଥିଲେ ।

ସଚିନଙ୍କ ପୂର୍ବରୁ ଏହି ମାଇଲଖୁଣ୍ଟ ପ୍ରତ୍ୟେକ ବ୍ୟାଟ୍ସମ୍ୟାନଙ୍କ ପାଇଁ ଦୁଃସ୍ୱପ୍ନ ପାଲଟିଥିଲା । ମାତ୍ର ଥରେ ସଚିନ ସେହି ରେକର୍ଡକୁ ଛୁଇଁବା ପରେ ବିଶ୍ୱର ପରବର୍ତ୍ତୀ ପୀଢ଼ିର ଅନେକ କ୍ରିକେଟର ଦ୍ୱିଶତକ ହାସଲ କରିପାରିଛନ୍ତି । ସେମାନଙ୍କ ମଧ୍ୟରେ ବିରେନ୍ଦ୍ର ସେହୱାଗ, ରୋହିତ ଶର୍ମା, ଏମଜି ଗୁପ୍ଟିଲ, ଫଖର ଜାମନ, କ୍ରିସ ଗେଲ, ଶୁବମନ ଗିଲ, ଗ୍ଲେନ ମାକ୍ସୱେଲ ଏପରି ୧୨ ଜଣ କ୍ରିକେଟ ୨୦୦ କ୍ଲବରେ ସାମିଲ ହୋଇ ପାରିଛନ୍ତି ଓ ଆଗକୁ ମଧ୍ୟ ଅନେକ ଏଥିରେ ସାମିଲ ହେବେ ।

ବର୍ଷ ବର୍ଷ ଧରି ଯେଉଁ କ୍ଲବକୁ ବିଶ୍ୱର କୌଣସି ବ୍ୟାଟ୍ସମ୍ୟାନ ଛୁଇଁପାରୁନଥିଲେ ଗତ ୧୪ ବର୍ଷ ମଧ୍ୟରେ ତାହା ଏକ ସହଜସାଧ୍ୟ ରେକର୍ଡରେ ପରିଣତ ହୋଇପାରିଛି କହିଲେ ଚଳେ । ଦିନିକିଆରେ ୨୦୦ ରନ୍ କରିବା ଅସମ୍ଭବ ନୁହେଁ ବୋଲି ବିଶ୍ୱ କ୍ରିକେଟକୁ ସଚିନ ଶିକ୍ଷା ଦେଇଯାଇଛନ୍ତି । ସେଥିପାଇଁ ସଚିନଙ୍କ ପଦାଙ୍ଗ ଅନୁସରଣ କରି ଆଜିର ଯୁବ କ୍ରିକେଟରମାନେ ସହଜରେ ୨୦୦ ରନ୍ ସଂଗ୍ରହ କରିପାରୁଛନ୍ତି । କେବଳ କ୍ରିକେଟରେ ନୁହେଁ, ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆମେମାନେ ଏହି ଚିନ୍ତାଧାରା ଦେଇ ଆଗକୁ ବଢ଼ିବା ଆବଶ୍ୟକ । ଆଜି ପର୍ଯ୍ୟନ୍ତ ଯାହା ଅସମ୍ଭବ ବୋଲି ସାରା ବିଶ୍ୱ ଜାଣିଛି ତାହାକୁ ଯିଏ ସମ୍ଭବ କରିପାରିବ ତା’ର ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ସଚିନଙ୍କର ୧୪ ବର୍ଷ ତଳର ସେହି ପୁରୁଣା ରେକର୍ଡ ଆମ ସମସ୍ତଙ୍କୁ ନୂଆ ପ୍ରେରଣା ଯୋଗାଇଛି ।

Get real time updates directly on you device, subscribe now.