fbpx

ସଲମାନ ଖାନ ଡ୍ରଗ୍ସ ନିଅନ୍ତି, ଅମିରଙ୍କ ବିଷୟରେ ଜାଣିନି; ବାବା ରାମଦେବଙ୍କ ଚାଞ୍ଚଲ୍ୟକର ଦାବି

ନୂଆଦିଲ୍ଲୀ: ସଲମାନ ଖାନ ଡ୍ରଗ୍ସ ନିଅନ୍ତି। ଅମିର ଖାନଙ୍କ ବିଷୟରେ ତ ଜାଣିନି। ମାତ୍ର କିଏ ଜାଣିଛି କେତେ ଫିଲ୍ମ ତାରକା ଡ୍ରଗ୍ସ ସେବନ କରୁଛନ୍ତି। ବଲିଉଡ ହସ୍ତୀଙ୍କ ଉପରେ ଏମିତି ସଙ୍ଗୀନ ଅଭିଯୋଗ ଏବଂ ବଲିଉଡ- ଡ୍ରଗ୍ସ ମଧ୍ୟରେ ଗମ୍ଭୀର ସଂପର୍କ ଥିବା ଦାବି କରି ଏମିତି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ବାବା ରାମଦେବ। ଉତ୍ତର ପ୍ରଦେଶରେ ମାଦକ ଦ୍ରବ୍ୟ ବିରୋଧରେ ଏକ ଅଭିଯାନର ଆରମ୍ଭ କରିବା ଉପଲକ୍ଷେ ଏହା କହିଛନ୍ତି ରାମଦେବ।

ମୁରାଦାବାଦରେ ଏକ ସଭାକୁ ସମ୍ବୋଧିତ କରି ଯୋଗ ଗୁରୁ କହିଛନ୍ତି, ଶାହରୁଖ ଖାନଙ୍କ ପୁଅ ଏକ ଡ୍ରଗ ପାର୍ଟିରେ ଡ୍ରଗ୍ସ ସହ ଧରା ପଡିଥିଲା। ସେ ଜେଲ୍ ବି ଗଲା। କେବଳ ଏତିକି ନୁହେଁ ସଲମାନ ଖାନ ବି ଡ୍ରଗ୍ସ ସେବନ କରନ୍ତି। ମୁଁ ଅମିର ଖାନଙ୍କ ବିଷୟରେ କହି ପାରିବି ନାହିଁ। ଭଗବାନ ଏହି ସବୁ ଅଭିନେତାଙ୍କ ବିଷୟରେ ଜାଣିଥିବେ।

ରାମଦେବ କହିଛନ୍ତି, କିଏ ଜାଣିଛି କେତେ ଫିଲ୍ମ ତାରକା ଡ୍ରଗ୍ସ ସେବନ କରୁଛନ୍ତି। ଅଭିନେତ୍ରୀମାନଙ୍କ ସ୍ଥିତି ତ ଆହୁରି ଖରାପ। ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁ ଜାଗାରେ ଡ୍ରଗ୍ସର ମାୟାଜାଲ ରହିଛି। ବଲିଉଡରେ ଡ୍ରଗ୍ସ ଚାଲିଛି। ରାଜନୀତିରେ ବି ଡ୍ରଗ୍ସ। ତେବେ ରାମଦେବଙ୍କ ଏମିତି ମନ୍ତବ୍ୟ ଉପରେ ଅଦ୍ୟାବଧି କୌଣସି ପକ୍ଷରୁ ପ୍ରତିକ୍ରିୟା ଆସିନାହିଁ।

ଯୋଗ ଗୁରୁ ଏହା ମଧ୍ୟ କହିଛନ୍ତି, ନିର୍ବାଚନ ସମୟରେ ମଦ ବଣ୍ଟା ଯାଉଛି। ଆମକୁ ସଂକଳ୍ପ ନେବା ଉଚିତ୍ ଯେ, ଭାରତକୁ ପ୍ରତିଟି ନିଶାରୁ ମୁକ୍ତ କରିବା ଉଚିତ୍। ଏଥିପାଇଁ ଆମେ ଏକ ଆନ୍ଦୋଳନ ଆରମ୍ଭ କରିବୁ। ସୂଚନାଯୋଗ୍ୟ, ଗତ ବର୍ଷ ଡ୍ରଗ୍ସ-ଅନ-କ୍ରୁଜ ମାମଲାରେ ଗିରଫ ହୋଇଥିଲେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର‌୍ୟ୍ୟନ ଖାନ। ତେବେ ପ୍ରମାଣ ଅଭାବରୁ ସେ ସମସ୍ତ ଅଭିଯୋଗରୁ ମୁକ୍ତ ହୋଇଥିଲେ। ୨୦ ଦିନ ଜେଲରେ ରହିବା ପରେ ତାଙ୍କୁ ଜାମିନ ମିଳିଥିଲା।

Get real time updates directly on you device, subscribe now.