fbpx

ଗ୍ରାହକଙ୍କୁ ନିଆରା ଅଫର୍‌ ଦେଲେ ସେଲୁନ୍‌ ମାଲିକ, ଟିକା ନେଇଥିଲେ ମାଗଣାରେ କାଟି ହେବ ଦାଢ଼ି ଓ କେଶ

ବିହାର (ଓଡ଼ିଶା ଭାସ୍କର) : ବିହାର ସ୍ଥିତ ଦରଭଙ୍ଗା ଜିଲ୍ଲାର ଜଣେ ସେଲୁନ୍‌ ମାଲିକ ନିଜ ଗ୍ରାହକଙ୍କୁ ନିଆରା ଅଫର୍‌ ଦେଉଛନ୍ତି । ଟିକା ନେଇଥିବା ଗ୍ରାହକଙ୍କର କେଶ ଓ ଦାଢ଼ି ସେ ମାଗଣା କାଟୁଛନ୍ତି । ଦରଭଙ୍ଗା ସହରର ବାଇତା ଛକରେ ଶମ୍ଭୁ କୁମାର ଠାକୁରଙ୍କର ସେଲୁନ୍‌ ରହିଛି । ନିଜ ଜିଲ୍ଲାରେ ଟିକାକରଣ ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ମାଗଣା ସେବା ଦେଉଛନ୍ତି ବୋଲି ଶମ୍ଭୁ କହିଛନ୍ତି । ଯେଉଁମାନେ ମାଗଣା ସେବା ଚାହୁଁଛନ୍ତି, ସେମାନେ ନିଜର ଟିକାକରଣର ପ୍ରମାଣପତ୍ର କିମ୍ବା ଟିକା ନେବା ସମୟରେ ଉଠାଇଥିବା ଫଟୋ ଦେଖାଇବା ଆବଶ୍ୟକ ବୋଲି ସେ କହିଛନ୍ତି ।

ତାଙ୍କ କହିବା ଅନୁସାରେ, ଟିକାକରଣ ଅଭିଯାନ ବିଷୟରେ ଲୋକଙ୍କୁ ସୂଚନା ଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ନିଜର ସାମର୍ଥ୍ୟ ଅନୁସାରେ ଆମେ ମଧ୍ୟ ଲୋକଙ୍କୁ ସଚେତନା କରିବାକୁ ନିଷ୍ପତ୍ତି ନେଲୁ । ଏବେ ସୁଦ୍ଧା ଆମେ ୨୦୦ରୁ ଅଧିକ ଗ୍ରାହକଙ୍କୁ ମାଗଣା ସେବା ପ୍ରଦାନ କରିସାରିଛୁ । ଆମର ଅଫର୍‌ ବିଷୟରେ ଲୋକଙ୍କୁ ଜଣାଇବା ପାଇଁ ସେଲୁନ୍‌ ବାହାରେ ଆମେ ଏକ ବୋର୍ଡ ମଧ୍ୟ ଲଗାଇଛୁ ।’ ଶମ୍ଭୁଙ୍କର ଏହି ନିଆରା ପ୍ରୟାସକୁ ସ୍ଥାନୀୟ ଲୋକେ ଖୁବ୍‌ ପ୍ରଶଂସା କରୁଛନ୍ତି । ଟିକା ନେବାକୁ ଚାହୁଁନଥିବା ଲୋକେ ମାଗଣା ଅଫର୍‌ ବିଷୟରେ ଶୁଣି ଟିକା କେନ୍ଦ୍ରରେ ପହଞ୍ଚୁଛନ୍ତି ।

Get real time updates directly on you device, subscribe now.