fbpx

ମୁଲାୟମ ସିଂହ ଯାଦବଙ୍କୁ ଭାରତ ରତ୍ନ ଦେବାକୁ ଉଠିଲା ଦାବି, ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ସପା ନେତା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦେଶର ପ୍ରତିରକ୍ଷା ମନ୍ତ୍ରୀ ରହିଥିବା ଦିବଙ୍ଗତ ନେତା ମୁଲୟମ ସିଂହ ଯାଦବଙ୍କୁ ଭାରତ ରତ୍ନ ଦେବାକୁ ଦାବି ଉଠିଛି। ସମାଜବାଦୀ ପାର୍ଟିର ମୁଖପାତ୍ର ଆଇପି ସିଂହ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ମୁଲାୟମଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଉ ବୋଲି ଦାବି କରିଛନ୍ତି। ନିଜ ଚିଠିରେ ଆଇପି ସିଂହ ଲେଖିଛନ୍ତି, ଧରତୀପୁତ୍ର ମୁଲାୟମ ସିଂହ ଯାଦବ ହେଉଛି ସେହି ନାମ ଯାହା ଭାରତ ରତ୍ନର ଶୋଭାକୁ ଆହୁରି ବଢାଇବ। ନେତାଜୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିବାକୁ ଅବିଳମ୍ବେ ଘୋଷଣା କରାଯାଉ ବୋଲି ସେ ଦାବି କରିଛନ୍ତି।

ଆଇପି ସିଂହ କହିଛନ୍ତି, ସମାଜବାଦର ସ୍ଵର୍ଣ୍ଣିମ ଅଧ୍ୟାୟ ଆଦରଣୀୟ ନେତାଜୀଙ୍କ ନିଧନ ସହ ପୂରା ଦେଶରେ ଶୋକର ଲହରି ଖେଳି ଯାଇଛି। ମୋର ମହାମହିମ ରାଷ୍ଟ୍ରପତିଙ୍କୁ ଅନୁରୋଧ ଯେ, ତାଙ୍କୁ ଭଲ ପାଉଥିବା ଲୋକଙ୍କ ଭାବନାର ସମ୍ମାନ କରି ଅବିଳମ୍ବେ ଭାରତ ରତ୍ନରେ ସମ୍ମାନିତ କରାଯାଉ। ଗରିବଙ୍କ ମସିହା ପ୍ରତି ଏହା ସତ୍ୟ ଶ୍ରଦ୍ଧାଞ୍ଜଳୀ ହେବ। ଏମିତି ହେଲେ ସେହି ବ୍ୟକ୍ତିମାନଙ୍କୁ ସାହାସ ମିଳିବ ଯେଉଁମାନେ ଶୋଷଣ ବିରୋଧରେ ସ୍ଵର ଉତ୍ତୋଳନ କରିବାକୁ ଚାହାନ୍ତି। ନେତାଜୀ ଆଜୀବନ ସାମାଜିକ ନ୍ୟାୟ ଲାଗି ଲଢେଇ କରି ଆସିଥିଲେ। ନିଜର ସର୍ବସ୍ଵ ଦେଶ ହିତ ପାଇଁ ଉତ୍ସର୍ଗୀକୃତ କରିଥିଲେ। ଆଜୀବନ ଗରିବ କଲ୍ୟାଣରେ ନିଜକୁ ନିୟୋଜିତ କରିଥିଲେ ବୋଲି ସମାଜବାଦୀ ପାର୍ଟିର ମୁଖପାତ୍ର ଆଇପି ସିଂହ କହିଛନ୍ତି।

ଏଥିସହିତ ଆଇପି ସିଂହ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ ଓ୍ଵେକୁ ମୁଲାୟମ ସିଂହ ଯାଦବଙ୍କ ନାମରେ ନାମକରଣ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରିଛନ୍ତି। ଏହି ରାଜମାର୍ଗର ଶିଳାନ୍ୟାସ୍ ଏବଂ ଉଦଘାଟନ ନେତାଜୀ ମୁଲାୟମ ସିଂହ ଯାଦବ କରିଥିଲେ, ଯାହା ରେକର୍ଡ ସମୟରେ ନିର୍ମାଣ ହୋଇ ପାରିଛି।

Get real time updates directly on you device, subscribe now.