fbpx

ନିର୍ବାଚନ ପୂର୍ବରୁ ପୁଣି ଲାଗିଲା ଝଟକା: ବିଜେଡିରୁ ଇସ୍ତଫା ଦେଲେ ସନ୍ଧ୍ୟାବତୀ ପ୍ରଧାନ

ଓଡ଼ିଶା ଭାସ୍କର: ଜଣଙ୍କ ପରେ ଜଣେ ନେତା ବିଜେଡିରୁ ଇସ୍ତଫା ଦେବାରେ ଲାଗିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିକୁ ଲଗାତାର ବଡ଼ ଝଟକା ଲାଗୁଥିବା ଦେଖିବାକୁ ମିଳୁଛି। ତେବେ ଏହା ମଧ୍ୟରେ ଆଉ ଜଣେ ବିଜେଡିର ବରିଷ୍ଠ ନେତ୍ରୀ ଦଳ ଛାଡିଛନ୍ତି। ପୂର୍ବତନ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।

ସୂଚନା ଥାଉକି, ପୁରୀ ଜିଲ୍ଲାର ଜଣେ ବରିଷ୍ଠ ବିଜେଡି ନେତ୍ରୀ ଥିଲେ ସନ୍ଧ୍ୟାବତୀ। ପୁରୀ ଜିଲ୍ଲା ପରିଷଦର ପୂର୍ବତନ ଉପାଧ୍ୟକ୍ଷ, ପୂର୍ବତନ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସହ ଏକାଧିକ କମିଟିର ବି ସେ ଦାୟିତ୍ୱ ସମ୍ଭାଳିଥିଲେ। କିନ୍ତୁ ହଠାତ ଆଜି ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି।

ତେବେ ଇସ୍ତଫା ପତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ସନ୍ଧ୍ୟାବତୀ ଲେଖିଛନ୍ତି, ମୁଁ ଖୁବ୍ ଦୁଃଖର ସହିତ ଦଳରୁ ଇସ୍ତଫା ଦେଉଛି। କାରଣ ମୁଁ ଅନୁଭବ କରୁଛି ଯେ ଏକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଆପଣଙ୍କୁ ଘେରି ରହୁଥିବାରୁ ଆମ ସ୍ୱର ଆପଣଙ୍କ ପାଖରେ ପହଞ୍ଚି ପାରୁନାହିଁ। ଆମର ଅଭିଯୋଗ ଓ ପରାମର୍ଶ ଆଦି ଶୁଣିବାକୁ ଆପଣଙ୍କ ଦ୍ୱାର ଆମ ପାଇଁ ପୂରା ବନ୍ଦ ଭଳି ଅନୁଭବ ହେଉଥିବା ସେ କ୍ଷୋଭର ସହ ଲେଖିଛନ୍ତି। ସେ ନିଜ ଇସ୍ତଫାପତ୍ରରେ ଆହୁରି ଉଲ୍ଲେଖ କରିଛନ୍ତି, ମୋତେ ଯେଉଁ କାମ ଦିଆଯାଇଛି, ତାକୁ ମୁଁ ସୂଚରୂ ରୂପେ ତୁଲାଇଛି। ମହିଳା ସଶକ୍ତିକରଣ ଓ ଶିଶୁ ଅଧିକାର ସୁରକ୍ଷା ଦିଗରେ ମୋତେ ଯେଉଁ ଦାୟିତ୍ୱ ଦିଆଯାଇଥିଲା, ତାକୁ ମୁଁ ଆପଣଙ୍କ ନିର୍ଦ୍ଦେଶ ଓ ପରାମର୍ଶକ୍ରମେ ଭଲ ଭାବେ ସଂପାଦନ କରିଛି। ଏବେ ମୁଁ ଦଳର ସ୍ଥିତି ଦେଖି ଆଶ୍ଚର୍ୟ୍ୟ ହୋଇଯାଇଛି। ତେଣୁ ମୁଁ ଦୁଃଖର ସହିତ ବିଜୁ ଜନତା ଦଳରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଲି।

Get real time updates directly on you device, subscribe now.