fbpx

ଜେଲ୍‌ରେ ଭୋଜନକୁ ନେଇ ସତ୍ୟେନ୍ଦ୍ର ଜୈନଙ୍କ ଅଭିଯୋଗ, ଆଜି ନିଷ୍ପତ୍ତି ଶୁଣାଇବେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲ୍‌ରେ ବନ୍ଦୀ ଥିବା ଆମ୍ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନଙ୍କ ଭୋଜନକୁ ନେଇ ଦିଲ୍ଲୀର ଏକ ଅଦାତଲ ଆଜି ନିଜର ନିଷ୍ପତ୍ତି ଶୁଣାଇବେ। ସତ୍ୟେନ୍ଦ୍ର ଜୈନ ଅଦାଲତରେ ଅପିଲ୍ କରିଛନ୍ତି ଯେ, ତାଙ୍କର ଧାର୍ମିକ ପରମ୍ପରା ହିସାବରେ ଜେଲ୍‌ରେ ଖାଇବାକୁ ଦିଆଯାଉ। ଏହି ଅପିଲ୍ ରାଉଜ ଏଭେନ୍ୟୁ କୋର୍ଟରେ ସ୍ଵତନ୍ତ୍ର ବିଚାରପତିଙ୍କ ନିକଟରେ ନଭେମ୍ବର ୨୧ରେ କରାଯାଇଥିଲା।

ସୂଚନାଯୋଗ୍ୟ, ଜେଲ୍‌ରେ ସତ୍ୟେନ୍ଦ୍ର ଜୈନଙ୍କ ଭୋଜନ ଏବଂ ସ୍ଵତନ୍ତ୍ର ଆତିଥ୍ୟକୁ ନେଇ ବିବାଦ ଉଠିଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସି ସାରିଛି। ଜେଲ୍‌ରେ କିଭଳି ତାଙ୍କୁ ଭିଆଇପି ଟ୍ରିଟମେଣ୍ଟ ଦିଆଯାଉଛି ତାକୁ ନେଇ ବିଜେପି  କଡା ସମାଲୋଚନା କରିଛି। ଅଦାଲତରେ ଦାଖଲ ଯାଚିକାରେ ଜୈନ କହିଛନ୍ତି ଧାର୍ମିକ ମାନ୍ୟତା ହିସାବରେ ତାଙ୍କୁ ଖାଇବାକୁ ଦିଆଯାଉ। ଜେଲ୍‌ରେ ରହିବା କାରଣରୁ ସେ ମନ୍ଦିର ଯାଇ ପାରୁ ନାହାନ୍ତି। ଆଉ ସେ ଉପବାସରେ ଅଛନ୍ତି। ତେଣୁ ତାଙ୍କୁ ଭୋଜନରେ ଡାଲି, ରୋଟି ଏବଂ କ୍ଷୀର ମିଳିବା ଉଚିତ୍, ଯାହା ଜେଲ୍‌ରେ ଦିଆଯାଉ ନାହିଁ।

ଉଲ୍ଲେଖନୀୟ ସ୍ବତନ୍ତ୍ର ନ୍ୟାୟାଧୀଶ ବିକାଶ ଢୁଲ୍ ଗୁରୁବାର ଏହି ମାମଲାରେ ଲମ୍ଵା ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି। ଆଜି ଏହା ଉପରେ କୋର୍ଟ ନିଜର ନିଷ୍ପତ୍ତି ଶୁଣାଇବେ। ଏହା ପୂର୍ବରୁ ଜେଲ୍‌ରେ ସତ୍ୟେନ୍ଦ୍ର ଜୈନଙ୍କ ଦେହ ମାଲିସ ମାମଲାକୁ ନେଇ ରାଜନୀତି ଜୋର ଧରିଛି। ଏହାକୁ ନେଇ ମୁହାଁମୁହିଁ ବିଜେପି ଏବଂ ଆପ୍।

Get real time updates directly on you device, subscribe now.