fbpx

ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିଗିଡ଼ିଲା ସ୍ୱାସ୍ଥ୍ୟ ଅବସ୍ଥା, ଅକ୍ସିଜେନ୍ ସପୋର୍ଟରେ ରଖିଛନ୍ତି ଡାକ୍ତର

ନୂଆଦିଲ୍ଲୀ: ଦିଲ୍ଲୀର କେଜ୍ରିୱାଲ ସରକାରଙ୍କ ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି । ଗୁରୁବାର ସକାଳେ ବାଥରୁମରେ ପଡ଼ିଯିବା କାରଣରୁ ତାଙ୍କୁ ପ୍ରଥମେ ଦିନ୍ ଦୟାଲ ଉପାଧ୍ୟାୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସୂଚନାନୁସାରେ ବର୍ତ୍ତମାନ ତାଙ୍କ ଅବସ୍ଥା ବିଗିଡି ଯାଇଛି, ଏହା ପରେ ତାଙ୍କୁ ଅକ୍ସିଜେନ୍ ସପୋର୍ଟରେ ରଖାଯାଇ ଏଲଏନଜେପି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଗୁରୁବାର ସକାଳେ ବାଥରୁମରେ ପଡ଼ିଥିଲେ:-
ଗତ ଏକ ବର୍ଷ ଧରି ତିହାର ଜେଲରେ ରହୁଥିବା ସତ୍ୟେନ୍ଦ୍ର ଜୈନଙ୍କୁ ଦୁର୍ବଳତା କାରଣରୁ ଜେଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗୁରୁବାର ଦିନ ପ୍ରାୟ ୬ ଟା ବେଳେ ସେ ଜେଲ ବାଥରୁମରେ ପଡ଼ିଯାଇଥିଲେ । ଏହା ପରେ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରି ଜାଣିବାକୁ ପାଇଲେ ଯେ ସମସ୍ତ ଅଙ୍ଗ ଠିକ୍ ଭାବରେ କାମ କରୁଛି । ଜୈନ କିନ୍ତୁ ତାଙ୍କ ଗୋଡ, ପିଠି ଏବଂ କାନ୍ଧରେ ଯନ୍ତ୍ରଣା ଅନୁଭବ କରୁଥିବା କହିଥିଲେ । ଏହା ପରେ ତାଙ୍କୁ ଦିଲ୍ଲୀର ଦିନ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଡାକ୍ତରଖାନାରେ ଅକ୍ସିଜେନ୍ ସହାୟତା ରଖାଯାଇଥିଲା :-
ପରେ ଯେତେବେଳେ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଲା, ତାଙ୍କୁ ଏଲଏନଜେପି ଡାକ୍ତରଖାନାକୁ ପଠାଗଲା । ଯେଉଁଠାରେ ତାଙ୍କୁ ଅକ୍ସିଜେନ୍ ସପୋର୍ଟ ରଖାଯାଇଛି । ଆମ୍ ଆଦମୀ ପାର୍ଟି ନେତାଙ୍କ ଅନୁଯାୟୀ ସତ୍ୟେନ୍ଦ୍ର ଜୈନ ସ୍ଲିପ୍ ଡିସ୍କ ଯୋଗୁଁ ବହୁତ ଯନ୍ତ୍ରଣା ଭୋଗୁଛନ୍ତି । ଏହି ଯନ୍ତ୍ରଣା ତଳରୁ ଉପରକୁ ଯାଏ, ଯେଉଁ କାରଣରୁ ଚାଲିବା କଷ୍ଟକର ହୋଇଯାଏ । ଏହି କାରଣରୁ ନିଶ୍ୱାସ ନେବା ଏବଂ କୌଣସି କାମ କରିବାରେ ଅସୁବିଧା ହୁଏ ।

ତେବେ ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଗତ ବର୍ଷ ୩୦ ମେ’ ୨୦୨୨ ରେ ଇଡି ଗିରଫ କରିଥିଲା । ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ତାଙ୍କୁ ଗିରଫ କରାଯାଇଥିଲା । ଫେବୃଆରୀ ୨୦୧୪ ରୁ ମେ ୨୦୧୭ ମଧ୍ୟରେ ବିଭିନ୍ନ ନାମରେ ବିଭିନ୍ନ ସମ୍ପତ୍ତି କିଣିବା ଅଭିଯୋଗରେ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏହି ପ୍ରସଙ୍ଗରେ ସତ୍ୟନ୍ଦ୍ର ଜୈନ ଚଳିତ ବର୍ଷ ମେ ୧୫ ରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହି ଆବେଦନରେ ସେ ଜାମିନ ପ୍ରଦାନ କରିବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି । ତେବେ ସେହି ଆବେଦନ ଉପରେ କୋର୍ଟ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି ।

Get real time updates directly on you device, subscribe now.