fbpx

ମହାତ୍ମା ଗାନ୍ଧୀଙ୍କ ହତ୍ୟା ପାଇଁ ଗୋଡସେଙ୍କ ବନ୍ଧୁକ ଖୋଜିବାରେ ସାହାଯ୍ୟ କରିଥିଲେ ସଭରକର: ତୁଷାର ଗାନ୍ଧୀ

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାରେ ସାମିଲ୍ ଥିଲେ ସ୍ଵାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସଭରକର। ଏମିତି ସଙ୍ଗୀନ ଅଭିଯୋଗ କରିଛନ୍ତି ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀ। ସେ ଦୃଢତାର ସହ କହିଛନ୍ତି, ବାପୁଙ୍କ ହତ୍ୟା ପାଇଁ ନାଥୁରାମ ଗୋଡସେଙ୍କୁ ବନ୍ଧୁକ ଖୋଜିବାରେ ସଭରକର ସାହାଯ୍ୟ କରିଥିଲେ। ମହାରାଷ୍ଟ୍ର ରାଜ୍ୟ ବିଜେପି ତୁଷାର ଗାନ୍ଧୀଙ୍କ ଏମିତି ଟିପ୍ପଣୀକୁ ନିରାଧାର ଏବଂ ଭିତ୍ତିହୀନ ବୋଲି କହିଛି।

ତୁଷାର ଗାନ୍ଧୀ ଟ୍ଵିଟ୍ କରି କହିଛନ୍ତି, ସଭରକର କେବଳ ଇଂରେଜଙ୍କୁ ସାହାଯ୍ୟ  କରିନଥିଲେ, ସେ ବାପୁଙ୍କ ହତ୍ୟା ଲାଗି ନାଥୁରାମ ଗୋଡସେଙ୍କୁ ଏକ ବନ୍ଧୁକ ଖୋଜିବାରେ ବି ସାହାଯ୍ୟ କରିଥିଲେ। ବାପୁଙ୍କ ହତ୍ୟାର ଦୁଇ ଦିନ ପୂର୍ବ ପର‌୍ୟ୍ୟନ୍ତ ଗୋଡସେଙ୍କ ନିକଟରେ ସେମିତି କୌଣସି  ହତିଆର ନଥିଲା।

ସୂଚନାଯୋଗ୍ୟ, ତୁଷାର ଗାନ୍ଧୀ ଗତ ଶୁକ୍ରବାର ରାହୁଲ ଗାନ୍ଧୀଙ୍କ ସହିତ ଭାରତ ଯୋଡୋ ଯାତ୍ରାରେ ସାମିଲ୍ ହୋଇଥିଲେ। ଏହି ସମୟରେ ସେ ସଭରକରଙ୍କୁ ନେଇ ରାହୁଲ ଦେଇଥିବା ବୟାନର ସମର୍ଥନ କରିଥିଲେ। ତୁଷାର କହିଛନ୍ତି, ରାହୁଲ ଯାହା କହିଛନ୍ତି ତାର ଐତିହାସିକ ପ୍ରମାଣ ରହିଛି। ସଭରକର ଇଂରେଜଙ୍କ ବନ୍ଧୁ ଥିଲେ ଏବଂ ଜେଲରୁ ମୁକୁଳିବା ପାଇଁ କ୍ଷମା ଯାଚନା କରିଥିଲେ। ଏହା କୌଣସି ହ୍ଵାଟ୍ସଆପ ୟୁନିର୍ଭସିଟିର ଜ୍ଞାନ ନୁହେଁ ବୋଲି ଗାନ୍ଧୀ ଜୀଙ୍କ ଅଣନାତି କହିଛନ୍ତି।

ସଭରକରଙ୍କୁ ନେଇ ରାହୁଲ ଗାନ୍ଧୀଙ୍କ ଟିପ୍ପଣୀ ଉପରେ ବିଜେପି ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣେଇଛି। ମହାରାଷ୍ଟ୍ରରେ ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ କହିଥିଲେ, ସଭରକର ଇଂରେଜଙ୍କ ମର୍ସି ପିଟିସନ ଲେଖୁଥିଲେ ଏବଂ ସେମାନଙ୍କ ପେନସନ ବି ସ୍ଵୀକାର କରିଥିଲେ। ସଭରକର ଏହା କେବଳ ଇଂରେଜମାନଙ୍କ ଭୟରେ କରିଥିଲେ। ମୁଁ ଏହାକୁ ନେଇ ସଂପୂର୍ଣ୍ଣ ସ୍ପଷ୍ଟ ଯେ, ସଭରକର ଇଂରେଜଙ୍କୁ ସାହାଯ୍ୟ କରୁଥିଲେ।

Get real time updates directly on you device, subscribe now.