fbpx

ବିଧାନସଭା ସାମ୍ନାରେ ଫୁଙ୍ଗୁଳା ଦେହରେ ପ୍ରଦର୍ଶନ, ରାଜ୍ୟ ଇତିହାସରେ ପ୍ରଥମ, କ’ଣ ରହିଛି ଦାବୀ ଆସନ୍ତୁ ଜାଣିନେବା

Advertisement

ରାୟପୁର: ଛତିଶଗଡ ବିଧାନସଭା ସାମ୍ନାରେ କିଛି ଲୋକ ଆଜି ଏକ ଭିନ୍ନ ତରିକାରେ ପ୍ରଦର୍ଶନ କରିଛନ୍ତି । ଏମାନଙ୍କ ପ୍ରଦର୍ଶନର ତରିକାରୁ ଏତିକି ତ ଅନୁମାନ କରି ହେଉଛି ଯେ, ବହୁଦିନର ପୁଞ୍ଜିଭୂତ ରାଗକୁ ଏମାନେ ଆଜି ଏପରି ପରିପ୍ରକାଶ କରିଛନ୍ତି । ନକଲି ଜାତି ପ୍ରମାଣପତ୍ର ଆଧାରରେ ଚାକିରି ପାଇଥିବା ଲୋକଙ୍କ ବିରୋଧରେ ଛତିଶଗଡ ବିଧାନସଭା ସାମ୍ନାରେ ଅନୁସୂଚୀତ ଜାତି ଓ ଜନଜାତି (ଏସସି ଏସଟି) ବର୍ଗର ଯୁବକମାନେ ନଗ୍ନ ପ୍ରଦର୍ଶନ କରିଛନ୍ତି । ସମ୍ଭବତଃ ଛତିଶଗଡ ରାଜ୍ୟ ଇତିହାସରେ କାର୍ଯ୍ୟାନୁଷ୍ଠାନ ଲାଗି ଏପରି ନଗ୍ନ ପ୍ରଦର୍ଶନ ପ୍ରଥମ ଥର ଲାଗି କରାଯାଇଛି । ପ୍ରଦର୍ଶନ କରୁଥିବା ଯୁବକମାନେ ନକଲି ପ୍ରମାଣପତ୍ର ଆଧାରରେ ସରକାରୀ ଚାକିରି କରୁଥିବା ୨୬୭ ଜଣ ଲୋକଙ୍କ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୃଢ କାର୍ଯ୍ୟାନୁୁଷ୍ଠାନ ନିଆ ନ ଯିବା ବିରୋଧରେ ବିଧାନସଭା ସାମ୍ନାରେ ପ୍ରଦର୍ଶନ କରିଛନ୍ତି । ପ୍ରଦର୍ଶନକାରୀଙ୍କ ମଧ୍ୟରୁ ବହୁ ଲୋକଙ୍କୁ ପୋଲିସ ରାସ୍ତାରୁ ଗିରଫ କରି ନେଇଛି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଛତିଶଗଡରେ ଏବେ ନକଲି ପ୍ରମାଣପତ୍ର ମାମଲାକୁ ନେଇ ବିବାଦ ଜୋର ଧରିବାରେ ଲାଗିଛି । ରାଜ୍ୟ ପ୍ରତିଷ୍ଠା ହେବା ଠାରୁ ବିଭିନ୍ନ ବିଭାଗରୁ ଅଭିଯୋଗ ମିଳି ଆସୁଛି ଯେ ଅଣ ସଂରକ୍ଷିତ ବର୍ଗର ଲୋକେ ସଂରକ୍ଷିତ ବର୍ଗଙ୍କ କୋଟାରେ ଚାକିରି କରିବା ସହିତ ରାଜନୈତିକ କ୍ଷେତ୍ରରେ ଫାଇଦା ଉଠାଉଛନ୍ତି । ଏହି ମାମଲାର ଗମ୍ଭୀରତାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ଉଚ୍ଚସ୍ତରୀୟ ତଦନ୍ତ ସମିତି ଗଠନ କରିଥିଲେ ।

ସମିତିର ରିପୋର୍ଟ ଅନୁସାରେ ରାଜ୍ୟ ସରକାର ନକଲି ପ୍ରମାଣପତ୍ର ଆଧାରରେ ଚାକିରି କରୁଥିବା ଅଧିକାରୀ କର୍ମଚାରୀଙ୍କୁ ସେମାନଙ୍କ ପଦବୀରୁ ତତକାଳ ହଟାଇ ସେମାନଙ୍କୁ ବରଖାସ୍ତ କରିବାକୁ ଆଦେଶ ଜାରି କରିଥିଲେ । କିନ୍ତୁ ଏହି ଆଦେଶର ପାଳନ ସଂପୂର୍ଣ୍ଣ ଭାବରେ ହେଲା ନାହିଁ । ଫଳରେ ବହୁ ଲୋକ ଏବେ ବି ଏହି ନକଲି ପ୍ରମାଣ ପତ୍ର ଆଧାରରେ ବିଭିନ୍ନ ପଦପଦବୀରେ ଫାଇଦା ଉଠାଇବାରେ ଲାଗିଛନ୍ତି । ଏହା ବିରୁଦ୍ଧରେ ଅନୁସୂଚୀତ ଜାତି ଓ ଜନଜାତିର ଯୁବବର୍ଗ ଗତ କିଛି ଦିନ ଧରି ଆମରଣ ଅନଶନରେ ବସିଥିଲେ । କିନ୍ତୁ ସରକାର କି ପ୍ରଶାସନ କାହାର ନଜର ଏମାନଙ୍କ ଉପରେ ପଡି ନ ଥିଲା । ଇତି ମଧ୍ୟରେ ବହୁ ଆନ୍ଦୋଳନକାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ବିଗିଡି ଯାଇଥିଲା । ଏହାସତ୍ତେ୍ୱ ବି ସରକାର ଓ ପ୍ରଶାସନ ଉଦାସୀନ ରହିବାରୁ ଆନ୍ଦୋଳନକାରୀମାନେ ବିଧାନସଭା ମୌସୁମୀ ଅଧିବେଶନରେ ନିର୍ବସ୍ତ୍ର ହୋଇ ପ୍ରଦର୍ଶନ କରିଛନ୍ତି ।

Get real time updates directly on you device, subscribe now.