fbpx

କେରଳରେ ବଢ଼ୁଛି କରୋନା ପ୍ରକୋପ: ଏକାଦଶ ଅଫ୍‌ଲାଇନ୍‌ ପରୀକ୍ଷାରେ ରୋକ୍‌ ଲାଗାଇଲେ ସୁପ୍ରିମକୋର୍ଟ, କହିଲେ ପିଲାଙ୍କୁ କୌଣସି ପ୍ରକାରର ବିପଦରେ ପକାଯାଇ ପାରିବ ନାହିଁ

୧୩ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ : କେରଳରେ କରୋନା ପ୍ରକୋପ ଦ୍ରୁତ ଗତିରେ ବଢୁଥିବାରୁ ସୁପ୍ରିମକୋର୍ଟ ସେପ୍ଟେମ୍ବର ୬ରୁ ସେପ୍ଟେମ୍ବର ୧୧ ତାରିଖ ମଧ୍ୟରେ ଏକାଦଶ ଶ୍ରେଣୀର ଅଫଲାଇନ୍‌ ପରୀକ୍ଷା କରାଇବା ଆଦେଶ ଉପରେ ରୋକ୍‌ ଲଗାଇଛନ୍ତି । ସଂପ୍ରତି ଏହି ବିଷୟରେ କୌଣସି ନିର୍ଣ୍ଣୟ ନିଆଯାଇ ନାହିଁ । ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୩ ତାରିଖ ଧାର୍ଯ୍ୟ କରାଯାଇଛି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ରାଜ୍ୟରେ କୋଭିଡ୍‌-୧୯ ମାମଲା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ରାଜ୍ୟର ସ୍ଥିତି ସଂପ୍ରତି ଚିନ୍ତାଜନକ ରହିଛି । ଏମିତି ବିଷମ ପରିସ୍ଥିତିରେ ଅଳ୍ପ ବୟସର ପିଲାଙ୍କୁ କୌଣସି ପ୍ରକାରର ବିପଦରେ ପକାଯାଇ ପାରିବ ନାହିଁ ।

କୋର୍ଟ ଏହା ମଧ୍ୟ କହିଛନ୍ତି, ରାଜ୍ୟରେ ପ୍ରତିଦିନ ପ୍ରାୟ ୩୫ ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେଣୁ ସବୁଠୁ ଅଧିକ ଜରୁରୀ ପିଲାଙ୍କୁ ସୁରକ୍ଷିତ ରଖାଯାଉ । ସୂଚନାଯୋଗ୍ୟ, ପୂରା ଦେଶରେ ଏବେ ସବୁଠୁ ଅଧିକ କରୋନା ମାମଲା ବର୍ତ୍ତମାନ କେରଳରୁ ଚିହ୍ନଟ ହେଉଛନ୍ତି । ସମଗ୍ର ଦେଶରେ ପ୍ରତିଦିନ ୫୦ ପ୍ରତିଶତରୁ ଅଧିକ ସଂକ୍ରମିତ କେବଳ କେରଳରୁ ହିଁ ଚିହ୍ନଟ ହେଉଛନ୍ତି । ଶୁକ୍ରବାର କେରଳରେ ପୁଣି ଥରେ ୨୯ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ପୂରା ରାଜ୍ୟରେ ୨୪ ଘଣ୍ଟାରେ ୧୩୧ ଜଣଙ୍କ କରୋନାରେ ପ୍ରାଣହାନୀ ଘଟିଛି ।

Get real time updates directly on you device, subscribe now.