fbpx

ବିପର୍ଯ୍ୟୟକୁ ସାମନା କରିବାର କୌଶଳ ଶିଖିବେ ସ୍କୁଲ ଛାତ୍ରଛାତ୍ରୀ: ସ୍କୁଲରେ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

Advertisement

ଭୁବନେଶ୍ୱର: ଏବେ ପିଲାବେଳୁ ହିଁ ଦିଆଯିବ ସମସ୍ୟା ସହ ଲଢିବାର କ୍ଷମତା । ଓଡ଼ିଶାରେ ପ୍ରତ୍ୟେକ ବର୍ଷ ବିପର୍ଯ୍ୟୟ ଘଟୁଥିବା ବେଳେ ଏହାକୁ ସାମନା କରିବା ସାଧାରଣ ଲୋକଙ୍କ ପାଖରେ କଷ୍ଟସାଧ୍ୟ ହୋଇପଡ଼ୁଛି । ତେଣୁ ଏବେ ଏହାର ବିକଳ୍ପ ବାଛିଛନ୍ତି ସରକାର । ଏଣିକି ବିଦ୍ୟାଳୟରୁ ଏସବୁ ଉପରେ ଶିକ୍ଷାପ୍ରଦାନ କରାଯିବ । ସ୍କୁଲରେ ପିଲାମାନଙ୍କୁ ବିପର୍ଯ୍ୟୟ ବିରୋଧରେ ଲଢେଇ କରିବାର କୌଶଳ ପ୍ରଦାନ କରାଯିବ ବୋଲି ପଦକ୍ଷେପ ନିଆଯାଉଛି । ଏଥିପାଇଁ ସ୍କୁଲରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଏବେ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ କୌଶଳ ପିଲାଙ୍କ ପାଠ୍ୟକ୍ରମରେ ମଧ୍ୟ ସାମିଲ ହୋଇଛି । ତେଣୁ ପିଲାମାନଙ୍କୁ ଏଥିରେ ଆହୁରି ଦୃଢ କରିବା ପାଇଁ ସେମାନଙ୍କୁ ଟ୍ରେନିଙ୍ଗ ଦିଆଯିବ । ବିଭିନ୍ନ ବିପର୍ଯ୍ୟୟ ସମୟରେ ନିଜକୁ ଏବଂ ପରିବାର ସହିତ ଅନ୍ୟମାନଙ୍କୁ କିପରି ସୁରକ୍ଷା ଦିଆ ଯାଇପାରିବ, ସେ ନେଇ ଛାତ୍ରଛାତ୍ରୀ ସ୍କୁଲରୁ ହିଁ ଏସବୁ ଉପରେ ଜ୍ଞାନ ଆହରଣ କରିବେ । ଏଥିପାଇଁ ରାଜ୍ୟର ପ୍ରାୟ ୧୩୫ଟି ସ୍କୁଲରେ ‘ବିପର୍ଯ୍ୟୟ ଭୟ ହ୍ରାସ କାର୍ଯ୍ୟକ୍ରମ’ ଆରମ୍ଭ କରାଯାଉଛି । ତେବେ ଏଥିରେ ପିଲାମାନଙ୍କ ସହିତ ବ୍ଲକ ଶିକ୍ଷାଧିକାରୀ ମଧ୍ୟ ଜ୍ଞାନ ଆହରଣ କରିବେ । ଓଡ଼ିଶା ଷ୍ଟେଟ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ସହିତ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ତେବେ ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହୋଇସାରିଛି ବ୍ଲୁ ପ୍ରିଣ୍ଟ । ଭୂମିକମ୍ପ ଏବଂ ଅଗ୍ନି ନିରାପତ୍ତା ଇତ୍ୟାଦି ଜଟିଳ ପରିସ୍ତିତିକୁ ସାମନା କରିବା ପାଇଁ ମକଡ୍ରିଲ କରାଯିବ । ଏଥିରେ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଓସଡମାର କର୍ତ୍ତୃପକ୍ଷ ମଧ୍ୟ ତାଲିମ ଗ୍ରହଣ କରିବେ । ବିପର୍ଯ୍ୟୟ ସମୟରେ ସୁରକ୍ଷା ଏବଂ ଏହାପରେ ପ୍ରାଥମିକ ଚିକିତ୍ସା ଉପରେ ମଧ୍ୟ ସମସ୍ତଙ୍କୁ ଟ୍ରେନିଙ୍ଗ ଦିଆଯିବ । ଏ ନେଇ ଓସଡମା ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଦ୍ୱାରା ଅବଗତ କରାଇ ଦିଆଯାଇଛି ।

Get real time updates directly on you device, subscribe now.