fbpx

ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା: ଜୁନ୍ ୧୭ରୁ ଖୋଲିବ ସ୍କୁଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୭ ତାରିଖରେ ସ୍କୁଲ ଖୋଲିବ । ଏନେଇ ପୂର୍ବ ପ୍ରସ୍ତୁତ କରାଯିବା ସହିତି ଶ୍ରେଣୀଗୃହ, ଶୌଚାଳୟ, କ୍ୟାମ୍ପସକୁ ପରିଷ୍କାର କରାଯିବ । ସ୍କୁଲ ଖୋଲିବାର ଦିନକ ପୂର୍ବରୁ ପାଚିକା ଓ ସହାୟିକା ସ୍କୁଲକୁ ଆସିବାକୁ କୁହାଯାଇଛି । ସେମାନେ ମଧ୍ୟାହ୍ନ ଭୋଜନ ପାଇଁ ସାମଗ୍ରୀକୁ ଯାଞ୍ଚ କରିବା ସହ ସମସ୍ତ ଜିନିଷର ଯାଞ୍ଚ କରିବେ । ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନେଇ ହୋଇଥିବା ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟରେ ଦେଖାଦେଇଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଆଗୁଆ ସ୍କୁଲ ଛୁଟି କରାଯାଇଥିଲା । ଏଥିସହିତ ସ୍କୁଲ କ୍ୟାମ୍ପସ ଭିତରେ ରହିଥିବା ସମସ୍ତ ସାମଗ୍ରୀର ଯତ୍ନ ନେବାକୁ କୁହାଯାଇଥିଲା । ତେଣୁ ଏବେ ସ୍କୁଲ ଖୋଲିବା ପୂର୍ବରୁ ପୂର୍ବ ପ୍ରସ୍ତୁତି କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତରଫରୁ ସମସ୍ତ ସ୍କୁଲକୁ ଚିଠି ପଠାଯାଇଛି ।

ଉକ୍ତ ନିର୍ଦ୍ଦେଶ ମୁତାବକ, ମଧ୍ୟାହ୍ନଭୋଜନ ପାଇଁ ରହିଥିବା ସମସ୍ତ ରୋଷେଇ ସାମଗ୍ରୀକୁ ଯାଞ୍ଚ କରାଯିବା ସହ ଏକ୍ସପାରୀ ତାରିଖ ଯାଞ୍ଚ ହେବ । ସ୍ମାର୍ଟ କ୍ଲାସ ରୁମ, ଇ-ଲାଇବ୍ରେରୀକୁ ବ୍ୟବହାର ପାଇଁ ପ୍ରସ୍ତୁତ ରଖାଯିବ । ସ୍କୁଲ ଖୋଲିବାର ଏକ ସପ୍ତାହ ସୁଦ୍ଧା ଇଣ୍ଟରନେଟ ସଂଯୋଗକୁ ନିଶ୍ଚିତ କରାଯିବ । ପାନୀୟ ଜଳକୁ ଗୁରୁତ୍ୱ ଦିଆଯିବା ସହ ପିଲାଙ୍କୁ ଶୁଦ୍ଧ ପାଣି ଯୋଗାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ରୋଷେଇ ଶାଳ, ବାସନ, ଗ୍ୟାସ ଷ୍ଟୋଭ୍ ସବୁକୁ ସଫା କରାଯିବ । ଶ୍ରେଣୀଗୃହରେ ରହିଥିବା ସମସ୍ତ ଫର୍ଣ୍ଣିଚରକୁ ସଫା କରାଯିବା ସହ ପିଲାମାନେ ବସିବା ଉପଯୋଗ କରାଯିବ ।

Get real time updates directly on you device, subscribe now.