ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ସ୍ଥାପନ ହେବ ବିଜ୍ଞାନ କେନ୍ଦ୍ର, ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ସ୍ଥାପନ ହେବ ବିଜ୍ଞାନ କେନ୍ଦ୍ର । ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ସ୍ଥାପନ କରାଯିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ୭ଟି ଜିଲ୍ଲାରେ ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ରାଜ୍ୟ ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଅଶୋକ ପଣ୍ଡା ବିଧାନସଭାରେ ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି, ବରଗଡ଼ ଜିଲ୍ଲାର ଟୁକୁର୍ଲାଠାରେ ଏକ ଜିଲ୍ଲା ବିଜ୍ଞାନ କେନ୍ଦ୍ର ନିର୍ମାଣ ହୋଇଛି । ସେହିପରି ଗଞ୍ଜାମ, ବଲାଙ୍ଗିର, ମୟୁରଭଞ୍ଜ, କେନ୍ଦୁଝର, କୋରାପୁଟ ଓ ସୁନ୍ଦରଗଡ଼ ଆଦି ୬ଟି ଜିଲ୍ଲାରେ ନିର୍ମାଣ କାର୍ଯ୍ୟ ଚାଲିଛି । ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ, କେନ୍ଦୁଝର, ମୟୁରଭଞ୍ଜ, ନୟାଗଡ଼, କୋରାପୁଟ, ପୁରୀ, ଭଦ୍ରକ, ବଲାଙ୍ଗିର, ଜଗତସିଂହପୁର, ସୁନ୍ଦରଗଡ଼ ଆଦି ୧୦ଟି ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ନେଇ ଯୋଜନା ରହିଛି ।

ଯେଉଁ ଜିଲ୍ଲାମାନଙ୍କରେ ଉପଯୁକ୍ତ ସ୍ଥାନ ଚିହ୍ନଟ ହୋଇ ଜମି ପଟ୍ଟା ବିଭାଗ ନିକଟରେ ପହଞ୍ଚିବ, ସେହି ଜିଲ୍ଲାଗୁଡ଼ିକୁ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାଥମିକତା ଦିଆଯିବ । ମାଲକାନଗିରି, କଳାହାଣ୍ଡି, ଦେବଗଡ଼, ବୌଦ୍ଧ, ନବରଙ୍ଗପୁର, ସୋନପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ଅନୁଗୁଳ, ଗଜପତି ଆଦି ଜିଲ୍ଲାର ଚିହ୍ନିତ ସ୍ଥାନର ଜମିପଟ୍ଟା ହସ୍ତାନ୍ତର ନେଇ ତହସିଲଦାରଙ୍କଙ୍କ ନିକଟରେ ଦରଖାସ୍ତ ଦାଖଲ କରାଯାଇଛି । ଜମି ହସ୍ତାନ୍ତର ପ୍ରକ୍ରିୟା ସରିବା ପରେ ବିଭାଗ ଦ୍ୱାରା ପ୍ରକଳ୍ପ ନିର୍ମାଣ ନେଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।