fbpx

ରୁଷ-ୟୁକ୍ରେନ ସଂଘର୍ଷରେ ସେୟାର ବଜାରରେ ହାହାକାର, ୨୦୦୦ ଅଙ୍କ ତଳକୁ ଖସିଲା ସେନସେକ୍ସ

ମୁମ୍ବାଇ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ସଂଘର୍ଷ କାରଣରୁ ଭାରତୀୟ ସେୟାର ବଜାର ଗୁରୁତର ଭାବେ ପ୍ରଭାବିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ ଗୁରୁବାର ୧୮୫୦ ପଏଣ୍ଟ ତଳକୁ ଖସି କାରବାର ଆରମ୍ଭ କରିଛି। ତେବେ କିଛି ସମୟ ପରେ ସେଥିରେ କିଛି ସୁଧାର ଆସିଛି ଏବଂ ସୂଚକାଙ୍କ ୧୪୩୦ ପଏଣ୍ଟ ହ୍ରାସ ସହ ୫୫,୮୦୨ ସ୍ତରରେ ପହଞ୍ଚିଛି। ବର୍ତ୍ତମାନ ସେନସେକ୍ସ ୨୦୧୪ ପଏଣ୍ଟ ତଳକୁ ଖସି ୫୫,୨୧୭ ସ୍ତରରେ ରହିଛି। ଏହି ହ୍ରାସ କାରଣରୁ ନିବେଶକଙ୍କୁ ଆଠ ଲକ୍ଷରୁ ଅଧିକ ଟଙ୍କା ବୁଡି ଯାଇଛି।

ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟି ଉପରେ ମଧ୍ୟ ଯୁଦ୍ଧର ପ୍ରଭାବ ଦେଖିବାକୁ ମିଳିଛି। ୪୧୪ ପଏଣ୍ଟ ତଳକୁ ଖସି ୧୬୬୪୮ ସ୍ତରରେ ରହିଛି। ବର୍ତ୍ତମାନ ନିଫଟି ୬୦୯ ପଏଣ୍ଟ ତଳକୁ ଖସି ୧୬୫୪୩ ସ୍ତରରେ କାରବାର କରୁଛି। ଆଜିର ବଜାର ଖୋଲିବା ସହିତ ୨୭୦ ସେୟାର ଉପରକୁ ଉଠିଥିବା ବେଳେ ୧୮୫୩ ସେୟାର ନିମ୍ନମୁଖୀ ହୋଇଛି। ୭୯ ସେୟାରରେ କୌଣସି ପରିବର୍ତ୍ତନ ଘଟିନାହିଁ। ଗୋଟିଏ ପଟେ ସେନସେକ୍ସର ସମସ୍ତ ୩୦ ସେୟାର ଲାଲ ଚିହ୍ନ ଉପରେ ରହିଥିବା ବେଳେ ନିଫଟିରେ ୟୁପିଏଲ, ଟାଟା ମୋଟର୍ସ, ଇଣ୍ଡସଇଣ୍ଡ ବ୍ୟାଙ୍କ, ଟାଟା ଷ୍ଟିଲ ଏବଂ ଆଇସିଆଇସିଆଇ ବ୍ୟାଙ୍କ ସବୁଠୁ ଅଧିକ ଘାଟରେ ଅଛନ୍ତି।

ଟେକ୍ ମହିନ୍ଦ୍ରା, ଟିସିଏସ, ଓ୍ଵିପ୍ରୋ, ଏଚସିଏଲ ଟେକ, ଏଚଡିଏଫସି, ଏସବିଆଇ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ବଜାବ ଫିନସର୍ଭ, ଇନଫୋସିସ, ଏକ୍ସିସ ବ୍ୟାଙ୍କ, ବଜାଜ ଫାଇନାନ୍ସ, ମାରୁତି, ଡ. ରେଡ୍ଡୀ, ହିନ୍ଦୁସ୍ଥାନ ୟୁନିଲିଭର ଏବଂ ଆଇଟିସିର ସେୟାରରେ ତିନି ପ୍ରତିଶତ ହ୍ରାସ ଘଟିଛି। ଅନ୍ୟପଟେ ପାଓ୍ଵର ଗ୍ରୀଡ, ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ, ଏସିଆନ ପାଣ୍ଟ୍ସ, କୋଟାକ ବ୍ୟାଙ୍କ, ଟାଇଟନ, ନେସଲେ, ସନଫାର୍ମା ଏବଂ ଏନଟିପଭିସିର ସେୟାରରେ ଏକ ପ୍ରତିଶତ ହ୍ରାସ ରେକର୍ଡ କରାଯାଇଛି।

Get real time updates directly on you device, subscribe now.