ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ସାରା ଦେଶରେ ସାତ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପ୍ରକ୍ରିୟା ଜାରି ରହିଛି । ଏହା ମଧ୍ୟରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଆଗକୁ ଆଉ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ତେବେ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରିବା ପରେ ଟିକେଟ କଟିବା ପରେ କିଛି ନେତା ଦଳ ଛାଡ଼ି ନୂଆ ଏକ ଦଳରେ ସାମିଲ ହେଉଥିବା ଦେଖାଯାଉଛି । ସେହିପରି ଟିକେଟ ପାଇଥିବା ନେତାମାନେ ପ୍ରବଳ ଖରାକୁ ଖାତିର ନକରି ପ୍ରଚାରରେ ଲାଗିପଡ଼ିଛନ୍ତି । ଆସନ୍ତା ୧୩ ତାରିଖରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ ।
ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଦଳ ବିରୋଧୀ କାର୍ଯ୍ୟ କାରଣରୁ ୭ ଜଣ ନେତାଙ୍କୁ ରାଜ୍ୟ ବିଜେପି ବହିଷ୍କୃତ କରିଥିବା ଏକ ସୂତ୍ରରୁ ଜଣାପଡ଼ିଛି । ଖୋର୍ଦ୍ଧାର କାଳୁ ଖଣ୍ଡାୟତରାୟ, ବଡ଼ମ୍ବାର ବିଜୟ ଦଳବେହେରା, ସତ୍ୟବାଦୀର କାମାକ୍ଷା ପ୍ରଧାନ, ଆନନ୍ଦପୁରର ଝାଁସୀରାଣୀ ଦାସ, କରଞ୍ଜିଆର ଯୁଗଳ କିଶୋର ନାୟକ, ଆଠଗଡ଼ର ଡା. ହରିଶ ସାହୁ, ଜୟଦେବ ନିର୍ବାଚନ ମଣ୍ଡଳୀର ସତ୍ୟପ୍ରିୟ ବେହେରାଙ୍କୁ ଦଳ ବହିଷ୍କୃତ କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ୩ ଦିନ ତଳେ ଦଳ୧୨ ଜଣ ନେତାଙ୍କୁ ଦଳରୁ ବହିଷ୍କୃତ କରିଥିଲା ।