fbpx

୭ ବର୍ଷୀୟ ବାଳକର ସାହସିକତା: ପୋଖରୀରେ ବୁଡ଼ି ଯାଉଥିବା ବେଳେ ବଞ୍ଚାଇଲା ବୃଦ୍ଧଙ୍କ ଜୀବନ

ରଘୁନାଥପୁର, ୭ା୪ (ଓଡିଶା ଭାସ୍କର): ଗୋଟିଏ ୭ ବର୍ଷର ବାଳକର ଉପସ୍ଥିତି ବୁଦ୍ଧି ଯୋଗୁଁ ଜଣେ ବୃଦ୍ଧଙ୍କର ଜୀବନ ବଞ୍ଚି ଯାଇଛି । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକରେ ଏହି ଘଟଣାଟି ଘଟିଛି । ଜଣେ ୭୫ ବର୍ଷୀୟ ବୃଦ୍ଧ ପୋଖରୀରେ ବୁଡ଼ି ଯାଉଥିବା ବେଳେ ଦ୍ୱିତୀୟ ଶ୍ରେଣୀର ଗୋପୀନାଥ ସେଠୀ ସାହାସ ଜୁଟାଇ ତାଙ୍କୁ ଉଦ୍ଧାର କରିଛନ୍ତି । ଗୋପୀନାଥଙ୍କ ପାଇଁ ବୃଦ୍ଧଜଣକ ଆଜି ନୂଆ ଜୀବନ ପାଇବାରେ ସକ୍ଷମ ହୋଇଛନ୍ତି ।

ସୂଚନା ଅନୁଯାୟୀ, ବୃଦ୍ଧଜଣକ ପୋଖରୀକୁ ଗାଧୋଇବାକୁ ଯିବା ସମୟରେ ତାଙ୍କର ମୁଣ୍ଡ ବୁଲାଇଥିଲା । ଫଳରେ ସେ ପୋଖରୀ ପାହାଚରେ ପଡ଼ିଯାଇଥିଲେ । ଏହି ସମୟରେ ବୃଦ୍ଧଙ୍କୁ ପାଣିରେ ବୁଡ଼ିଯାଉଥିବା ଦେଖି ଗୋପୀନାଥ ବୃଦ୍ଧଙ୍କୁ ଉଠାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଫଳରେ ସେ ବଡ଼ ପାଟିରେ ଚିକ୍ରାର କରିବାରୁ ଗାଁ ଲୋକେ ରୁଣ୍ଡ ହୋଇଯାଇଥିଲେ । ଗାଁ ଲୋକେ ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ । ଦ୍ୱିତୀୟ ଶ୍ରେଣୀର ଛାତ୍ର ଗୋପୀନାଥର ଏହି କାର୍ଯ୍ୟ ପାଇଁ ଶିକ୍ଷକ, ଶିକ୍ଷୟିତ୍ରୀ, ଗ୍ରାମବାସୀ, ସରପଞ୍ଚ ସମସ୍ତେ ପ୍ରଶଂସାରେ ଶତମୁଖ ହୋଇଉଠିଛନ୍ତି ।

Get real time updates directly on you device, subscribe now.