ଛୋଟ ପିଲାଙ୍କୁ ବିଦେଶ ଚାଲାଣ କରୁଛି ନୀଳାଚଳ ସେବା ପ୍ରତିଷ୍ଠାନ! ଆଶ୍ରମରୁ ଅନେକ ନିଖୋଜ

ପୁରୀ(ଓଡ଼ିଶା ଭାସ୍କର): ନୀଳାଚଳ ସେବା ପ୍ରତିଷ୍ଠାନ ନାଁରେ ଉଠିଛି ସାଂଘାତିକ ଅଭିଯୋଗ । ସେବାଶ୍ରମ ନାଁରେ ଆଶ୍ରମ ପାଲଟିଛି ମୃତ୍ୟୁର ଦ୍ୱାର । ପୁରୀ ଜିଲ୍ଲା ଉପକଣ୍ଠ କଣାସ ବ୍ଲକ ଦୟାବିହାର ଠାରେ ସେବା ଯୋଗାଇବା ନାମରେ ଅନେକ ସ୍ୱପ୍ନ ଦେଖାଇଥିଲା ଆଶ୍ରମ । ବୃଦ୍ଧାଶ୍ରମ, ବିଧବା ଆଶ୍ରମ ଆଦି ସ୍ୱପ୍ନ ଦେଖାଇ ହତ୍ୟା, ଦୁଷ୍କର୍ମ, ଅଙ୍ଗତସ୍କରୀ, ଛୋଟ ପିଲାଙ୍କୁ ବାହାର ଦେଶକୁ ଚାଲାଣ କରାଯାଉଥିବା ଅଭିଯୋଗ ଆସିଛି । ତେବେ ପ୍ରଶାସନ ସେବାଶ୍ରମ ପ୍ରତି ଆହେତୁକ ଅନୁକମ୍ପା ଦେଖାଇ ଘଣ୍ଟ ଘୋଡ଼ାଇ ଚାଲିଛି ବୋଲି ସାଧାରଣରେ ସାଂଘାତିକ ଅଭିଯୋଗ ହେଉଛି । ଗରିବ ପିଲା, ବୃଦ୍ଧବୃଦ୍ଧା ପ୍ରମୁଖଙ୍କୁ ମିଳୁଛି ବାସୀ ଖାଦ୍ୟ । ପ୍ରତିବାଦ କଲେ ମିଳୁଛି ଧମକ ।

ଅଭିଯୋଗ ଅନୁସାରେ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା କାଳିକାବାଡ଼ି ଗ୍ରାମର ସସ୍ମିତା ମଙ୍ଗରାଜ ପେଟ ପୋଷିବା ପାଇଁ ରାଜଧାନୀ ଭୁବନେଶ୍ୱରରେ ପରଘରେ କାମ କରନ୍ତି। ତାଙ୍କର ୧୬ ବର୍ଷର ପୁଅ ସନ୍ତୋଷ ମଙ୍ଗରାଜଙ୍କୁ ପାଠପଢ଼ାଇ ମଣିଷ କରିବା ଲକ୍ଷ୍ୟରେ ଗତ ଫ୍ରେବୁଆରି ମାସରେ ଦୟାବିହାର କଣାସ ସ୍ଥିତ ନୀଳାଚଳ ସେବା ପ୍ରତିଷ୍ଠାନରେ ଛାଡ଼ିଥିଳେ । ତେବେ ପାଞ୍ଚ ଦିନର ଖଟା ପଖାଳ ଖାଇବାକୁ ଦିଆଯିବା ପରେ ସନ୍ତୋଷ ପ୍ରତିବାଦ କରିଥିଲା । କିନ୍ତୁ ସଂସ୍ଥାର କର୍ମଚାରୀମାନେ ମାଡ଼ ମାରି ଏକ ପୋଖରୀରେ ଫିଙ୍ଗି ଦେଇଥିଲେ ଏବଂ ଜୁନ୍ ୮ରେ ସନ୍ତୋଷ ନିଖୋଜ ଥିବା କହିଥିଲେ । ପରେ ୮ କିମି ଦୂର ଲୁଣା ନଦୀ ଜଙ୍ଗଲ ନିକଟରେ ସନ୍ତୋଷଙ୍କ ମୃତଦେହ ଭାସୁଥିଲା । ପୁଅର ମୃତ୍ୟୁ ଖବର ପାଇ ଶବ ବ୍ୟବଚ୍ଛେଦ ଗୃହ ନିକଟକୁ ଦୌଡ଼ିଥିଳେ ସସ୍ମିତା । କିନ୍ତୁ ସେବା ପ୍ରତିଷ୍ଠାନ କର୍ମଚାରୀ ସଦାନନ୍ଦ ପ୍ରଧାନ, ଦୟାନିଧି ବିଶ୍ୱାଳ ପ୍ରମୁଖ ତାଙ୍କୁ ମାଡ଼ ମାରିଥିଲେ । ମହିଳାଙ୍କ ଅଭିଯୋଗ ଆଧାରରେ କୁମ୍ବାରପଡ଼ା ଥାନାରେ ମାମଲା ରୁଜୁ ହୋଇଛି । ସେହିପରି କଣାସ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଛି ।

ଅନ୍ୟଏକ ଘଟଣାକ୍ରମରେ ଡେଲାଙ୍ଗର କୁନା ମହାପାତ୍ର (୨୩) ଉକ୍ତ ସେବା ପ୍ରତିଷ୍ଠାନରେ ସିକ୍ୟୁରିଟି ଭାବେ କାର୍ଯ୍ୟ କରୁଥିଲେ । ସଂସ୍ଥାର ଅନୈତିକ କାର୍ଯ୍ୟକୁ ପ୍ରତିବାଦ କରିବାରୁ ଗୁଣ୍ଡାଙ୍କ ଦ୍ୱାରା ହତ୍ୟା କରାଯାଇ ଶବକୁ ଏକ ପୋଖରୀରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି । ଶବ ବ୍ୟବଚ୍ଛେଦ କରାଯାଇଥିଲେ ମଧ୍ୟ ପିତା ମାତାଙ୍କୁ ଖବର ଦିଆଯାଇନଥିଲା । ଏ ସମ୍ପର୍କରେ କଣାସ ଥାନାରେ ସଂସ୍ଥା ନାଁରେ ମାମଲା ରୁଜୁ ହୋଇଛି । ଖାଲି ସେତିକି ନୁହେଁ, ପୁରୀ ସଦର ବ୍ଲକ ପାର୍ବତୀପୁର ଗ୍ରାମର ବିଧବା ମହିଳା ମାଣ୍ଡି ରାଉତଙ୍କ ୧୪ ବର୍ଷର ପୁଅ ରାମ ରାଉତ ସେବାଶ୍ରମରୁ ନିଖୋଜ ଅଛନ୍ତି । ପୁରୀ ବଡ଼ଦାଣ୍ଡ ଭିକାରି ମୁକ୍ତ କରାଯିବା ପାଇଁ ନାରାୟଣ ବେହେରା ନାମକ ବ୍ୟକ୍ତିଙ୍କୁ ସେବାଶ୍ରମରେ ଛଡ଼ାଯାଇଥିଲା ବେଳେ ସେ ମଧ୍ୟ ନିଖୋଜ ଅଛନ୍ତି । ସେହିପରି ନିର୍ଯାତନା ଅସହ୍ୟ ହେଉଥିବାରୁ ଅନେକ ପିଲା ପାଚେରି ଡେଇଁ ପଳାଉଛନ୍ତି । ଆଉ କେତେକ ପିଲା ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ପୁରୀ ଜିଲ୍ଲାରେ ଚାଲିଥିବା ଏଭଳି ଜଘନ୍ୟ କାଣ୍ଡ ସାରା ରାଜ୍ୟକୁ ଭୟଭୀତ କରାଇଦେଇଛି । ଏ ସମ୍ପର୍କରେ ମୃତକଙ୍କ ପରିବାର ପକ୍ଷରୁ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି । ସେହିପରି ଦଳିତ ଆଦିବାସୀ ମାଇନରଟି ମହାସଂଘ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି । ତଦନ୍ତରେ ବିଳମ୍ବ ହେଲେ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ସଭାପତି ବିଜୟ ସେଠୀ ଚେତାବନୀ ଦେଇଛନ୍ତି ।