fbpx

ଜେରା ବେଳେ ପୋଲିସକୁ ଶରତ ନାୟକ କହିଲେ ମୋର ସେହି ଫୋନଟା ଚୋରି ହେଇଯାଇଛି !

ଓଡିଶା ଭାସ୍କର; ମାହାଙ୍ଗାର ଦଶମ ଶ୍ରେଣୀ ଛାତ୍ରୀ ସ୍ଵର୍ଣ୍ଣଲତା ଦାସଙ୍କର ମୃତ୍ୟୁ କେମିତି ହେଲା ତାହା ଏବେ ସନ୍ଦେହ ଘେରରେ ରହିଛି । ଝିଅର ପ୍ରେମିକଙ୍କ ସହ ଓ ମା’ଙ୍କ ସହ ଶରତ ନାୟକ କଥା ହେଉଥିବାର ଅଡିଓ ଭାଇରାଲ ହୋଇଛି । ପୋଲିସ ସହ କଥା ହୋଇ ଶବ ବ୍ୟବଚ୍ଛେଦ କରାଇନଥିବା ସ୍ପଷ୍ଟ ଭାବେ କହୁଛନ୍ତି ଶରତ ନାୟକ । ସବୁ ପ୍ରମାଣ ନଷ୍ଟ କରି ନଦୀରେ ପାଉଁଶ ଭସେଇ ଦେଇଥିବା ମଧ୍ୟ କହିଛନ୍ତି ଶରତ । ଝିଅର ମା ଓ ପ୍ରେମିକ ଖେଳ ସାରଙ୍କୁ ଟଙ୍କା ମାଗୁଥିବା ମଧ୍ୟ ଜଣାପଡିଛି । ଏହାରି ଭିତରେ ଛାତ୍ରୀ ସ୍ଵର୍ଣ୍ଣଲତାଙ୍କ ମୃତ୍ୟୁ ରହସ୍ୟ ଖୋଲିବାକୁ ତଦନ୍ତ ଚଳାଇଛି ପୋଲିସ୍ ।

ଗୁରୁବାର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ କୁମାର ନାୟକଙ୍କୁ ବିଜେଡି ନିଲମ୍ବିତ କରିବା ପରେ ଶୁକ୍ରବାର ଥାନାକୁ ଡାକି ଶରତଙ୍କୁ ‌ଜେରା କରିଛି ପୁଲିସ। ଜେରା‌ ସମୟରେ ଶରତଙ୍କ ଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି ପୁଲିସ। ଯେଉଁ ମୋବାଇଲରୁ ସେ କ୍ରୀଡା ଶିକ୍ଷକଙ୍କ ମାଆଙ୍କ ସହିତ କଥାବାର୍ତ୍ତା ହୋଇଥିଲେ ଓ ଯାହାର ଅଡିଓ ଭାଇରାଲ ହୋଇଥିଲା, ସେହି ମୋବାଇଲ ହଜି ଯାଇଥିବା ଶରତ ପୋଲିସକୁ କହିଥିବା ଏକ ବିଶେଷ ସୂତ୍ରରୁ ଜଣାପଡିଛି । ଫଳରେ ପୋଲିସ୍ ତାଙ୍କ ମୋବାଇଲରୁ ତଥ୍ୟ ହାସଲ କରିବାରେ ବିଫଳ ହୋଇଛି। ଏପଟେ କିନ୍ତୁ ଖେଳ ଶିକ୍ଷକଙ୍କ ମୋବାଇଲ ଫୋନ ଜବତ୍‌ କରି ଭାଇରାଲ ହେଉଥିବା ଅଡିଓର ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି।

ସୂଚନା ଥାଉକି, ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ଏଯାଏଁ ସରିଲାଣି ୧୮ ଜଣଙ୍କୁ ଜେରା । ପୋଲିସ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୧୮ ଜଣଙ୍କୁ ଜେରା କରିଥିବାବେଳେ, ସେମାନଙ୍କ ବୟାନ ରେକର୍ଡ କରିସାରିଛି । ତେବେ ପ୍ରକୃତ ହାତଲେଖା ଚିଠିର ହାର୍ଡକପି ଏପର୍ଯ୍ୟନ୍ତ ପୋଲିସକୁ ମିଳିନଥିବାବେଳେ, ଭାଇରାଲ ହେଉଥିବା ଅଡିଓ କ୍ଲିପର ଯାଞ୍ଚ ହେବ ବୋଲି ସୂଚନା ମିଳିଛି । ଏଥିସହ ଏହି ଘଟଣାରେ ଏପର୍ଯ୍ୟନ୍ତ ଥାନାରେ ମାମଲା ରୁଜୁ ହେଇନାହିଁ ବୋଲି ସୂଚନା ମିଳିଛି । ସମ୍ପୂର୍ଣ୍ଣ ଯାଞ୍ଚ ରିପୋର୍ଟ ଆସିବା ପରେ ତଦନ୍ତ କରାଯିବ ବୋଲି କହିଥିଲେ କଟକ ଜିଲ୍ଲା ଏସପି ମିହିର ପଣ୍ଡା । ସେହିପରି ଗଣମାଧ୍ୟମରେ ଦର୍ଶାଯାଇଥିବା କିଛି ତଥ୍ୟ ଉପରକୁ ମଧ୍ୟ ପୋଲିସ ନଜର ଦେଉଛି ।

Get real time updates directly on you device, subscribe now.