fbpx

ଶର୍ମିଲା ହେବେ ଆନ୍ଧ୍ର କଂଗ୍ରେସର ନୂଆ ଅଧ୍ୟକ୍ଷ: ରୁଦ୍ର ରାଜୁଙ୍କ ଇସ୍ତଫା ପରେ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ: ଆଉ କିଛି ମାସ ପରେ ଦେଶରେ ଲୋକସଭା ନିର୍ବାଚନ ହେବ । ଏଥିସହିତ ଚଳିତ ବର୍ଷ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବ । ତେବେ ବିଧାନସଭା ନିର୍ବାଚନ ପୂର୍ବରୁ ଆନ୍ଧ୍ରପ୍ରଦେଶ ରାଜନୀତି ଚଳଚଞ୍ଚଳ ହୋଇଉଠିଛି । ତେଲେଙ୍ଗାନାରେ ସରକାର ଗଠନ କରିବା ପରେ କଂଗ୍ରେସର ପରବର୍ତ୍ତୀ ନଜର ଏବେ ଆନ୍ଧ୍ର ଉପରେ ରିହଛି ।

ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶର ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ପଦରୁ ଗିଦୁଗୁ ରୁଦ୍ର ରାଜୁ ଇସ୍ତଫା ଦେଇଛନ୍ତି । ରାଜୁଙ୍କ ଇସ୍ତଫା ପରେ ଏବେ ଶର୍ମିଲା ରେଡ୍ଡୀ ରାଜ୍ୟ କଂଗ୍ରେସର ନୂଆ ଅଧ୍ୟକ୍ଷ ହୋଇପାରନ୍ତି । ଗତ ୪ ତାରିଖରେ ଶର୍ମିଲା ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଥିଲେ । ଆନ୍ଧ୍ରପ୍ରଦେଶରେ ଦଳ ଶର୍ମିଲାଙ୍କୁ ଏକ ବଡ଼ ଦାୟିତ୍ୱ ଦେଇପାରେ ବୋଲି ଚର୍ଚ୍ଚା ହେଉଥିଲା । ଏବେ ରାଜୁ ପ୍ରଦେଶ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଶର୍ମିଲାଙ୍କ ନୂଆ ନିଯୁକ୍ତି ନେଇ ପଥ ପରିଷ୍କାର ହୋଇଯାଇଛି ।

ସୂଚନାଯୋଗ୍ୟ ଯେ, ନିକଟରେ ସମାପ୍ତ ହୋଇଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସକୁ ବିପୁଳ ସଫଳତା ମିଳିଥିଲା । ତେଣୁ ଶର୍ମିଲାଙ୍କୁ ଏକ ବଡ଼ ଦାୟିତ୍ୱ ଦେଇ ଆନ୍ଧ୍ର ଦଖଲ ଲକ୍ଷ୍ୟରେ ରହିଛି କଂଗ୍ରେସ । ଗତବର୍ଷ କର୍ଣ୍ଣାଟକ ଓ ତେଲେଙ୍ଗାନାରେ ସରକାର ଗଠନ କରିବା ପରେ ଦେଶର ସର୍ବପୂରାତନ ରାଜନୈତିକ ଦଳର ମହୋବଳ ବୃଦ୍ଧି ପାଇଛି । ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ୱରେ ଦଳ ଆଗାମୀ ନିର୍ବାଚନରେ ସଫଳତା ହାସଲ କରିବାକୁ ପ୍ରାଣପଣେ ଉଦ୍ୟମ ଚଳାଇଛି । ଶର୍ମିଲାଙ୍କୁ ବଡ଼ ଦାୟିତ୍ୱ ଦେବା ପରେ ଦଳ କେତେ ସଫଳତା ପାଉଛି ତାହାକୁ ଦେଖିବାକୁ ବାକି ରହିଲା । ତେବେ ଏଭଳି ସ୍ଥିତିରେ ରାଜ୍ୟରେ ଶର୍ମିଲା ତାଙ୍କର ଭାଇ ତଥା ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ କଡ଼ା ଟକ୍କର ଦେଇପାରନ୍ତି ।

Get real time updates directly on you device, subscribe now.