fbpx

ପର୍ଣ୍ଣ ଫିଲ୍ମ ପାଇଁ ଗରିବ ଝିଅଙ୍କୁ ଟାର୍ଗେଟ୍ କରୁଥିଲେ ରାଜ୍, ଭଡ଼ାରେ ନେଇଥିଲେ ବଙ୍ଗଳା, ଢାଲ ସାଜିଥିଲା କେକରିନ୍

ଓଡ଼ିଶା ଭାସ୍କର ବ୍ୟୁରୋ: ପର୍ଣ୍ଣ ଫିଲ୍ମ ଓ ଭିଡିଓ ପ୍ରସ୍ତୁତ କରିବା ମାମଲାରେ ବନ୍ଧା ହୋଇଛନ୍ତି ବ୍ୟବସାୟୀ ରାଜ୍ କୁନ୍ଦ୍ରା । ମୁମ୍ବାଇ କ୍ରାଇମବ୍ରାଞ୍ଚର ସୂଚନା ଅନୁସାରେ ଗରିବ ଝିଅଙ୍କୁ ଜାଲରେ ଫସାଇ ପର୍ଣ୍ଣ ଫିଲ୍ମ ପ୍ରସ୍ତୁତ କରୁଥିଲେ ରାଜ୍ । ଏଥିରେ ତାଙ୍କୁ ସହଯୋଗ କରୁଥିଲେ ବ୍ରିଟେନ୍ ରେ ରହୁଥିବା ତାଙ୍କ ଭାଇ । ଦୁହେଁ କେକରିନ୍ ନାଁରେ ଏକ ସଂସ୍ଥା ଖୋଲି ସେଠାରେ ପଞ୍ଜିକରଣ କରାଇଥିଲେ । ଲକ୍ଷ୍ୟ ରହିଥିଲା ଭାରତୀୟ ସାଇବାର୍ ଆଇନରୁ ସହଜରେ ଖସିବାର ବାଟ । ବଲିଉଡ୍ ରେ କାମ କରିବା ଆଶା ନେଇ ଆସୁଥିବା ଗରିବ ଝିଅଙ୍କୁ ଲୋଭ ଦେଖାଉଥିଲା କେକରିନ୍ । ବଡ଼ ଫିଲ୍ମର ଲୋଭ ଦେଖାଇ ପର୍ଣ୍ଣ ଭିଡିଓ ଶୁଟ୍ କରାଯାଉଥିଲା । ପରେ ତାକୁ ଓଟିଟି ଜରିଆରେ ରିଲିଜ୍ କରାଯାଉଥିଲା । ସେହିପରି ଏଥିପାଇଁ ହଟସଟ୍ ନାମକ ଆପ୍ ମଧ୍ୟ ରହିଥିଲା ।

ମୁମ୍ବାଇ ପୁଲିସର ଯୁଗ୍ମ କମିଶନର ମିଲିନ୍ଦ ଭାରମ୍ବେ ରାଜଙ୍କ ଚକ୍କର୍ରେ ଫସିଥିବା ପୀଡ଼ିତାଙ୍କୁ ମୁହଁ ଖୋଲିବା ଆହ୍ୱାନ ଦେବା ପରେ ୩ ଜଣ ମହିଳା ସାଂଘାତିକ ଅଭିଯୋଗ କରିଛନ୍ତି । ସେମାନଙ୍କୁ ପର୍ଣ୍ଣୋଗ୍ରାଫିକ ଫିଲ୍ମ କରିବା ଲାଗି ବାଧ୍ୟ କରାଯାଉଥିଲା ବୋଲି କହିଛନ୍ତି । ଏଭଳି ଫିଲ୍ମ ଶୁଟିଂ ପାଇଁ ମୁମ୍ବାଇର ମଲାଡ୍ ୱେଷ୍ଟରେ ଏକ ବଙ୍ଗଳା ଭଡ଼ା ନିଆଯାଇଥିଲା । ଆଉ ହଟସଟ୍ ଆପ୍ ଜରିଆରେ ସପ୍ତାହକୁ ଥରେ ନୂଆ ଫିଲ୍ମ ରିଲିଜ୍ କରାଯାଉଥିଲା । ସେହିପରି ରାଜ୍ ‘ଏଚ୍’ ଆକାଉଣ୍ଟ ମାଧ୍ୟମରେ ପର୍ଣ୍ଣ ଫିଲ୍ମ ରାକେଟ୍ ଚଳାଉଥିବା ପୋଲିସ୍ ଜାଣିପାରିଛି । ଖାଲି ଏତିକି ନୁହେଁ ରାଜ୍ ରହିଥିବା ଏକ ହ୍ୱାଟ୍ସଆପ୍ ଗ୍ରୁପ୍ ରେ କେବଳ ପର୍ଣ୍ଣ ଫିଲ୍ମ ସମ୍ପର୍କରେ ଚର୍ଚ୍ଚା ହେଉଥିଲା ।

ଅନ୍ୟପକ୍ଷରେ ପର୍ଣ୍ଣ ଫିଲ୍ମ କରିବା ପାଇଁ ରାଜ୍ ୮ରୁ ୧୦ କୋଟି ବିନିଯୋଗ କରି ପ୍ରତି ଫିଲ୍ମରୁ ପାଖାପାଖି ସାଢ଼େ ୪ ଲକ୍ଷ ଟଙ୍କା ରୋଜଗାର କରୁଥିଲେ । ତେବେ ସବୁ ଗୁମର ଖୋଲି ଦେଇଥିଲେ ଜଣେ ୨୧ ବର୍ଷୀୟା ମଡେଲ । ତାଙ୍କ ଅଭିଯୋଗ ଆଧାରରେ ରାଜଙ୍କ ରାଜ୍ ଖୋଲିଥିଲା ପୋଲିସ୍ । ସେପଟେ ବିଭିନ୍ନ କମ୍ପାନିକୁ ଠକିବା, ବିଟ୍ କଏନ୍ ରାକେଟ୍ ଓ କ୍ରିକେଟ୍ ବେଟିଂରେ ସମ୍ପୃକ୍ତି ଆଦି ବିଭିନ୍ନ ମାମଲରେ ରାଜଙ୍କ ନାଁରେ ପୂର୍ବରୁ ଅନେକ ମାମଲା ରୁଜୁ ହୋଇଥିଲା । ସମ୍ପ୍ରତି ପର୍ଣ୍ଣ ଫିଲ୍ମ କାରବାର ଘଟଣାରେ ରାଜଙ୍କ ସମେତ ତନବିର ହାସମି, ଭାନୁ ସୂର୍ଯ୍ୟମ ଠାକୁର, ବନ୍ଦନା ତିୱାରୀ, ୟାସମିନ୍ ଖାନ୍, ପ୍ରତିଭା ନଲାୱଡେ, ମୋନୁ ଯୋଶୀ, ଉମେଶ କାମତ, ଦୀପଙ୍କର ଖାସନବିଶ୍, ମୋହମ୍ମଦ ସୌଫି, ରାୟନ୍ ଜନ୍ ଥୋରପେ ପ୍ରମୁଖ ୧୧ ଜଣଙ୍କୁ ପୋଲିସ୍ ଗିରଫ କରିଛି । ଆଗକୁ ଆହୁରି କେତେକ ଫସିବେ ବୋଲି କୁହାଯାଉଛି ।

ତେବେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ତଥା ରାଜଙ୍କ ପତ୍ନୀ ଏଥିରେ ସମ୍ପୃକ୍ତି ଥିବା କୌଣସି ପ୍ରମାଣ ମିଳିନି । ସେହିପରି ଆଗକୁ ଶିଳ୍ପାଙ୍କ ହଙ୍ଗାମା-୨ ଫିଲ୍ମ ରିଲିଜ୍ ହେବାର ଥିବାବେଳେ ରାଜଙ୍କ ମାମଲା କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଫିଲ୍ମର ନିର୍ଦ୍ଦେଶକ ପ୍ରିୟଦର୍ଶନ ମତ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.