ଆସୁଛି ‘ଶିମଲୀ’, ଚଳଚ୍ଚିତ୍ରର ପ୍ରଥମ ପ୍ରିମିୟର ସୋ ଦେଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଶିମିଳିପାଳ ଅଭୟାରଣ୍ୟର ଅକୁହା କାହାଣୀକୁ ନେଇ ବଡ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଚଳଚିତ୍ର ‘ଶିମଲୀ’। ପ୍ରିମିୟର ସୋ ଦେଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ କଳାକାର।

ଭୁବନେଶ୍ୱର: ପ୍ରିମିୟର ସୋ ଦେଖିବେ ମୋହନ। ଆଗାମୀ ‘ଶିମଲୀ’ ଚଳଚ୍ଚିତ୍ରର ପ୍ରଥମ ପ୍ରିମିୟର ସୋ ଦେଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ଫିଲ୍ମର ସମସ୍ତ କର୍ମକର୍ତ୍ତା। ଶିମିଳିପାଳ ଅଭୟାରଣ୍ୟ ଉପରେ ହୋଇଥିବା ଏହି ଭିନ୍ନ ଚଳଚ୍ଚିତ୍ର ମାର୍ଚ୍ଚ ୧୪ରେ ବଡ଼ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି।

ତେଣୁ ପ୍ରିମିୟର ସୋ ଦେଖିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ କରାଯାଇଛି। ଏବଂ ମୁଭି ଦେଖିବାକୁ ମୁଖ୍ୟମନ୍ତ୍ରୀ ଯିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି। ତେବେ ଓଡ଼ିଶାରେ ଏହି ଭିନ୍ନ ଧରଣର ଚଳଚ୍ଚିତ୍ର ‘ଶିମଲୀ’ ବେଶ ପ୍ରଶଂସା ସାଉଁଟିବ ବୋଲି ଆଶା କରାଯାଉଛି।

‘ଶିମଲୀ’: ଶିମିଳିପାଳ ଅଭୟାରଣ୍ୟ ଅକୁହା କାହାଣୀକୁ ନେଇ ବଡ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଚଳଚିତ୍ର ‘ଶିମଲୀ’। ଯେହେତୁ ମୁଭିଟି ଶିମିଳିପାଳ ଅଭୟାରଣ୍ୟ ଉପରେ ପର୍ଯ୍ୟବେଶିତ। ସେଥିପାଇଁ ଚଳଚ୍ଚିତ୍ରର ନାଁ ‘ଶିମଲୀ’ ରଖାଯାଇଛି।

ଚଳଚିତ୍ରଟି ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ଉପରେ ପର୍ଯ୍ୟବେସିତ ରହିବା ସହିତ କିଭଳି ଭାବେ ଠିକାଦାର ଓ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ କାଠ ଓ ବିଭିନ ପ୍ରାଣୀ ଛାଲ ଚୋରା ଚାଲାଣ ହେଉଛି ତାର କେତେକ ଅକୁହା କାହାଣୀ ଏହି ସିନେମା ମାଧ୍ୟମରେ ଦର୍ଶକ ଦେଖିବାକୁ ପାଇବେ।

ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ: ଯେହେତୁ ଶିମିଳିପାଳ ରକ୍ଷଣାବେକ୍ଷଣ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବେଶ ଧ୍ୟାନ ଦେଉଛନ୍ତି, ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି। ତେଣୁ ମୋହନଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି ଫିଲ୍ମରେ ଥିବା ସମସ୍ତ କଳାକାର।

ଏହାସହ ଚଳଚ୍ଚିତ୍ରର ପ୍ରିମିୟର ସୋ ଦେଖିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ଫିଲ୍ମର କଳାକାର ମାନେ। ‘ଶିମଲୀ’ ଫିଲ୍ମ ରିଲିଜ୍ ନ ହେବା ପୂର୍ବରୁ ଏବେଠାରୁ ଅନେକ ପ୍ରଶଂସା ସାଉଁଟିଲାଣି। ଆଶା କରାଯାଉଛି ଏହି ଫିଲ୍ମ ମାଧ୍ୟମରେ ଅନେକ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚିବ। ଏବଂ ଶିମିଳିପାଳ ଭଳି ଅନେକ ଜଙ୍ଗଲ ଓ ଅଭୟାରଣ୍ୟର ସୁରକ୍ଷା ହୋଇପାରିବ।

ଫିଲ୍ମ ବିଷୟରେ ସଂକ୍ଷେପରେ: ଏମ କେ.ଆର୍ ପ୍ରଡକସନ୍‌ ବ୍ୟାନରରେ ପ୍ରସ୍ତୁତ ‘ଶିମଲୀ’ ର ପ୍ରଥମ ଥର ପାଇଁ ନିର୍ଦ୍ଦେଶନା ଭାର ନେଇଛନ୍ତି ଅନେକ ଚଳଚ୍ଚିତ୍ରର ସଂପାଦନା କରିଥିବା ସୁକୁମାର ମଣି ।

ତେବେ ୟୁ ସେନସର୍ ସାର୍ଟିଫିକେଟ୍ ପାଇଥିବା ଏହି ଭିନ୍ନ ଧରଣର ଓଡ଼ିଆ ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ୱ ଶ୍ରୀମତୀ ସ୍ମିତା ରାଉତ ନେଇଛନ୍ତି ଏବଂ ପରେଶ ଚନ୍ଦ୍ର ମହାନ୍ତ ଏହାର ସହ-ପ୍ରଯୋଜନା କରିଛନ୍ତି।

ଫିଲ୍ମର କଳାକାର: ତେବେ ଏହି ଚଳଚ୍ଚିତ୍ରରେ ଚୁଲବୁଲି ନାୟିକା ସୂର୍ଯ୍ୟମୟୀ ମହାପାତ୍ର, ମନୋଜ ରାଉତ, ଲିପିକା ସେନାପତି, ଅନୁପ ଶାହା ,ଐଶର୍ଯ୍ୟା ବେହେରା ଓ ଚୌଧୁରୀ ବିକାଶ ଦାସ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ।

ଏହି ଫିଲ୍ମର ସଂଳାପ ଲେଖିଛନ୍ତି ଭାବବିନୋଦ ମହାପାତ୍ର। ସ୍ୱର୍ଗତ ବାଚୁ ମୁଖାର୍ଜୀଙ୍କ ସମେତ ବିଷ୍ଣୁ ମୋହନ କବି ଏବଂ ଏସ.ବି. ସ୍ମୃତି ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ, ଅରୁଣ ମନ୍ତ୍ରୀ, ଡକ୍ଟର ନିର୍ମଳ ନାୟକ ଓ ଭାବବିନୋଦ ମହାପାତ୍ର ଗୀତ ରଚନା କରିଛନ୍ତି।

ଏଥିରେ ଚାରୋଟି ଗୀତ ରହିଛି। କଣ୍ଠଶିଳ୍ପୀ ସୁବାଷ ଦାସ ଏବଂ ଶିବାଂଶୀ ଦାଶ କଣ୍ଠଦାନ କରିଛନ୍ତି । ଧ୍ରୁବାନନ୍ଦ ପଣ୍ଡା ଶିମଲୀର ସିନେମାଟୋଗ୍ରାଫର୍ ଅଛନ୍ତି । ପ୍ରଚାର ଓ ପ୍ରସାର ଦାୟିତ୍ୱରେ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ଅଛନ୍ତି।

ମାର୍ଚ୍ଚ ୧୪ ରେ ମୁକ୍ତିଲାଭ କରିବାକୁ ଯାଉଥିବା ଶିମଲୀ ଉପରେ ଦର୍ଶକଙ୍କର ଅନେକ ଆଶା ଓ ଉତ୍ସାହ ରହିଛି। ଶିମଲୀ ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚି ଚହଳ ପକାଇବ ଏବଂ ସାରା ବିଶ୍ୱ ଶିମିଳିପାଳର କାହାଣୀ ଜାଣିବେ ଏଥିରେ ସନ୍ଦେହ ନାହିଁ ବୋଲି ପ୍ରଯୋଜନା ସଂସ୍ଥା ଆଶା ପ୍ରକଟ କରିଛି।