fbpx

ଉଦ୍ଧବଙ୍କ ଗାଦିଚ୍ୟୁତ୍ ହେବା ନିଶ୍ଚିତ ! କ୍ଷମତା ବଞ୍ଚାଇବା ପାଇଁ ଶିବସେନା ନିକଟରେ ରହିଛି ଦୁଇଟି ବିକଳ୍ପ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମନ୍ତ୍ରୀ ଏକନାଥ ସିନ୍ଧେଙ୍କ ବିଦ୍ରୋହ ପରେ ଉଦ୍ଧବ ସରକାର ଭାଙ୍ଗିବା ପ୍ରାୟତଃ ସ୍ପଷ୍ଟ ହୋଇ ଯାଇଛି। ରାଜନୈତିକ ଘଡିସନ୍ଧି ମୁହୂର୍ତ୍ତରେ ତୃତୀୟ ଦିନ ଶିବସେନାର ୩୭ରୁ ବିଧାୟକ ଗୌହାଟୀ ପହଞ୍ଚି ସାରିଛନ୍ତି। ମହାବିକାଶ ଅଘାଡି ସରକାରରେ ସୃଷ୍ଟି ସଙ୍କଟର ସମାଧାନ କେମିତି କରାଯାଇ ପାରିବ ସେ ନେଇ କଂଗ୍ରେସ, ଏନସିପି ଏବଂ ଶିବସେନା ଲଗାତାର ମାନସ ମନ୍ଥନ ଚଳାଇଛି। ମାତ୍ର କୌଣସି ସମାଧାନର ରାସ୍ତା ବାହାରି ପାରୁନି। ଏମିତିରେ ଉଦ୍ଧବଙ୍କ ସାମ୍ନାରେ କ୍ଷମତା ବଞ୍ଚାଇବା ପାଇଁ କଣ ରାଜନୈତିକ ବିକଳ୍ପ ରହିଛି ?

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବାସଭବନ ମାତୋଶ୍ରୀ ପହଞ୍ଚି ସାରିଛନ୍ତି। ଠାକରେ ସଂପ୍ରତି ମୁଖ୍ୟମନ୍ତ୍ରୀ ପଦ ଛାଡି ନାହାନ୍ତି। ମାତ୍ର ସେ ଇସାରା ଦେଇସାରିଛନ୍ତି ଯେ, ଯଦି ତାଙ୍କ ସାମ୍ନାକୁ ଆସି ବିଦ୍ରୋହୀ ବିଧାୟକ ଆଲୋଚନା କରିବେ ତେବେ ସେ ମାନିବାକୁ ପ୍ରସ୍ତୁତ। ଏହା ପରେ ମଧ୍ୟ ଶିବସେନାରେ ବିଦ୍ରୋହ ଥମିବାର ନାଁ ନେଉନାହିଁ। ଯେତିକି ସମୟ ଗଡୁଛି ଏକନାଥ ସିନ୍ଧେଙ୍କ ଶକ୍ତି ବଢିବାରେ ଲାଗିଛି। ମୁଖ୍ୟମନ୍ତ୍ରୀଙ୍କ ଖୋଲା ଅଫର ପରେ ବି ସିନ୍ଧେ ନିଜ ଆଭିମୁଖ୍ୟରେ ଅଟଳ ରହିଛନ୍ତି। କଣ କଲେ ସେ ନିଜ ସରକାର ବଞ୍ଚାଇ ପାରିବେ।

ସିନ୍ଧେଙ୍କୁ ମୁଖ୍ୟମନ୍ତ୍ରୀ କରି ସରକାର ବଞ୍ଚାଇ ପାରିବେ

ଏକନାଥ ସିନ୍ଧେଙ୍କ ସହ ଶିବସେନାର ବିଧାୟକ ଯେଉଁଭଳି ଛିଡା ହୋଇ ରହିଛନ୍ତି, ସେଥିରେ ଉଦ୍ଧବ ଠାକରେଙ୍କୁ ନିଜର ଗାଦି ଏବଂ ସରକାର ବଞ୍ଚାଇବା ମୁସ୍କିଲ ଲାଗୁଛି। ଏମିତିରେ ବୁଧବାର ଉଦ୍ଧବ ଠାକରେ ଭାବୁକ ସନ୍ଦେଶ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ଯଦି ତାଙ୍କ ନିଜ ଲୋକ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଦେଖିବାକୁ ପସନ୍ଦ କରୁ ନାହାନ୍ତିତେବେ ସେ ପଦ ଛାଡିବାକୁ ପ୍ରସ୍ତୁତ। କିନ୍ତୁ ସେ ଚାହାନ୍ତି ଯେ, କୌଣସି ଶିବସୈନିକ ହିଁ ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ଏଥିରୁ ସ୍ପଷ୍ଟ ଯେ, ଉଦ୍ଧବ ଠାକରେ କ୍ଷମତା ବଞ୍ଚାଇବା ପାଇଁ କୌଣସି ଶିବସୈନିକଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତୁତ।

ଏମିତି ସ୍ଥିତିରେ ଏକନାଥ ସିନ୍ଧେଙ୍କୁ ମୁଖ୍ୟମନ୍ତ୍ରୀ କରାଇ ଉଦ୍ଧବ ନିଜ ସରକାର ବଞ୍ଚାଇ ପାରିବେ। କଂଗ୍ରେସ ଏବଂ ଏବଂ ଏନସିପି ଶିବସେନା ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏହି ପ୍ରସ୍ତାବ ଦେଇଛନ୍ତି ଯେ, ଏକନାଥ ସିନ୍ଧେଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ। ଏମିତି ହେଲେ ମହାବିକାଶ ଅଘାଡି ସରକାର ଭାଙ୍ଗୁ ଭାଙ୍ଗୁ ବଞ୍ଚି ଯାଇପାରେ। କିନ୍ତୁ ଏକନାଥ ସିନ୍ଧେ ଏନସିପି-କଂଗ୍ରେସ ସହିତ ସରକାରରେ ରହିବାକୁ ପସନ୍ଦ କରୁନାହାନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଶିବସେନା ମଧ୍ୟ ନିଜର ହିନ୍ଦୁତ୍ଵ ବିଚାରଧାରା ଭୁଲି ଗଲାଣି। ବିଜେପି ସହ ମିଶି ସରକାର ଗଠନ କରିବାକୁ ସେ ଉଦ୍ଧବଙ୍କୁ ସନ୍ଦେଶ ମଧ୍ୟ ଦେଇ ସାରିଛନ୍ତି।

ବିଜେପି ସହ ମିଶି ସରକାର ଗଠନ କରିବାର ବିକଳ୍ପ

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସାମ୍ନାରେ ଦ୍ଵିତୀୟ ବିକଳ୍ପ ହେଉଛି ଏନସିପି ଏବଂ କଂଗ୍ରେସ ସହ ମେଣ୍ଟ ଭାଙ୍ଗି ବିଜେପି ସହିତ ମିଶି ସରକାର ଗଠନ କରାଯାଉ। କାରଣ ଶିବସେନାରେ ବିଦ୍ରୋହ ପରେ ତାଙ୍କ ପଦ ଯିବା ନିଶ୍ଚିତ ହୋଇ ଯାଇଛି। ଏମିତିରେ ବିଜେପି ସହିତ ହାତ ମିଳାଇ ସରକାର ଗଠନ କରାଯାଇ ପାରିବ। ଏକନାଥ ସିନ୍ଧେ ଲଗାତାର ବିଜେପି ସହିତ ମିଶି ସରକାର ଗଢିବାକୁ ଉଦ୍ଧବଙ୍କୁ ପ୍ରସ୍ତାବ ଦେଇ ସାରିଛନ୍ତି।

ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକରେ ଅଢେଇ ବର୍ଷ ଗାଦି ସମ୍ଭାଳି ସାରିଛନ୍ତି। ୨୦୧୯ ବିଧାନସଭା ନିର୍ବାଚନ ଫଳାଫଳ ପରେ ଉଦ୍ଧବ ଠାକରେ ବିଜେପି ସାମ୍ନାରେ ଅଢେଇ ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ହେବା ଫର୍ମୁଲା ରଖିଥିଲେ। ହେଲେ ବିଜେପି ଏହା ଉପରେ ସହମତ ନଥିଲା। ଏହି କାରଣରୁ ଉଦ୍ଧବ ଠାକରେ ବିଜେପି ସହିତ ସଂପର୍କ ଭାଙ୍ଗି ନିଜ ବିଚାରଧାରା ବିରୋଧୀ କଂଗ୍ରେସ-ଏନସିପି ସହିତ ହାତ ମିଳାଇ ସରକାର ଗଠନ କରିଥିଲେ। ଏମିତିରେ ସେ ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ହୋଇ ସାରିଛନ୍ତି। ଯଦି ସେ ମୁଖ୍ୟମନ୍ତ୍ରୀ ପଦ ଛାଡନ୍ତି ତେବେ ତାଙ୍କର ପରାଜୟ ବୋଲି ଧରାଯିବ ନାହିଁ। ଏମିତିରେ ଶିବସେନା ପ୍ରମୁଖଙ୍କ ମୁଖ୍ୟମନ୍ତ୍ରୀ ହେବା ସ୍ଵପ୍ନ ସାକାର ହୋଇ ସାରିଛି। ହେଲେ ଏକନାଥ ସିନ୍ଧେ ଯେଉଁଭଳି ଭାବେ ମୁସ୍କିଲ ପରିସ୍ଥିତି ସୃଷ୍ଟି କରିଛନ୍ତି ସେଥିରେ ମୁଖ୍ୟମନ୍ତ୍ରୀ ପଦ ବଞ୍ଚାଇବାଠୁ ସରକାର ବଞ୍ଚାଇବା ଏକ ଚ୍ୟାଲେଞ୍ଜ ହୋଇ ପଡିଛି। ଶିବସେନାର ବିଧାୟକଙ୍କଠୁ ନେଇ ସାଂସଦ ପର‌୍ୟ୍ୟନ୍ତ ବିଦ୍ରୋହୀ ଆଭିମୁଖ୍ୟ ଆପଣେଇ ସାରିଛନ୍ତି।

ଯଦି ଶିବସେନା ଭବିଷ୍ୟତରେ ମହାରାଷ୍ଟ୍ର ରାଜନୀତିରେ ନିଜର ସ୍ଥିତି ମଜବୁତ ରଖିବାକୁ ଚାହୁଁଛି ତେବେ ଏନସିପି ଏବଂ କଂଗ୍ରେସ ସହିତ ଏହା ସମ୍ଭବ ନୁହେଁ। କାରଣ ଦୁହେଁ ପରସ୍ପର ବିରୋଧୀ ବିଚାରଧାରାର ପାର୍ଟି। ଶିବସେନା ଏବଂ ବିଜେପି ଉଭୟ ଚରମ ହିନ୍ଦୁତ୍ଵ ରାଜନୀତି କରିଥାନ୍ତି। ଏହି କାରଣରୁ ୨୫ ବର୍ଷ ଏକାଠିଥିଲେ। ଏମିତିରେ ଉଦ୍ଧବଙ୍କ ପାଇଁ ବିଜେପି ସହିତ ହାତ ମିଳାଇ ସରକାର ଗଢିବା ସହ ପାର୍ଟିକୁ ବଞ୍ଚାଇ ରଖିବାର ବିକଳ୍ପ ରହିଛି। ଏବେ ଦେଖିବା ବାକି ରହିଲା ଉଦ୍ଧବ କେଉଁ ରାଜନୈତିକ ପଦକ୍ଷେପ ନେଉଛନ୍ତି ?

Get real time updates directly on you device, subscribe now.