୨ ଘଣ୍ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ: ରାଷ୍ଟ୍ରପତିଙ୍କ ସୁରକ୍ଷା ଦୃଷ୍ଟିରୁ ନିଆଯାଇଛି ନିଷ୍ପତ୍ତି

ପୁରୀ: ଶନିବାର ପୁରୀ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କରିବେ ଦର୍ଶନ । ତେବେ ରାଷ୍ଟ୍ରପତିଙ୍କ ସୁରକ୍ଷା ଦୃଷ୍ଟିରୁ ୨ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଅପରାହ୍ନ ୪ ଟାରୁ ସନ୍ଧ୍ୟା ୬ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଆସନ୍ତା ଫେବୃଆରୀ ୧୯ରେ ପୁରୀ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୁରୀରେ ଇସ୍କନ ଗୌଡ଼ୀୟ ମଠର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଛନ୍ତି । ଏହି ଗସ୍ତ ସମୟରେ ଶ୍ରୀମନ୍ଦିର ଯାଇ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି । ସେପଟେ ରାଷ୍ଟ୍ରପତିଙ୍କ ଗସ୍ତକୁ ପୂର୍ବରୁ ଜିଲ୍ଲା ପ୍ରଶାସନ ସମସ୍ତ କାର୍ଯ୍ୟକ୍ରମ ଏବଂ ସୁରକ୍ଷା ବ୍ୟବସ୍ଥାର ସ୍ଥିତି ତଦାରଖ କରିଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀରେ ୪୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବାନେଇ ସୂଚନା ଦିଆଯାଇଛି ।