fbpx

୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ: କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆସିଲା ନିମନ୍ତ୍ରଣ

ପୁରୀ: ଆସନ୍ତା ଜାନୁଆରୀ ୧୭ ତାରିଖରେ ଲୋକାର୍ପଣ ହେବ ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର। ଏଥିପାଇଁ ଭବ୍ୟ ଆୟୋଜନ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏହି ଧାର୍ମିକ କାର୍ଯ୍ୟ ଲାଗି ଦେଶର ପ୍ରମୁଖ ଦେବଦେବୀ ପୀଠ, ଚାରିଧାମର ପୀଠାଧୀଶ୍ୱର, ବିଶିଷ୍ଟ ଧର୍ମଗୁରୁ ଓ ଖ୍ୟାତନାମା ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି। ଆଜି ପ୍ରଥମେ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିକ୍ରମା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି ସେବାୟତ ପ୍ରତିନିଧି ଟିମ୍ । ତେବେ ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଗୋଟେ ଚାଉଳ ଗୋଟେ ଗୁଆ ପ୍ରଦାନ କରାଯାଇଛି।

ସୂଚନା ଥାଉକି, ମାର୍ଗଶିର ପୂର୍ଣ୍ଣିମା ଅର୍ଥାତ ଆଜି ଠାରୁ ଦେଶର ପ୍ରମୁଖ ଦେବପୀଠଗୁଡ଼ିକୁ ନିମନ୍ତ୍ରଣ ନିମନ୍ତେ ୩୦ଟି ଟିମ୍‌ ରାଜ୍ୟ ଓ ରାଜ୍ୟ ବାହାରକୁ ଯାତ୍ରା ଆରମ୍ଭ କରିଛନ୍ତି । ନିମନ୍ତ୍ରଣ ବାର୍ତ୍ତା ଓ ପତ୍ର ବଣ୍ଟନ ଦାୟିତ୍ୱରେ ଥିବା ଟିମ୍‌ ଆଜି ସକାଳୁ ପ୍ରଥମେ ଏକାମ୍ର କ୍ଷେତ୍ରାଧିପତି ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପାଇଁ ଭୁବନେଶ୍ୱରରେ ପହଞ୍ଚିଥିଲେ। ଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିକ୍ରମା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି। ଏହାପରେ ପ୍ରତ୍ୟେକ ଟିମ୍‌ ନିଜ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ରହିଛି। ଅନ୍ୟପଟେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ନିମନ୍ତ୍ରଣପତ୍ର ପ୍ରଦାନ କରାଯାଇ ସାରିଛି।

 

Get real time updates directly on you device, subscribe now.