ଓଡ଼ିଶା ଭାସ୍କର: ଆରପାରିରେ ବରିଷ୍ଠ ସେବାୟତ ରଜତ ପ୍ରତିହାରୀ। ପୁରୀ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ଗରାବଡୁ ନିଯୋଗର ସମ୍ପାଦକ ତଥା ଛତିଶାନିଯୋଗ ସଦସ୍ୟ ରଜତ୍ ପ୍ରତିହାରୀଙ୍କ ଦେହାନ୍ତ ଘଟିଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ଶରୀର ଅସୁସ୍ଥ ଥିଲା।
ସୂଚନା ଅନୁଯାୟୀ, ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ଗତକାଲି ରାତିରେ ତାଙ୍କ ହୃଦଘାତ ଘଟିଥିଲା। ତେବେ ତାଙ୍କର ପାର୍ଥିବ ଶରୀର ମୁମ୍ବାଇରୁ ପୁରୀର ବାଲିସାହି ବାସଭବନକୁ ଅଣାଯିବ। ପରିବାର ଲୋକ, ସେବାୟତମାନେ ଦର୍ଶନ କରିବା ପରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ କରାଯିବ।
ସୂଚନା ଥାଉକି, ସ୍ୱର୍ଗତଃ ରଜତ ପ୍ରତିହାରୀ ମହାପ୍ରଭୁଙ୍କ ଗରାବଡୁ ଓ ହଡପନାୟକ ସେବା ଯୋଗାଉଥିଲେ। ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ପଣ୍ଡା ଭାବରେ ସେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ। ବିଭିନ୍ନ ସମୟରେ ତେଲୁଗୁ ଭାଷାଭାଷୀ ଲୋକଙ୍କୁ ଆତିଥ୍ୟ ଦେବା ଏବଂ ତେଲୁଗୁ ଭାଷାରେ ଶ୍ରୀଜଗନ୍ନାଥଙ୍କ ମହିମା ସମ୍ପର୍କରେ ସେ ଭକ୍ତମାନଙ୍କୁ ବୁଝାଇ ପାରୁଥିଲେ। ଏହା ସହ ସେ ଶ୍ରୀମନ୍ଦିରରେ ଅନେକ ସଂସ୍କାରମୂଳକ ପଦକ୍ଷେପ ଆଣିବାକୁ ନିରନ୍ତର ଉଦ୍ୟମ ଜାରି ରଖିଥିଲେ। ଅନ୍ୟପଟେ ସେ ଚନ୍ଦନଯାତ୍ରା, ସ୍ନାନଯାତ୍ରା, ରଥଯାତ୍ରା ଇତ୍ୟାଦି ପର୍ବପର୍ବାଣି କିଭଳି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେବ ଓ ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ଶୃଙ୍ଖଳିତ ହେବ ଓ ଭକ୍ତମାନଙ୍କ ଦରକାର ମଧ୍ୟ କିଭଳି ଶୃଙ୍ଖଳିତ ହେବ ସେନେଇ ଲଗାତାର ପ୍ରୟାସ କରୁଥିଲେ। ବିଶେଷ କରି ସେବାୟତ କୂଳର ଝିଅମାନେ କିଭଳି ଆଗକୁ ବଢିବେ ଓ ସର୍ବାଙ୍ଗୀନ ଉନ୍ନତି କରିବେ ସେନେଇ ମଧ୍ୟ ସ୍ୱର୍ଗତଃ ପ୍ରତିହାରୀ ସବୁବେଳେ ଚେଷ୍ଟା କରୁଥିଲେ। ତାଙ୍କର ଅକାଳ ବିୟୋଗରେ ସେବାୟତ ମହଲରେ ଦୁଃଖର ଛାୟା ଖେଳିଯାଇଛି।