fbpx

ଭୁଲ୍ ନିଷ୍ପତ୍ତିର ଶିକାର ହେଲେ ଶୁବମନ ଗିଲ? ‘Cheater’ ନାରାରେ କମ୍ପିଲା ଓଭାଲ ଗ୍ରାଉଣ୍ଡ, ଫାଇନାଲରେ ଏହା କ’ଣ ଠିକ୍

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଖେଳାଯାଉଛି । ଆଜି ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସ ହୋଇଥିବା ବେଳେ ଭାରତ ପରାଜୟ ଏଡ଼ାଇବା ପାଇଁ ସଂଘର୍ଷ କରୁଛି । ତେବେ ଅଷ୍ଟ୍ରେଲିଆ ଭାରତ ଆଗରେ ୪୪୪ ରନର ଟାର୍ଗେଟ ରଖିଥିବା ବେଳେ ଟିମ୍ ଇଣ୍ଡିଆ ପାଇଁ ଏକ ଖରାପ ଖବର ଆସିଛି । ଆଜି ଟିମ୍ ଇଣ୍ଡିଆର ଓପନର ଶୁବମନ ଗିଲଙ୍କ ସହିତ ଅନ୍ୟାୟ ହୋଇଛି ।

୧୮ ରନରେ ବ୍ୟାଟିଂ କରୁଥିବା ସମୟରେ ଗିଲ ଅମ୍ପାୟାରଙ୍କ ଏକ ଭୁଲ ନିଷ୍ପତ୍ତିର ଶିକାର ହୋଇଥିଲେ । ଅଷ୍ଟ୍ରେଲୀୟ ବୋଲର ସ୍କଟ ବୋଲାଣ୍ଡଙ୍କ ବଲକୁ କ୍ୟାମେରନ ଗ୍ରୀନ ସ୍ଲିପରେ କ୍ୟାଚ କରିଥିଲେ । ତେବେ ବଲଟି ଭୂମିରେ ଲାଗିଥିବା ବେଳେ କ୍ୟାମେରନ ତାହାକୁ କ୍ୟାଚ ଧରିଥିଲେ । ଏହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ହଙ୍ଗାମା ଆରମ୍ଭ ହୋଇଯାଇଥିବା ବେଳେ ପଡ଼ିଆରେ ଦର୍ଶକମାନେ ‘ଚିଟର’ ନାରା ଦେଇଛନ୍ତି । ଏପରିକି ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହୱାଗ ଗିଲଙ୍କ ଆଉଟକୁ ନଟ୍ ଆଉଟ୍ ବୋଲି କହିଛନ୍ତି ।

ରିପ୍ଲେ ଦେଖିବା ପରେ ଏହା ଆଉଟ୍ ନୁହେଁ ବୋଲି କିଛି ଫ୍ୟାନ୍ସ ଭାବି ନେଇଥିଲେ । ମାତ୍ର ଥାର୍ଡ ଅମ୍ପାୟାର ଏହାକୁ ଆଉଟ୍ ଦେଇଥିଲେ । କ୍ୟାମେରନଙ୍କ ଉକ୍ତ କ୍ୟାଚର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ଆଉଟ ପରେ ଅଧିନାୟକ ରୋହିତ ଶର୍ମା ମଧ୍ୟ ବହୁତ ନିରାଶ ହୋଇଥିଲେ । ବଲ ଜମିରେ ଥିବାରୁ ତାହା ଆଉଟ ହେବ ନାହିଁ ବୋଲି ବୋଧହୁଏ ଗିଲ ଓ ରୋହିତ ନିଶ୍ଚିତ ରହିଥିଲେ । ମାତ୍ର ଅମ୍ପାୟାରଙ୍କ ନିଷ୍ପତ୍ତି ସବୁକିଛି ବଦଳାଇ ଦେଇଥିଲା ।

Get real time updates directly on you device, subscribe now.