୪୫୦ କୋଟିର ଚିଟ୍ ଫଣ୍ଡ ଘୋଟାଲାରେ ଫସିଲେ ଶୁଭମନ ଗିଲ୍ ଏବଂ ସାଇ ସୁଦର୍ଶନ! ସିଆଇଡି ପଠାଇଲା ସମନ
ଚିଟ୍ ଫଣ୍ଡ ଠକେଇ ମାମଲାରେ ଫସିଲେ ଏହି ଷ୍ଟାର ଖେଳାଳି
ନୂଆଦିଲ୍ଲୀ: ଗୁଜରାଟ ପୋଲିସର ସିଆଇଡି କ୍ରାଇମ୍ ବ୍ରାଞ୍ଚ ୪୫୦ କୋଟି ଟଙ୍କାର ଚିଟ୍ ଫଣ୍ଡ ଘୋଟାଲରେ ଭାରତୀୟ କ୍ରିକେଟର ଶୁଭମନ ଗିଲ, ରାହୁଲ ତେବତିୟା, ମୋହିତ ଶର୍ମା ଏବଂ ବି ସାଇ ସୁଦର୍ଶନଙ୍କୁ ସମନ ଜାରି କରିଛି। ପୋଞ୍ଜି ଯୋଜନା କିଙ୍ଗପିନ୍ ଭୁପେନ୍ଦ୍ର ସିଂ ଜାଲାଙ୍କୁ ପଚରାଉଚରା ପରେ ଖେଳାଳିମାନଙ୍କୁ ସମନ ଜାରି ହୋଇଛି। ଜାଲା କହିଛନ୍ତି ଯେ, ସେ ଏହି ଖେଳାଳିଙ୍କ ଦ୍ୱାରା ନିବେଶ କରାଯାଇଥିବା ଟଙ୍କାକୁ ଫେରସ୍ତ କରିନାହାନ୍ତି।
ସିଆଇଡି ଅଧିକାରୀଙ୍କ ଅନୁଯାୟୀ, ଆଇପିଏଲ ଟିମ ଗୁଜରାଟ ଟାଇଟନ୍ସର କ୍ୟାପ୍ଟେନ ଗିଲ ୧.୯୫ କୋଟି ଟଙ୍କାର ନିବେଶ କରିଥିଲେ। ଅନ୍ୟ ଖେଳାଳିମାନେ କମ ଟଙ୍କା ଲଗାଇଥିଲେ। ଅଧିକାରୀମାନେ କହିଛନ୍ତି ଯେ, ଖେଳାଳିଙ୍କୁ ସେମାନଙ୍କର ଉପଲବ୍ଧତାକୁ ଆଧାର କରି ପ୍ରଶ୍ନ କରିବା ପାଇଁ ଡକାଯିବ। ସିଆଇଡିର ଅଧିକାରୀମାନେ ଜାଲାଙ୍କ ଖାତାକୁ ଚଳାଉଥିବା ରୁଶିକ ମେହତାଙ୍କୁ ଧରିଥିଲେ।
ଏହି ଦୁର୍ନୀତିରେ ଯଦି ମେହେଟ୍ଟାଙ୍କ ସମ୍ପୃକ୍ତି ମିଳେ ତେବେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି। ବ୍ୟାଙ୍କ କାରବାର ଏବଂ ଜାଲାଙ୍କ ଦ୍ୱାରା ପରିଚାଳିତ ଏକ ଅନୌପଚାରିକ ଖାତାର ଅନୁସନ୍ଧାନ ପାଇଁ ସିଆଇଡି ଟିମ୍ ନିୟୋଜିତ କରିଛି। ଅଣଆନୁଷ୍ଠାନିକ ଆକାଉଣ୍ଟ ବୁକ୍ ଜବତ କରାଯାଇଛି। ଏହି ପରିପ୍ରେକ୍ଷୀରେ ସୋମବାର ଠାରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।
450 କୋଟିର ଠକେଇ: ସିଆଇଡି ଦ୍ୱାରା ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଜାଲା 6000 କୋଟି ଟଙ୍କାର ଏକ ବଡ ଠକେଇ କରିଛନ୍ତି। ଅନୁସନ୍ଧାନ ପରେ ଏହି ପରିମାଣ 450 କୋଟି ଟଙ୍କା ବୋଲି ଜଣାପଡିଛି। ଏହି ମାମଲାରେ ଚଢ଼ାଉ ଜାରି ରହିଛି। ଏହି ଘୋଟାଲାର ପରିମାଣ 450 କୋଟିରୁ ଅଧିକ ହେବାର ସମ୍ଭାବନା ରହିଛି।