fbpx

ଭାରତକୁ ମହଙ୍ଗା ନପଡୁ ୟୁକ୍ରେନ ଉପରେ ନିରବତା, ଆମେରିକା ଲଗାଇପାରେ କଟକଣା

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଘନ ଘନ ଆକ୍ରମଣ ଜାରି ରହିଛି। ଏବେ ନିଜ ଦେଶରେ ପୁଟିନ ସରକାରଙ୍କ ବିରୋଧ ଆରମ୍ଭ ହୋଇ ଗଲାଣି। ଫେବୃଆରୀ ୨୪ ରାତିରେ ରୁଷର ସେଣ୍ଟ ପିଟର୍ସବର୍ଗ ଏବଂ ରାଜଧାନୀ ମସ୍କୋ ସହିତ ଅନେକ ସହରରେ ଜନତା ଯୁଦ୍ଧ ବିରୋଧରେ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ପ୍ରଥମ ଦିନର ଯୁଦ୍ଧରେ ୧୩୭ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ୟୁକ୍ରେନର ଅଧିକାଂଶ ଅଞ୍ଚଳରେ ରୁଷ ଲଢୁଆ ବିମାନ ବୋମା ବର୍ଷଣ କରୁଛନ୍ତି। ୟୁକ୍ରେନରେ ଫସିଥିବା ଭାରତୀୟ ଉଦ୍ଧାର ପାଇଁ ଗୁହାରି କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଛନ୍ତି। କିନ୍ତୁ ୟୁକ୍ରେନ ସଙ୍କଟରେ ବର୍ତ୍ତମାନ ସୁଦ୍ଧା ଭାରତ ମଉନ ରହିଛି। ରୁଷ ସହିତ ପୁରାତନ ସଂପର୍କ ଏହାର ବଡ କାରଣ ହୋଇଥାଇପାରେ।

ଅନ୍ୟପଟେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ରୁଷ ସହିତ ପ୍ରତିରକ୍ଷା ସମ୍ବନ୍ଧକୁ ନେଇ ଭାରତ ସହିତ ଆମେରିକାର ମତଭେଦ ସମାଧାନ ହୋଇ ନାହିଁ। ୟୁକ୍ରେନ ଉପରେ ରୁଷର କାର‌୍ୟ୍ୟାନୁଷ୍ଠାନ ଉପରେ ଭାରତର ମାପଚୁପ ଆଭିମୁଖ୍ୟ ଆମେରିକାକୁ ପସନ୍ଦ ଆସିନାହିଁ। ଜୋ ବାଇଡେନ୍ ଇସାରାରେ କହି ଦେଇଛନ୍ତି ଯେ, ଭାରତର ଆଭିମୁଖ୍ୟରେ ଆମେରିକା ସନ୍ତୁଷ୍ଟ ନୁହେଁ। ଏପରିକି ଆମେରିକା ଭାରତ ଉପରେ ପ୍ରତିବନ୍ଧକ ଲଗାଇ ମଧ୍ୟ ପାରେ।

ବାଇଡେନ ସରକାରଙ୍କ ଚୀନକୁ ନେଇ କଡା ନୀତି ଆଧାରରେ ଭାରତ ଆମେରିକା ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଭାଗିଦାରୀ ଭାବେ ସାମ୍ନାକୁ ଆସିଛି। ମାତ୍ର ରୁଷ ସହିତ ଭାରତର ଘନିଷ୍ଠତା ଏବଂ ୟୁକ୍ରେନରେ ରୁଷର ସାମରିକ କାର‌୍ୟ୍ୟାନୁଷ୍ଠାନରେ ଭାରତର ନିରବତା ଦୁଇ ଦେଶର ସଂପର୍କକୁ ପ୍ରଭାବିତ କରିପାରେ।

ୟୁକ୍ରେନ ମାମଲାରେ ଭାରତ ଅଦ୍ୟାବଧି ଖୋଲାଖୋଲି କିଛି କହି ନାହିଁ। କିନ୍ତୁ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇ ହିଂସା ରୋକିବାକୁ ଅପିଲ୍ କରିଥିଲେ। ତେବେ ଭାରତର ଏମିତି ଆଭିମୁଖ୍ୟକୁ ନାଟୋ ଦେଶ ନାପସନ୍ଦ କରିଛନ୍ତି। ଭାରତ-ପ୍ରଶାନ୍ତ ୟୁରୋପୀୟ ଫୋରମରେ ସାମିଲ୍ ଅନ୍ୟ ବିଦେଶ ମନ୍ତ୍ରୀଙ୍କ ପରି ଜାପାନର ବୈଦେଶିକ ମନ୍ତ୍ରୀ ରୁଷର କଡା ନିନ୍ଦା କରିଛନ୍ତି। କିନ୍ତୁ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ନିଜର ପୂରା ଧ୍ୟାନ ଚୀନ ଦ୍ଵାରା ଉତ୍ପନ ବିପକ ଉପରେ କେନ୍ଦ୍ରିତ କରିଥିଲେ।

ଭାରତ ୧୫ ସଦସ୍ୟ ବିଶିଷ୍ଟ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟ। ଏଠାରେ ଶୁକ୍ରବାର ରୁଷ ବିରୋଧରେ ଏକ ନିନ୍ଦା ପ୍ରସ୍ତାବ ଉପରେ ମତଦାନ ହୋଇପାରେ। ରୁଷ ଏହି ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିବାର ସମ୍ଭାବନା ରହିଛି। ଆମେରିକା ଏହି ଭିଟୋର ବ୍ୟବହାର ରୁଷକୁ ଏକ ଘରିଆ କରିବାକୁ ପ୍ରୟୋଗ କରିପାରେ।

ଆମେରିକା ଆଶା କରୁଛି ଯେ, ବର୍ତ୍ତମାନ ୧୩ ସଦସ୍ୟ ତା ସପକ୍ଷରେ ଅଛନ୍ତି। ଚୀନ ମତଦାନ ସମୟରେ ଅନୁପସ୍ଥିତ ରହିପାରେ। ତେବେ ଭାରତ ଆମେରିକା ସପକ୍ଷରେ ମତଦାନ କରିବ କି ନାହିଁ ତାହା ଅସ୍ପଷ୍ଟ ରହିଛି। ଏହି ପ୍ରସଙ୍ଗରେ ପୂର୍ବରୁ ମଧ୍ୟ ଚଳିତ ମାସରେ ମତଦାନ ହୋଇ ସାରିଛି। ଏଥିରେ ଭାରତ ଅନୁପସ୍ଥିତ ରହିବାକୁ ଉଚିତ୍ ମଣିଥିଲା।

Get real time updates directly on you device, subscribe now.