ଗତ ଦିପାବଳୀରୁ ଏପର୍ଯ୍ୟନ୍ତ ରୂପା ମହଙ୍ଗା ହେଲା ୪୨%ରୁ ଅଧିକ, ଜାଣନ୍ତୁ ଆଉ କେତେ ବଢିବ

ନୂଆଦିଲ୍ଲୀ: ରୂପା ମୂଲ୍ୟ ବର୍ତ୍ତମାନ କିଲୋଗ୍ରାମ ପିଛା ୧ ଲକ୍ଷ ଟଙ୍କାରେ ପହଞ୍ଚିଛି। ଗତ ଏକ ବର୍ଷ ମଧ୍ୟରେ ରୂପା ରିଟର୍ଣ୍ଣ ମାମଲାରେ ସୁନାକୁ ପଛରେ ପକାଇଛି। ଯଦି ଗତ ଦୀପାବଳି ବିଷୟରେ ଆଲୋଚନା କରିବା ତେବେ ହାରାହାରି ୪୨ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି ରୂପା ଦର। ଗତ ଦୀପାବଳିରେ ରୂପା ମୂଲ୍ୟ କିଲୋଗ୍ରାମ ପିଛା ୭୧ ହଜାର ଥିଲା। ଯାହା ବର୍ତ୍ତମାନ ୧ ଲକ୍ଷ ଟଙ୍କାରେ ପହଞ୍ଚିଛି। ଏହା ତୁଳନାରେ ଗତ ଦୀପାବଳିରେ ଜାତୀୟ ରାଜଧାନୀ ଦିଲ୍ଲୀରେ ସୁନାର ମୂଲ୍ୟ ୩୦ ପ୍ରତିଶତ ବଢି ୧୦ ଗ୍ରାମ ପିଛା ୮୦ ହଜାର ୪୫୦ ଟଙ୍କା ହୋଇଛି। କମୋଡିଟୀ ମାର୍କେଟର ଏକ୍ସପର୍ଟଙ୍କ କହିବାନୁଯାୟୀ, ରୂପା ମୂଲ୍ୟରେ ବୃଦ୍ଧି ଥମିବାର ନାମ ନେଉନି। ଆସନ୍ତୁ ଜାଣିବା ରୂପା ଦର କେତେ ପର୍ଯ୍ୟନ୍ତ ଯିବ..

ଏଚଡିଏଫସି ସିକ୍ୟୁରିଟିଜର କମୋଡିଟୀ ଏବଂ କରେନ୍ସି ହେଡ ଅନୂଜ ଗୁପ୍ତାଙ୍କ ଅନୁସାରେ, ୨୦୧୧ ମସିହାରେ ରୂପା ଦର ଅଲ ଟାଇମ ହାଇରେ ୪୯.୮ ଡଲାର ଥିଲା। ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ରୂପା ଦର ୩୪ ଡଲାର ପାଖାପାଖି ରହିଛି। ଆଗାମୀ ସମୟରେ ରୂପା ଦର ଆହୁରି ବୃଦ୍ଧି ପାଇବ।

ଶିଳ୍ପପତିଙ୍କ ଚାହିଦା ବଢିବାରେ ଏହି ରୂପା ଏବଂ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି। ଏହାଠାରୁ ଆହୁରି ଅଧିକ ବଢିବ ବୋଲି କୁହାଯାଉଛି। ଅନୂଜ ଗୁପ୍ତାଙ୍କ କହିବାନୁସାରେ, ରୂପାକୁ ନେଇ ମୋର ପ୍ରଥମ ଟାର୍ଗେଟ କିଲୋଗ୍ରାମ ପିଛା ୧.୧୦ ଲକ୍ଷ ରହିଛି। ଏଥିସହ ଦ୍ୱିତୀୟ ଟାର୍ଗେଟ ୧.୨୫ ଲକ୍ଷ ଟଙ୍କା ରହିଛି କିଲୋଗ୍ରାମ ପିଛା। ଏହି ମୂଲ୍ୟ ଆସନ୍ତା ବର୍ଷରେ ରହିବ ବୋଲି ଅନୁମାନ ରହିଛି।