fbpx

୨୪ବର୍ଷ ପରେ କର୍କଟ କେନ୍ଦ୍ରରେ ହଜିଲା ଭାଇକୁ ପାଇଥିଲେ ଭଉଣୀ: ମାସେ ବି ରହିଲାନି ସୁଖ.. ଅଧାରେ ଆରପାରିକୁ ଚାଲିଗଲା….

କଟକ(ଭାସ୍କର ନ୍ୟୁଜ୍‌): ୨୪ବର୍ଷ ପରେ ନିଜ ହଜିଲା ଭାଇକୁ ଫରି ପାଇଥିଲା ଭଉଣୀ । ହେଲେ ଏହି ଖୁସି ମାସେ ବି ରହିଲାନି । ଗତ ମାସ ୯ ତାରିଖରେ ଭାଇଭ-ଭଉଣୀ ଏକାଠି ହେବା ଘଟଣାକୁ ନେଇ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଦେଖିବାକୁ ମିଳିଥିଲା ଭାବବିହ୍ୱଳ ପରିବେଶ ା ହେଲେ ସେହି ଖୁସି ଶନିବାର ସବୁ ଦିନ ପାଇଁ ହଜିଗଲା । ପୁଣି ଏକୁଟିଆ ହୋଇଗଲା ଭଉଣୀ ବବିତା ମହାରଣା କର୍କଟ ରୋଗରେ ଆକ୍ରାନ୍ତ ଭାଇ ହିମାଂଶୁ ମହାରଣାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୂତ୍ୟୁ ଘଟିଛି । ଭାଇ-ଭଉଣୀଙ୍କୁ ଏକାଠି କରିଥିବା ସ୍ୱେଚ୍ଛାସେବୀ-ଶବସାଥୀ ଅଭିମନ୍ୟୁ ଦାସ  ହିମାଂଶୁଙ୍କ ଶେଷକୃତ୍ୟ ଖାନନଗର ସ୍ୱର୍ଗଧାମରେ କରିଥିବା ବେଳେ ସେଠାରେ ଭଉଣୀ ବବିତା ଉପସ୍ଥିତ ଥିଲେ । ଏଥିପାଇଁ ସମସ୍ତ ଖର୍ଚ୍ଚ କର୍କଟ କେନ୍ଦ୍ର ପକ୍ଷରୁ କରାଯାଇଥିବା ଜଣାପଡିଛି ।

ସୂଚନା ମୁତାବିକ, ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଅଞ୍ଚଳର ନିରଞ୍ଜନ ମହାରଣାଙ୍କର ସ୍ତ୍ରୀ, ଗୋଟିଏପୁଅ ଓ ଦୁଇ ଝିଅଙ୍କୁ ନେଇ ଥିଲା ପରିବାର । ହଠାତ୍‌ ଏକମାତ୍ର ପୁଅ ହିମାଂଶୁ କାହାକୁ କିଛି ନକହି ଯୁକ୍ତ ୨ ପଢିବା ସମୟରେ ୧୯୯୭ରେ ଘରୁ କେଉଁଆଡେ ପଳାଇଥିଲା । ପରିବାରବର୍ଗ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ବି ତାଙ୍କୁ ନପାଇ ଶେଷରେ ପୁଅ ଆଉ ଏ ଦୁନିଆରେ ନାହିଁ ଭାବି ମନକୁ ବୁଝାଇ ସାରିଥିଲେ । ଏହାରି ଭିତରେ ବଡ ଭଉଣୀର ବାହାଘର ସରି ସେ ରାଜ୍ୟ ବାହାରେ ରହୁଥିବା ବେଳେ ନିରଞ୍ଜନ ଓ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇସାରିଛି । ନିରଂଜନଙ୍କ ଶଶୁର ଘର କଟକର ଦରଘାପାଟଣା ଅଂଚଳରେ ।

ପୁଅ ହିମାଂଶୁ ଘରୁ ପ୍ରଥମେ ଗୋଆ ଓ ପରେ ମୁମ୍ବାଇ ଚାଲିଯାଇ ସେଠାରେ ଏକ ଜାହାଜରେ କାମ କରୁଥିଲେ । ତେବେ ସେଠାରେ ତାଙ୍କ ଦେହ ଖରାପ ହେବା ପରେ ଜଣେ ଓଡିଆ ଲୋକ ତାଙ୍କୁ ଆଣି ରଖିଥିଲେ । ହିମାଂଶୁଙ୍କ ଦେହ ଅଧିକ ଖରାପ ହେବାପରେ ଜଣେ ମହିଳା ତାଙ୍କୁ ଚିକିତ୍ସା ପାଇଁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ଆଣି ରାସ୍ତାରେ ଛାଡି ପଳାଇ ଥିଲେ । କର୍କଟ କେନ୍ଦ୍ରରେ ଅଜଣା ରୋଗୀ ଭାବେ ହିମାଂଶୁଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା । ସ୍ୱେଚ୍ଛାସେବୀ ଅଭିମନ୍ୟୁ ପ୍ରଶାସନିକ ଅଧିକାରୀଙ୍କ ସହିତ କଥା ହୋଇ ତାଙ୍କ ଚିକିତ୍ସା ବ୍ୟବସ୍ଥା କରାଇବା ସହ ସେବାର ଦାୟିତ୍ୱ ନେଇଥିଲେ । ହିମାଂଶୁଙ୍କ ପରିଚୟ ପାଇ ଅଭିମନ୍ୟୁ ତାଙ୍କ ମାମୁଁ ଘର ସହିତ ଯୋଗାଯୋଗ କରିଥିଲେ । କିନ୍ତୁ ସେମାନେ ସେହିଭଳି ତତ୍ପରତା ନ ଦେଖାଇବା ପରେ କଟକ ବଙ୍ଗାଳିସାହିର ଏକ ମଠରେ ଭଉଣୀ ବବିତା ରହୁଥିବା ଜାଣି ତାଙ୍କ ସହିତ ଯୋଗାଯୋଗ କରିବା ପରେ ସେ କର୍କଟ କେନ୍ଦ୍ରରେ ପହଁଚିଥିଲେ ବବିତା । ଦୀର୍ଘ ୨୪ବର୍ଷ ପରେ ଭାଇ-ଭଉଣୀଙ୍କର ଭେଟ ହୋଇଥିଲା । କିନ୍ତୁ ଶନିବାର ହିମାଂଶୁଙ୍କ ମୁତ୍ୟୁ କର୍କଟ କେନ୍ଦ୍ରରେ ହୋଇଥିଲା, ଯାହାକି ତାଙ୍କ ମୃତ୍ୟୁ ପୁଣି ବବିତାଙ୍କ ଆଖିରେ ଲୁହ ଆଣିଛି ।

Get real time updates directly on you device, subscribe now.