fbpx

ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ସୀତାଂଶୁ ମୋହନ ଦ୍ୱିବେଦୀ

Advertisement

କଟକ(ଓଡ଼ିଶା ଭାସ୍କର): ବହୁ ପ୍ରତୀକ୍ଷିତ ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ନିର୍ବାଚନ ଶେଷ ହୋଇଛି । ଏଥିରେ ରାଜ୍ୟର ଜଣାଶୁଣା ବରିଷ୍ଠ ଆଇନଜୀବୀ ସୀତାଂଶୁ ମୋହନ ଦ୍ୱିବେଦୀ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଶ୍ରୀ ଦ୍ୱିବେଦୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସୌରଚନ୍ଦ୍ର ମହାପାତ୍ରଙ୍କ ଠାରୁ ବହୁ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଛନ୍ତି । ପ୍ରାୟ ୪ ବର୍ଷ ଧରି ଅଧ୍ୟକ୍ଷ ପଦବୀ ଖାଲି ପଡିଥିଲା । ପରିଶେଷରେ ଉଚ୍ଚନ୍ୟାୟାଳୟଙ୍କ ହସ୍ତକ୍ଷେପ ପରେ ଏହି ନିର୍ବାଚନ ପ୍ରକ୍ରିୟା ସୁରୁଖୁରୁରେ ସମାପନ ହୋଇଛି ।

ଆଇନଜୀବୀଙ୍କ ପାଇଁ ଉଦ୍ଦିଷ୍ଟ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ରାଜ୍ୟ ଆଇନଜୀବୀ ପରିଷଦ ଗ୍ରହଣ କରିଥାଏ । ଆଇନଜୀବୀଙ୍କୁ ଲାଇସେନ୍ସ ପ୍ରଦାନ ଠାରୁ ଆରମ୍ଭ କରି ସେମାନଙ୍କ ପେନ୍ସନ ସୁବିଧା, ଆଇନଜୀବୀଙ୍କ ମୃତ୍ୟୁବରଣ ପରେ ଆର୍ଥିକ ସହାୟତା ତଥା ବ୍ୟାଧିଗ୍ରସ୍ତ ଆଇନଜୀବୀଙ୍କୁ ଚିକିତ୍ସା ସୁବିଧା ଆଦି ଏଥିରେ ଅନ୍ତର୍ଭୁକ୍ତ । ତେବେ ଆଇନଜୀବୀଙ୍କୁ ପ୍ରଦାନ କରାଯାଉଥିବା ସୁବିଧା ସୁଯୋଗକୁ ଆଗାମୀ ଦିନରେ କିପରି ଆହୁରି କ୍ରିୟାଶୀଳ କରାଯାଇପାରିବ ସେ ସଂପର୍କରେ ଅଧିକ ପଦକ୍ଷେପ ନିଆଯିବ ବୋଲି ନବନିର୍ବାଚିତ ଅଧ୍ୟକ୍ଷ ଶ୍ରୀ ଦ୍ୱିବେଦୀ କହିଛନ୍ତି ।

ମୁଖ୍ୟତଃ ଆଇନଜୀବୀଙ୍କ ପାଇଁ ରାଜ୍ୟ ସରକାର ଚିକିତ୍ସା ବୀମା କରିବା ଦିଗରେ ବିଶେଷ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ ଦୀର୍ଘ ତିନି ଦଶନ୍ଧି ଧରି ଆଇନଜୀବୀ ଭାବେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ମାମଲାମାନ ପରିଚାଳନା ଦିଗରେ ଶ୍ରୀ ଦ୍ୱିବେଦୀଙ୍କର ସିଦ୍ଧହସ୍ତ ରହିଛି । ସେ ପୂର୍ବରୁ ତିନିଥର ଆଇନଜୀବୀ ପରିଷଦକୁ ସଦସ୍ୟ ଭାବେ ନିର୍ବାଚିତ ହୋଇ ଅନେକ କଲ୍ୟାଣମୂଳକ କାର୍ଯ୍ୟ ଆଇନଜୀବୀଙ୍କ ପାଇଁ କରିଆସିଛନ୍ତି ।

ସେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଉଚ୍ଚନ୍ୟାୟାଳୟର ବିଚାରପତିଙ୍କ ଠାରୁ ଆରମ୍ଭ କରି ରାଜନେତା, ପ୍ରଶାସକ ଓ ବୁଦ୍ଧିଜୀବୀଙ୍କ ପର୍ଯ୍ୟନ୍ତ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ସାହିତ କରିଛନ୍ତି । ଶ୍ରୀ ଦ୍ୱିବେଦୀ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବାରୁ ରାଜ୍ୟର ସମସ୍ତ ଆଇନଜୀବୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ଦିନରେ ଆଇନଜୀବୀଙ୍କ କଲ୍ୟାଣ ଦିଗରେ ତାଙ୍କର ପ୍ରଚେଷ୍ଟା ଜାରି ରହିବ ବୋଲି କହିଛନ୍ତି । ସେହିପରି ରାଜୀବ କୁମାର ମହାନ୍ତି ଆଇନଜୀବୀ ପରିଷଦର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।

Get real time updates directly on you device, subscribe now.