fbpx

ଓଡ଼ିଶାର ଇଞ୍ଜିନିୟର ଉଦ୍ଭାବନ କଲେ ‘ସ୍ମାର୍ଟ ଗମଲା’: ମାଟି ଶୁଖିଗଲେ ଗଛ ମୂଳେ ଅଟୋମେଟିକ୍ ପାଣି ଦେବ ମେଶିନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ଲୋକ ନିଜର ବାଡ଼ି ବଗିଚାରେ, ଛାତ ଉପରେ ଫୁଲ, ଫଳ ଗଛ ଲଗାଇବାକୁ ପସନ୍ଦ କରିଥାନ୍ତି । ସାଧାରଣ ଭାବେ ଉଦ୍ୟାନରେ ଗଛକୁ ବଞ୍ଚାଇବା ପାଇଁ ସବୁଠାରୁ ମୁଖ୍ୟ ଆବଶ୍ୟକତା ହେଉଛି ପାଣି । ବୃକ୍ଷଲତା ଆମର ଆଖପାଖର ପରିବେଶକୁ ସୁନ୍ଦର ରଖୁଥିଲେ ହେଁ ଅନେକ ସମୟରେ କାର୍ଯ୍ୟବ୍ୟସ୍ତତା କାରଣରୁ ବାହାରକୁ ଯିବା ସମୟରେ ଗଛରେ ପାଣି ଦେବା ସମ୍ଭବ ହୋଇନଥାଏ । ଏଭଳି ସ୍ଥିତିରେ ଉପଯୁକ୍ତ ପାଣି ଅଭାବରୁ ବୃକ୍ଷଗୁଡ଼ିକ ମରିଯାଇଥାନ୍ତି ।

ତେବେ ଏଣିକି ଆପଣଙ୍କୁ ଆଉ ଗଛରେ ପାଣି ଦେବାକୁ ଚିନ୍ତା କରିବାକୁ ପଡ଼ିବ ନାହିଁ । କୌଣସି କାମରେ ଆପଣ ଘର ଛାଡ଼ି ବାହାରକୁ ଚାଲିଗଲେ ମଧ୍ୟ ମେଶିନ ଆପଣଙ୍କ ଗଛରେ ପାଣି ଦେଇପାରିବ । ଗଛମୂଳର ମାଟି ଶୁଖିଯିବା ପରେ ପାଣିର ଆବଶ୍ୟକତା ପଡ଼ିଲେ ଅଟୋମେଟିକ୍ ପାଣି ଯୋଗାଇ ଦେବାର କ୍ଷମତା ଏହି ମେଶିନର ରହିଛି । ଏହି ମେଶିନରେ ଏକପ୍ରକାରର ସେନସର୍ ଲାଗିଥିବା ବେଳେ ସେଥିପାଇଁ ଆପଣଙ୍କୁ ମାତ୍ର ୨-୩ ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

ରାଜ୍ୟର ରେଙ୍ଗାଲିର ଜଣେ ଯୁବ ଇଞ୍ଜିନିୟର ଆଶିଷ ମହାରଣା ନିକଟରେ ଏକ ‘ସ୍ମାର୍ଟ ଗମଲା’ ଉଦ୍ଭାବନ କରିଛନ୍ତି । ସ୍ମାର୍ଟ ଗମଲାରେ ଲାଗିଥିବା ସେନସର୍ ମେଶିନ ଓ ପାଣି ଟାଙ୍କିରେ ଲାଗିଥିବା ୧୨ ଭୋଲଟ ଡିସି ମୋଟର / ବ୍ୟାଟେରୀ ସୋଲାର ପ୍ୟାନେଲ ବା ମୋବାଇଲ ଚାର୍ଜର ଜରିଆରେ କାର୍ଯ୍ୟକ୍ଷମ ହୋଇ ପାରିବ । ଆୟତନ ଅନୁସାରେ ଟାଙ୍କିରେ ଥରେ ପାଣି ଭର୍ତ୍ତି କଲେ ତାହା ୧-୨ ସପ୍ତାହ ପର୍ଯ୍ୟନ୍ତ ଗଛକୁ ପାଣି ଯୋଗାଇ ପାରିବ । ଗଛର ମାଟି ଶୁଖିଗଲେ ଗମଲାରେ ଲାଗିଥିବା ସେନସର ଅଟୋମେଟିକ୍ ଷ୍ଟାର୍ଟ ହୋଇଯିବ ଓ କିଛି ସମୟ ପରେ ଗମଲାରେ ପାଣି ଭର୍ତ୍ତି ହୋଇଗଲେ ପରେ ତାହା ଅଟୋମେଟିିକ୍ ବନ୍ଦ ହୋଇଯିବ । ଆପଣ ବାହାରକୁ ଯିବା ସମୟରେ ଏହି ସ୍ମାର୍ଟ ଗମଲା ଆପଣଙ୍କ ଗଛର ଜୀବନ ବଞ୍ଚାଇବ ପାରିବ । ପୂର୍ବରୁ ପଙ୍ଖା, ଲାଇଟ ଯୁକ୍ତ ହେଲମେଟ, ଇ-ମାସ୍କ, ପ୍ରୁଫ ଭୋଟିଂ ମେଶିନ, ରୋବୋଟିକ୍ ନର୍ସ, ଅଟୋ ଫ୍ଲସ ଟଏଲେଟ ଆଦି ମେଶିନ ଉଦ୍ଭାବନ କରି ମଧ୍ୟ ଆଶିଷ ବେଶ୍ ଚର୍ଚ୍ଚିତ ହୋଇଥିଲେ ।

Get real time updates directly on you device, subscribe now.