fbpx

ରାଜ୍ୟର ପ୍ରତି ବ୍ଲକରେ ଖୋଲିବ ‘ସ୍ମାର୍ଟ ମୋ ସେବା କେନ୍ଦ୍ର’: ଚଳିତ ବର୍ଷ ପ୍ରତିଷ୍ଠା ହେବ ୮୦୦୦ କେନ୍ଦ୍ର, ଆଇଟି ବିଭାଗର ଯୋଜନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀ କିପରି ବିଭିନ୍ନ ସେବା ସହଜରେ ପାଇପାରିବେ ସେନେଇ ରାଜ୍ୟ ସରକାର ବହୁ ଯୋଜନା ପ୍ରଣୟନ କରିଛନ୍ତି । ତେବେ ଏଣିକି ଜନସାଧାରଣଙ୍କୁ ସରକାରୀ ସେବା ପାଇଁ ଆଉ ଗୋଟିଏ କାର୍ଯ୍ୟାଳୟରୁ ଅନ୍ୟ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ । ରାଜ୍ୟ ସରକର ‘ମୋ ସେବା କେନ୍ଦ୍ର’କୁ ଆହୁରି ସଶକ୍ତି କରିବା ପାଇଁ ଯୋଜନା କରିଛନ୍ତି ।

ସୂଚନା ମୁତାବକ, ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ରାଜ୍ୟର ୮ ହଜାର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ମୋ ସେବା କେନ୍ଦ୍ର ଖୋଲିବ । ଏଥିସହିତ ରାଜଧାନୀ ଭୁବନେଶ୍ୱର ଭଳି ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ସ୍ମାର୍ଟ ମୋ ସେବା କେନ୍ଦ୍ର ଖୋଲିବା ପାଇଁ ସୂଚନା ଓ ପ୍ରଯୁକ୍ତି ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି କେନ୍ଦ୍ରର ସ୍ଥାପନ ପରେ ମିଶନ ଶକ୍ତି ଗୋଷ୍ଠୀ ଉପରେ ତା’ର ପରିଚାଳନା ଭାର ନ୍ୟସ୍ତ କରାଯିବ । ରାଜ୍ୟର ପ୍ରତି ପଞ୍ଚାୟତରେ ‘ମୋ ସେବା କେନ୍ଦ୍ର’ ଖୋଲିବା ପାଇଁ ରାଜ୍ୟ ସରକାର ପୂର୍ବରୁ ନିଷ୍ପତ୍ତି ନେଇସାରିଛନ୍ତି । ଯେଉଁ ପଞ୍ଚାୟତରେ ଏହି କେନ୍ଦ୍ର ନାହିଁ ସେଠାରେ ନୂଆ କେନ୍ଦ୍ର ସ୍ଥାପନ କରାଯିବ ।

ଗତ ୨୦୨୧ ମସିହା ମାର୍ଚ୍ଚ ମାସରେ ରାଜ୍ୟ ସରକାର ମୋ ସେବା କେନ୍ଦ୍ରର ଶୁଭାରମ୍ଭ କରିଥିବା ବେଳେ ଓଡ଼ିଶା ୱାନ୍ ପୋର୍ଟାଲରେ ବର୍ତ୍ତମାନ ସୁଦ୍ଧା ୬୪୦ଟି ସେବା ମିଳିପାରୁଛି । ରାଜ୍ୟ ସରକାରଙ୍କ ୩୭ଟି ବିଭାଗରେ ଏହି ସେବା ଉପଲବ୍ଧ ହେଉଥିବା ବେଳେ ଏହି କେନ୍ଦ୍ର ସଂଖ୍ୟା ଏବେ ୬୯୬୮ରେ ପହଞ୍ଚିଛି । ୨ ହଜାର କେନ୍ଦ୍ରରୁ ଆରମ୍ଭ ହୋଇଥିବା ମୋ ସେବା କେନ୍ଦ୍ର ଏବେ ତିନି ଗୁଣ ବୃଦ୍ଧି ପାଇଛି । ଗୋଟିଏ ବର୍ଷ ମଧ୍ୟରେ ଏହି କେନ୍ଦ୍ର ମାଧ୍ୟମରେ ୫୫ ଲକ୍ଷରୁ ଅଧିକ ଲୋକଙ୍କୁ ସେବା ମିଳି ପାରିଛି । ତେବେ ଘରୋଇ ସ୍ଥାନରେ ମୋ ସେବା କେନ୍ଦ୍ର ଚାଲୁଥିବାରୁ ବିଭିନ୍ନ ସମସ୍ୟା ଦେଖା ଦେଉଛି । ତେଣୁ ପ୍ରତି ଗ୍ରାମ ପଞ୍ଚାୟତ ଅଫିସରେ କେନ୍ଦ୍ର ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

Get real time updates directly on you device, subscribe now.