ନୂଆଦିଲ୍ଲୀ: ସରକାର ସୋସିଆଲ ମିଡିଆ ୟୁଜର୍ସଙ୍କ ବ୍ୟକ୍ତିଗତ ଡାଟା ସୁରକ୍ଷାକୁ ନେଇ ବେଶ୍ ଗମ୍ଭୀର ହୋଇଛନ୍ତି । ଖୁବ୍ ଶୀଘ୍ର ସୋସିଆଲ ମିଡିଆ କମ୍ପାନୀଙ୍କୁ ସେହି ଭାରତୀୟ ୟୁଜର୍ସଙ୍କ ଆକାଉଣ୍ଟ ଓ ବ୍ୟକ୍ତିଗତ ଡାଟା ନିଜ ସିଷ୍ଟମରୁ ସଂପୂର୍ଣ୍ଣ ଭାବରେ ଡିଲିଟ୍ କରିବାକୁ ହେବ ଯେଉଁମାନେ ୩ ବର୍ଷ ଧରି ନିଜ ଆକାଉଣ୍ଟ ବ୍ୟବହାର କରିନାହାନ୍ତି । ଏହି ପ୍ରକାର ୟୁଜର୍ସଙ୍କ ଡାଟା ସୁରକ୍ଷାକୁ ନେଇ ଆହୁରି ଅନେକ ନୂଆ ନିୟମ ମଧ୍ୟ ଆସିବାକୁ ଯାଉଛି । ଚଳିତ ବର୍ଷ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଆକ୍ଟର ପ୍ରସ୍ତାବ ଡ୍ରାଫ୍ଟ କରାଯାଇଥିଲା ଯେଉଁଥିରେ ୟୁଜର୍ସଙ୍କ ଡାଟା ସୁରକ୍ଷାକୁ ନେଇ ବହୁ ନିୟମ ସାମିଲ ରହିଛି । ଏହି ଡ୍ରାଫ୍ଟକୁ ଖୁବ୍ ଶୀଘ୍ର ସମସ୍ତ ଷ୍ଟେକହୋଲ୍ଡରଙ୍କ ପାଖକୁ ପଠାଯିବ ।
ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟତିତ ଏହି ନିୟମ ସମସ୍ତ ଇ କମର୍ସ ୱେବସାଇଟ୍ ଯେପରିକି ଆମାଜନ, ଫ୍ଲିପକାର୍ଟ, ରିଲାଏନ୍ସ ଡିଜିଟାଲ ଆଦି କ୍ଷେତ୍ରରେ ମଧ୍ୟ ଲାଗୁ ହେବ । ଅନଲାଇନ୍ ମାର୍କେଟପ୍ଲେସ୍, ଗେମ୍ ହୋଷ୍ଟିଂ କରୁଥିବା ପ୍ଲାଟଫର୍ମ ଆଦିକୁ ମଧ୍ୟ ଏହି ନିୟମ ଅଧୀନରେ ଅଣାଯିବ । ୟୁଜର୍ସଙ୍କ ବ୍ୟକ୍ତିଗତ ଓ ଅଣବ୍ୟକ୍ତିଗତ ଡାଟାର ଉପଯୋଗ କେଉଁଠି ଓ କିପରି କରାଯିବ ଏହା ସହିତ ଜଡିତ ନିୟମକୁ ବି ଏଥିରେ ସାମିଲ କରାଯିବ । ଡ୍ରାଫ୍ଟ କରାଯାଇଥିବା ନୂଆ ନିୟମ ସ୍ୱାସ୍ଥ୍ୟ ସେବା ସହ ଜଡିତ କର୍ମଚାରୀ, ସଂସ୍ଥା, ମାନସିକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବି ଲାଗୁହେବ ।
ତେବେ ନୂଆ ଡାଟା ସୁରକ୍ଷା ନିୟମ ଡ୍ରାଫ୍ଟରେ ସେହି ଶିକ୍ଷାନୁଷ୍ଠାନର ଛାତ୍ରଙ୍କୁ ଏକାଡେମିକ୍ ରେକର୍ଡ ସେୟାର କରିବାକୁ ସୁଯୋଗ ମିଳିବ ଯାହା କେନ୍ଦ୍ର ସରକାର, ରାଜ୍ୟ ସରକାର ଓ କୌଣସି ସ୍ଥାନୀୟ ଅଧିକାରୀଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଛି । ଶିକ୍ଷା ସଂସ୍ଥାନ କେବଳ ଗବେଷଣା, ବୈଜ୍ଞାନିକ ଓ ପ୍ରାଦ୍ୟୋଗିକ ଶିକ୍ଷା ଉଦ୍ଦେଶ୍ୟରେ ୟୁଜର୍ସଙ୍କ ବ୍ୟକ୍ତିଗତ ଡାଟା ବ୍ୟବହାର କରିପାରିବେ ।
ସେହିପରି ସରକାର ଡାଟା ଲିକ୍ ପାଇଁ ମଧ୍ୟ କଡା ନିୟମ ଆଣିଛନ୍ତି । କୌଣସି ଡାଟା ଲିକ୍ ହେଲେ ଡାଟା ହ୍ୟାଣ୍ଡେଲ କରୁଥିବା ସଂସ୍ଥାକୁ ୭୨ ଘଣ୍ଟା ମଧ୍ୟରେ ଡାଟା ସୁରକ୍ଷା ବୋର୍ଡ ନିକଟରେ ଏହି ସମ୍ବନ୍ଧିତ ଜଡିତ ସାକ୍ଷ୍ୟ ପ୍ରସ୍ତୁତ କରିବାକୁ ହେବ ଓ କହିବାକୁ ହେବ କି କେଉଁ ପରିସ୍ଥିତିରେ ଡାଟା ଲିକ୍ ହୋଇଛି । ନୂଆ ଡାଟା ସୁରକ୍ଷା ନିୟମ ଅନୁଯାୟୀ କମ୍ପାନୀ କିମ୍ବା ବ୍ୟକ୍ତିଙ୍କୁ କୌଣସି ବି ୟୁଜର୍ସଙ୍କ ଡାଟା ସଂଯୋଗ କିମ୍ବା ପରିଚାଳିତ କରିବା ପୂର୍ବରୁ ୟୁଜର୍ସଙ୍କ ଠାରୁ ସହମତି ନେବାକୁ ହେବ ଓ କହିବାକୁ ହେବ କି କେଉଁ ଉଦ୍ଦେଶ୍ୟରେ ୟୁଜର୍ସଙ୍କ ଡାଟା ନିଆଯାଇଛି ।