fbpx
BJD
BJD SKY
BJD SKY

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ବାପା ସରକାରୀ ଚାକିରି କରୁଥିଲେ ମୃତ୍ୟୁ ପରେ ପୁଅକୁ ମିଳିପାରିବ ନିଯୁକ୍ତି

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯଦି ଜଣେ ବ୍ୟକ୍ତି ରାଜ୍ୟ ସରକାରଙ୍କ ଅଧିନରେ କୌଣସି ସରକାରୀ କରୁଥାନ୍ତି ତେବେ ଚାକିରି ଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଲେ ପୁଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିପାରିବ । ଅନୁକମ୍ପାମୂଳକ ନିଯୁକ୍ତି ଯୋଜନାରେ ପତ୍ନୀଙ୍କ ବଦଳରେ ପୁଅକୁ ମଧ୍ୟ ସରକାରୀ ଚାକିରି ମିଳିପାରିବ ବୋଲି ରାଜ୍ୟ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ.ଏସ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି ।

ସୂଚନା ମୁତାବକ, ବଲାଙ୍ଗିର ଜିଲ୍ଲା ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ କାର୍ଯ୍ୟାଳୟରେ ଜଣେ ବ୍ୟକ୍ତି ପିଅନ ଭାବେ କାର୍ଯ୍ୟ କରୁଥିଲେ । ଗତ ୨୦୦୮ ମସିହା ଜୁଲାଇ ମାସ ୩ ତାରିଖରେ ତାଙ୍କର ମୃତ୍ୟୁ ଘଟିବା ସମୟରେ ତାଙ୍କର ପୁଅଙ୍କୁ ୧୨ ବର୍ଷ ବୟସ ହୋଇଥିଲା । ସେହିପରି ତାଙ୍କର ପତ୍ନୀଙ୍କୁ ୪୪ ବର୍ଷ ବୟସ ହୋଇଥିଲା । ତେବେ ସେ ସମୟରେ ପତ୍ନୀ ଅସୁସ୍ଥ ଥିବାରୁ ସେ ତାଙ୍କ ସ୍ୱାମୀଙ୍କ ଚାକିରି ପାଇଁ ଆବେଦନ କରିନଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ପୁଅ ସାବାଳକ ହେବା ପରେ ତାଙ୍କୁ ଚାକିରି ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିକଟରେ ଆବେଦନ କରିଥିଲେ ।

ତେବେ ଆବେଦନରେ ବିଳମ୍ବ ହୋଇଥିବା କାରଣ ଦର୍ଶାଇ ଗତ ୨୦୧୩ରେ ବିଭାଗୀୟ କର୍ତ୍ତୃପକ୍ଷ ସାବାଳକ ପୁଅଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ପରେ ଆବେଦନକାରୀ ସ୍ୟାଟଙ୍କ ଦ୍ୱାରସ୍ଥ ହୋଇଥିଲେ ହେଁ ମୃତ୍ୟୁର ୫ ବର୍ଷ ପରେ ଆବେଦନ କରାଯାଇଥିବା ଦର୍ଶାଇ ଉକ୍ତ ପିଟିସନକୁ ମଧ୍ୟ ଖାରଜ କରିଦେଇଥିଲେ । ଏହାପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଏ ପ୍ରସଙ୍ଗରେ ହାଇକୋର୍ଟ କହିଛନ୍ତି, ଆବେଦନକାରୀ ୧୮ ବର୍ଷ ବୟସ ହେବାର ତିନି ବର୍ଷ ପରେ ତାଙ୍କ ପିତାଙ୍କ ଚାକିରିରେ ଅନୁକମ୍ପାମୂଳକ ନିଯୁକ୍ତି ପାଇବାକୁ ଆବେଦନ କରିଛନ୍ତି । ସେ ପିତାଙ୍କର ଏକପାତ୍ର ପୁତ୍ର ହୋଇଥିବାରୁ ଏଥିପାଇଁ ସେ ହକଦାର । ଏଥିରେ କୌଣସି ତ୍ରୁଟି ନାହିଁ । ତାଙ୍କୁ ଚାକିରି ପ୍ରଦାନ ନେଇ ମନା କରାଯାଇ ପାରିବ ନାହିଁ । ତେବେ ହାଇକୋର୍ଟଙ୍କ ଖଣ୍ଡପୀଠ ସ୍ୟାଟଙ୍କ ଆଦେଶକୁ ରଦ୍ଦ କରିବା ସହ ଆବେଦନକାରୀଙ୍କୁ ୩ ମାସ ମଧ୍ୟରେ ନିଯୁକ୍ତି ଦେବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.