ବାପା ଜଣେ ବାଜା ବାଲା, ପୁଅ ଆଜି OAS ଅଫିସର, ଖୁସିରେ ଝୁମୁଛି ସାରା ଗାଁ

ବଲାଙ୍ଗିର: କଥାରେ ଅଛି ପରିଶ୍ରମ ହିଁ ସଫଳତାର ଚାବିକାଠି । ନିଜ ସଂଘର୍ଷ ଓ ଧୈର୍ଯ୍ୟ ବଳରେ ଗାଁର ନାଁ ରଖିଛନ୍ତି ସୁନା ପୁଅ । ଜଣେ ସାଧାରଣ ଶିକ୍ଷକରୁ OAS ଅଫିସର ପାଲଟିଥିବା ସନ୍ତୋଷ ନାଗଙ୍କ ପାଇଁ ଆଜି ସାରା ଗାଁ ଗର୍ବ ଅନୁଭବ କରୁଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ତେଣ୍ଡାପଦର ଗ୍ରାମରେ ।

ଅତି ଗରୀବ ପରିବାରରୁ ଜନ୍ମଗ୍ରହଣ କରିଥିଲେ ଶୁଦ୍ଧା ତାଙ୍କ ପରିଶ୍ରମ ବଳରେ ସେ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ସଫଳ ହୋଇଛନ୍ତି ସନ୍ତୋଷ । ବାପା ନିରନ୍ତ ନାଗ ଜଣେ କଳାକାର । ସେ ହେଉଛନ୍ତି ଜଣେ ଢୋଲ ବଜାଳି । ପେଶାରେ ସନ୍ତୋଷ ଜଣେ ଶିକ୍ଷକ ଥିଲେ । କିନ୍ତୁ OAS ଅଫିସର ହେବା ତାଙ୍କ ଲକ୍ଷ୍ୟ ଥିଲା । ଏଥିପାଇଁ ସେ ଦିନ ରାତି ଏକ୍ କରିଦେଇଥିଲେ । ନିଜ କଠୋର ପରିଶ୍ରମ ବଳରେ ଆଜି ସେ OPSC ପରୀକ୍ଷା କ୍ରାକ୍ କରି OAS ଅଫିସର ହୋଇଛନ୍ତି । ପୁଅ OASପାଇବା ପରେ ତାଙ୍କ ମା ଲକ୍ଷ୍ମୀ ନାଗ , ସ୍ତ୍ରୀ ପ୍ରତିମା ନାଗ ବହୁତ ଖୁସି ଅଛନ୍ତି ।

ତେବେ ଗ୍ରାମରେ ଜଣେ OAS ହେବା ଖୁସିରେ ଗ୍ରାମ ପଞ୍ଚାୟତର ସରପଞ୍ଚ ଦନାର୍ଦନ ସାହୁ ସମେତ ଗ୍ରାମବାସୀ ମିଶି ବ୍ୟାଣ୍ଡ୍ ବାଜାରେ ସନ୍ତୋଷ ନାଗଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଏନେଇ ଗାଁରେ ଏକ ପ୍ରକାର ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା ।