fbpx

(Video) ବାପା ପାଇଁ ପୁଅର ଚିଠି: ପୁଅ ଲେଖିଛି ୬୦ ଟଙ୍କା ଟେବୁଲ ଉପରେ ରଖି ଦେଇଛି, ମୁଁ ସବୁଦିନ ପାଇଁ ଯାଉଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାତ୍ର ୬୦ ଟଙ୍କା ପାଇଁ ପୁଅ ଜୀବନ ହାରିଦେଲା । ଏହି କଥାଟି ଶୁଣିବା ବେଳକୁ ସତେ ଯେମିତି ଛାତି ଫାଟି ଯାଉଛି । ଗୋଟିଏ ବାପ କିଭଳି ଏହାକୁ ସହ୍ୟ କରିପାରିବ । ଦଶମ ଶ୍ରେଣୀରେ ପାଠ ପଢ଼ୁଥି୍ବା ପୁଅ ନିଜ ବାପାଙ୍କ ପକେଟରୁ ୬୦ ଟଙ୍କା ଚୋରି କରିଥିଲା । ମାତ୍ର ଏହା ଜାଣିବା ପରେ ବାପା ପୁଅକୁ ଗାଳି କରିଥିଲେ । ଆଉ ବାପାଙ୍କ ଏହି ଗାଳିକୁ ସହ୍ୟ କରିନପାରି ପୁଅଟି ନିଜର ଶେଷ ବାଟ ବାଛି ନେଇଥିଲା ।

ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗାଲୁପଡ଼ା ଅଞ୍ଚଳରେ ଘଟିଯାଇଛି ଏଭଳି ଏକ ହୃଦୟ ବିଦାରକ ଘଟଣା । ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ପ୍ରଦ୍ୟୁମ୍ନ ରାଉତ ତାଙ୍କ ବାପାଙ୍କ ପକେଟରୁ ୬୦ ଟଙ୍କା ଚୋରି କରିଥିଲେ । ମାତ୍ର ବାପା ଏହି ଘଟଣା ପାଇଁ ଗାଳି କରିଥିଲେ, ଯାହାକୁ କି ଆଦୌ ସହ୍ୟ କରିପାରି ନଥିଲେ ପ୍ରଦ୍ୟମ୍ନ । ଶେଷରେ ସେ ବାପାଙ୍କ ପାଇଁ ଏକ ଚିଠି ଲେଖିବା ସହିତ ୬୦ ଟଙ୍କା ଟେବୁଲ ଉପରେ ରଖିଦେଇଥିଲେ । ଆଉ ତା’ପରେ ସବୁଦିନ ପାଇଁ ଅଫେରା ରାଇଜକୁ ଚାଲିଯାଇଥିଲେ ପ୍ରଦ୍ୟୁମ୍ନ ।

ପ୍ରଦ୍ୟୁମ୍ନଙ୍କ ବାପା ଓ ମାଆ ଦୁହେଁ ସରକାରୀ ଶିକ୍ଷକ-ଶିକ୍ଷୟିତ୍ରୀ ହୋଇଥିବା ବେଳେ ନିଜର ୧୫ ବର୍ଷୀୟ ଏକମାତ୍ର ପୁଅର ଏଭଳି ମୃତ୍ୟୁରେ ସେମାନେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି । ପୁଅକୁ ଭଲରେ ପାଠ ପଢ଼ାଇବା ପାଇଁ ନିଜର ପୈତୃକ ଘର ଛାଡ଼ି ସଦର ଥାନା ଅନ୍ତର୍ଗତ ଗାଲୁପଡ଼ାରେ ଘରଭଡ଼ା ନେଇ ପରିବାର ରହୁଥିଲେ । ବାପାମାଆ ପୁଅକୁ ଅତ୍ୟନ୍ତ ଗେହ୍ଲାରେ ବଢ଼ାଇବା ସହିତ ତା’ର ସୁନେଲି ଭବିଷ୍ୟତ ପାଇଁ ଅନେକ ସ୍ୱପ୍ନ ଦେଖିଥିଲେ । ବାପାଙ୍କ ପକେଟରୁ ପଇସା ଚୋରି କରିବାକୁ ନେଇ ବାପା ପ୍ରଦ୍ୟୁମ୍ନଙ୍କୁ ଆକଟ କରିଥିଲେ । ଏହାପରେ ଦେହ ଭଲ ନାହିଁ କହି ପ୍ରଦ୍ୟୁମ୍ନ ସ୍କୁଲକୁ ଯାଇନଥିଲେ । ତା’ପରେ ବାପାଙ୍କ ପାଇଁ ଶେଷ ଚିଠି ଲେଖି ପ୍ରଦ୍ୟୁମ୍ନ ନିଜର ଜୀବନ ହାରି ଦେଇଥିଲେ । ପ୍ରମ୍ୟୁମ୍ନଙ୍କ ଶେଷ ଚିଠିକୁ ଭାବିଭାବି ଆଜି ସାରା ପରିବାରରେ କାହାର ଆଖିରୁ ଲୁହ ଶୁଖୁନି ।

Get real time updates directly on you device, subscribe now.