fbpx

ଅଶୋକ ଗେହଲଟ Vs ସଚିନ ପାଇଲଟ Vs ହାଇକମାଣ୍ଡ; ତ୍ରିକୋଣୀୟ ମୁକାବିଲାରେ ବାହାରି ପାରେ ୪ ରାସ୍ତା

ନୂଆଦିଲ୍ଲୀ: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମର୍ଥକ ବିଧାୟକଙ୍କ ବିଦ୍ରୋହ ପରେ କଂଗ୍ରେସର ସବୁ ସମୀକରଣ ବିଗିଡି ଯାଇଛି। ରାଜସ୍ଥାନ ସଙ୍କଟ ଯୋଗୁଁ ପାର୍ଟି ଅଧ୍ୟକ୍ଷ ପଦ ନିର୍ବାଚନ ଦୋଛକିରେ ପଡି ଯାଇଛି। ଏସବୁ ରାଜନୈତିକ ଡ୍ରାମା କେବଳ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଜାରି ରହିଛି। ଗେହଲଟଙ୍କ ସମର୍ଥକ ଚାହୁଁ ନାହାନ୍ତି ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ। ଗେହଲଟଙ୍କ ମହତ୍ଵକାଂକ୍ଷୀ ଏବେ କଂଗ୍ରେସ ଉପରେ ଭାରି ପଡିଛି। ତାଙ୍କର ବିଦ୍ରୋହୀ ଆଭିମୁଖ୍ୟ ନେଇ ଖପ୍ପା ଦଳୀୟ ହାଇକମାଣ୍ଡ। ଏମିତି ସ୍ଥିତିରେ ଅଶୋକ ଗେହଲଟ, ସଚିନ ପାଇଲଟ୍ ଏବଂ ଦଳୀୟ ହାଇକମାଣ୍ଡଙ୍କ ନିକଟରେ କଣ ରହିଛି ବିକଳ୍ପ। ଚାଲନ୍ତୁ ଜାଣିବା
ଗେହଲଟଙ୍କ ଦୃଷ୍ଟିରୁ ରାଜସ୍ଥାନରେ ରହିଛି ଚାରି ବିକଳ୍ପ

ପ୍ରଥମ, ସେ ଆନୁଷ୍ଠାନିକ ଭାବେ କଂଗ୍ରେସ ଅଧ୍ୟକ୍ଷ ପଦ ଦୌଡରୁ ବାହାରି ଯାଆନ୍ତୁ ଏବଂ ଆଗାମୀ ବିଧାନସଭା ନିର୍ବାଚନ ପର‌୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦରେ ରୁହନ୍ତୁ। ଦ୍ଵିତୀୟ, ସେ ରାଜସ୍ଥାନରେ ନିଜ ପସନ୍ଦର ମୁଖ୍ୟମନ୍ତ୍ରୀ କରିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଲଢି ପାରିବେ। ତୃତୀୟ, ସେ କଂଗ୍ରେସ ହାଇକମାଣ୍ଡଙ୍କୁ ପାର୍ଟିର ଅଧ୍ୟକ୍ଷ ଏବଂ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଅନୁମତି ପାଇଁ ଚାପ ପକାଇ ପାରିବେ।

ତେବେ ଏହାର ସମ୍ଭାବନା ବହୁତ କମ। କାରଣ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସ୍ପଷ୍ଟ କରି ସାରିଛନ୍ତି ଯେ, ଏକ ବ୍ୟକ୍ତି ଏକ ପଦ ନୀତିରେ ଦଳ ଚାଲିବ। ଚତୁର୍ଥ ଯଦି ପାର୍ଟି ନେତୃତ୍ଵ ନିଜ ଆଡକୁ କଠୋର ନିଷ୍ପତ୍ତି ନିଅନ୍ତି ତେବେ ଗେହଲଟଙ୍କ ହାତରୁ ଅଧ୍ୟକ୍ଷ ପଦର ଦାବିଦାର ଖସିବା ସହିତ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ଯାଇପାରେ।
ସଚିନ ପାଇଲଟଙ୍କ ନିକଟରେ କଣ ବିକଳ୍ପ ରହିଛି:

୨୦୨୦ରେ ବିଦ୍ରୋହର ରାସ୍ତା ଆପଣେଇ ସାରିଥିବା ପାଇଲଟଙ୍କ ସାମ୍ନାରେ ମଧ୍ୟ ଚାରି ମାର୍ଗ ରହିଛି। ପ୍ରଥମ, ଏଥର ବି ସେ ମୁଖ୍ୟମନ୍ତ୍ରୀ ପଦର ଲଢେଇରେ ହାର ମାନି ନିଅନ୍ତୁ ଏବଂ ୨୦୨୩ ପର୍ଯ୍ୟନ୍ତ ନିଜ ପାଳିର ଅପେକ୍ଷା କରନ୍ତୁ। ଦ୍ଵିତୀୟ ସେ ରାଜସ୍ଥାନ ରାଜନୀତି ଛାଡି କେନ୍ଦ୍ରରେ ପାର୍ଟିର ବଡ ପଦ ସମ୍ଭାଳି ପାରିବେ। ରାହୁଲଙ୍କ ନିକଟତର ହୋଇଥିବା କାରଣରୁ ଏହାର ସମ୍ଭାବନା ଅଧିକ ରହିଛି।

ତୃତୀୟ, ଗାନ୍ଧୀ ପରିବାର ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଜର ସମସ୍ତ ଶକ୍ତି ଲଗାଇଦେଉ ଏବଂ ବିଧାୟକଙ୍କୁ ନିଜ ଅଧୀନରେ ରଖୁ। ଯଦି ଏମିତି ହୁଏ ପାର୍ଟିରେ ଆଭ୍ୟନ୍ତରୀଣ କନ୍ଦଳ ବଢିବାର ସମ୍ଭାବନା ଅଧିକ ରହିଛି। ଚତୁର୍ଥ, ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଉ କିଛି ସମୟ ଅପେକ୍ଷା କରନ୍ତୁ। ସମୟ ଦେଖି ନୂତନ ପାର୍ଟି ଘୋଷଣା କରି ପାରିବେ। ନଚେତ୍ ଆମ୍ ଆଦମୀ ପାର୍ଟି କିମ୍ବା ବିଜେପିରେ ଯୋଗ ଦେଇ ପାରିବେ।

ରିପୋର୍ଟ ଦେବେ ମାକନ ଏବଂ ଜାଖଡ
ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପର‌୍ୟ୍ୟବେକ୍ଷକ ମଲ୍ଲିକାର୍ଜୁନ ଖଗଡେ ଏବଂ ଅଜୟ ମାକନଙ୍କୁ ରିପୋର୍ଟ ମାଗିଛନ୍ତି। ମଙ୍ଗଳବାର ଅର୍ଥାତ ଆଜି ଦୁଇ ନେତା ନିଜର ରିପୋର୍ଟ ପ୍ରଦାନ କରି ପାରନ୍ତି ବୋଲି ଦଳୀୟ ସୂତ୍ରରୁ ପ୍ରକାଶ। ଚର୍ଚ୍ଚା ଏହା ମଧ୍ୟ ଯେ, ମନ୍ତ୍ରୀ ଶାନ୍ତି ଧାରିଓ୍ଵାଲ ଏବଂ ରାଜସ୍ଥାନ କଂଗ୍ରେସର ମୁଖ୍ୟ ସଚେତକ ସମେତ କିଛି ନେତାଙ୍କ ବିରୋଧରେ ଅନୁଶାସନହୀନତା କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ।

Get real time updates directly on you device, subscribe now.